ଚେନ୍ନାଇ: ୧୬ ଭାଷାରେ ୪୦ ହଜାରରୁ ଅଧିକ ଗୀତକୁ ନିଜ କଣ୍ଠରେ ସଜାଇଥିବା କିମ୍ବଦନ୍ତୀ ଗାୟକ ଏସ.ପି.ବାଲସୁବ୍ରମଣ୍ୟମ୍ ଆଉ ଇହ ଜଗତରେ ନାହାନ୍ତି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ନ ୧.୦୪ ମିନିଟ୍ ରେ ଆଖି ବୁଜିଦେଇଛନ୍ତି । ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ବାଲସୁବ୍ରମଣ୍ୟମ୍ ଙ୍କ ମୃତ୍ୟୁ ସାରା ଦେଶବାସୀଙ୍କୁ ଶୋକାଭିଭୂତ କରିଛି । ଭାରତୀୟ ସଙ୍ଗୀତ ଜଗତ ପାଇଁ ସୃଷ୍ଟି କରିଛି ବିରାଟ ଶୂନ୍ୟସ୍ଥାନ ।
ସମ୍ପୂର୍ଣ୍ଣ ସୁସ୍ଥ ଥିବା ବାଲସୁବ୍ରମଣ୍ୟମ୍ ଗତ ଅଗଷ୍ଟ ମାସରେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଚେନ୍ନାଇସ୍ଥିତ ଏମଜିଏମ୍ ହେଲଥକେୟାରରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତେବେ କ୍ରମଶଃ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଆଇସିୟୁ ଭେଣ୍ଟିଲେଟରରେ ରହିଥିଲେ । ଗତ ସେପ୍ଟେମ୍ବର ୭ ତାରିଖରେ ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିଲେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସି ନ ଥିଲା । ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିଲେ । ଗତକାଲି ରାତିରୁ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା । ଡାକ୍ତରମାନଙ୍କ ସକଳ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇପାରିଲେ ନାହିଁ ।
୧୯୬୬ ରେ ତେଲୁଗୁ ଫିଲ୍ମ ଶ୍ରୀ ଶ୍ରୀ ଶ୍ରୀ ମର୍ଯ୍ୟାଦା ରମନ୍ନାରୁ କ୍ୟାରିୟର୍ ଆରମ୍ଭ କରିଥିଲେ ବାଲସୁବ୍ରମଣ୍ୟମ୍ । ଦୀର୍ଘ ୫ ଦଶନ୍ଧୀ ଧରି ଚାଲିଥିଲା ତାଙ୍କର ସଫଳ ଲମ୍ବା ଯାତ୍ରା । ଦକ୍ଷିଣ ଭାରତୀୟ ଓ ହିନ୍ଦୀ ଫିଲ୍ମରେ ପ୍ରଚ୍ଛଦପଟ ଗାୟକ ଭାବେ ତାଙ୍କର ଖ୍ୟାତି ଆକାଶ ଛୁଇଁଥିଲା । ‘ଏକ ଦୁଜେ କେ ଲିୟେ’ ଫିଲ୍ମର ସେହି ଗୀତ ତେରେ ମେରେ ବିଚ୍ ମେ.. ହେଉ କି ମୈନେ ପ୍ୟାର୍ କିୟା, ରୋଜା, ବଂଶ୍ ,ଚେନ୍ନାଇ ଏକ୍ସପ୍ରେସ୍ ଆଦି ଫିଲ୍ମର ଗୀତ ତାଙ୍କୁ ହିନ୍ଦୀ ଫିଲ୍ମ ଜଗତରେ ଚିରକାଳ ଅମର କରିଦେଇଛି । ତେଲୁଗୁ, ତାମିଲ, ମାଲାୟାଲାମ୍, କାନାଡା, ହିନ୍ଦୀ ସମେତ ୧୬ ଭାଷାରେ ଏହି କିମ୍ବଦନ୍ତୀ ଗାୟକ ୪୦ ହଜାରରୁ ଅଧିକ ପ୍ରଚ୍ଛଦପଟ ଗୀତ ଗାଇଛନ୍ତି ।
୬ ଥର ଜାତୀୟ ଚଳଚିତ୍ର ପୁରସ୍କାର, ଭାରତ ସରକାରଙ୍କ ସମ୍ମାନଜନକ ପଦ୍ମଶ୍ରୀ ଏବଂ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ ବାଲସୁବ୍ରମଣ୍ୟମ୍ । କେବଳ ପ୍ରଚ୍ଛଦପଟ ଗାୟକ ନୁହଁନ୍ତି, ଭଏସ୍ ଓଭର୍ କଳାକାର ଭାବେ ତାଙ୍କର ଖ୍ୟାତି ଥିଲା । କମଲ୍ ହାସାନ୍ ଙ୍କ ପାଇଁ ସେ ଫିଲ୍ମରେ ସ୍ୱର ଦେଉଥିଲେ । କିଛି ତେଲୁଗୁ ଓ ତାମିଲ୍ ଫିଲ୍ମରେ ସେ ଅଭିନୟ ମଧ୍ୟ କରିଛନ୍ତି ।
ତାଙ୍କର ପତ୍ନୀ ଏବଂ ପୁଅ, ଝିଅ ଦୁଇସନ୍ତାନ ଅଛନ୍ତି । ଉଭୟ ସନ୍ତାନ ଦକ୍ଷିଣ ଭାରତୀୟ ଫିଲ୍ମରେ ପ୍ରଚ୍ଛଦପଟ ଗାୟକ ଭାବେ ସୁଖ୍ୟାତି ଅର୍ଜନ କରିଛନ୍ତି ।