ଭୁବନେଶ୍ୱର: ବ୍ୟୁରୋକ୍ରାଟରୁ ନେତା ପାଲଟିଥିବା ବିଜୟ ପଟ୍ଟନାୟକ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଉପରେ ଅସନ୍ତୁଷ୍ଟ ହୋଇ ସେ ଦଳ ଛାଡ଼ିଛନ୍ତି । ଆତ୍ମସମ୍ମାନ ଦୃଷ୍ଟିରୁ କଂଗ୍ରେସ ଛାଡ଼ିଲେ ବୋଲି କହିଛନ୍ତି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ଦଳକୁ ଆଗେଇ ନେବାକୁ ଚେଷ୍ଟା କରିଥିଲି । ମାତ୍ର ଦଳରେ ଗ୍ରହଣୀୟ ହୋଇପାରିଲିନି । ଦଳରେ ମୋର କୌଣସି ପ୍ରେଷ୍ଟିଜ୍ କି ସ୍ଥାନ ନ ଥିଲା । ଦଳ ପାଇଁ ମୁଁ କିଛି ଉପଯୋଗୀ ହେଉନି ବୋଲି ଅନୁଭବ କଲି । ତେଣୁ ଦଳ ଛାଡ଼ିବାକୁ ଉଚିତ୍ ମନେ କଲି । ଲୋକଙ୍କ ସେବା କରିବାକୁ ମୁଁ ରାଜନୀତିକୁ ଆସିଛି । ଦଳ ଛାଡ଼ିଲେ ମଧ୍ୟ ଲୋକଙ୍କ ପାଇଁ ସେବା ଜାରି ରଖିବି ବୋଲି କହିଛନ୍ତି ।
ଅନ୍ୟ କୌଣସି ଦଳରେ ଯୋଗଦେବେ ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ।
୧୯୭୬ ବ୍ୟାଚ୍ ଆଇଏଏସ୍ ବିଜୟ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଭାବେ ୨୦୧୩ ମସିହାରେ ଚାକିରିରୁ ଅବସର ନେଇଥିଲେ । ୨୦୨୩ ଫେବ୍ରୁଆରୀ ୧୦ରେ ସେ ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗଦେଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଦଳର ପ୍ରଚାର କମିଟି ଅଧ୍ୟକ୍ଷ କରାଯାଇଥିଲା ।
ଗତ ସାଧାରଣ ନିର୍ବାଚନରେ ସେ ପାରଳାଖେମୁଣ୍ଡି ବିଧାନସଭାରୁ ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ରହିଥିଲେ । ତାଙ୍କୁ ୩୫୬୭୪ ଖଣ୍ଡ ଭୋଟ ମିଳିଥିଲା ବେଳେ ବିଜୟୀ ପ୍ରାର୍ଥୀ ବିଜେଡିର ରୂପେଶ କୁମାର ପାଣିଗ୍ରାହୀଙ୍କୁ ମିଳିଥିଲା ୫୬୦୨୭ ଖଣ୍ଡ ଭୋଟ ।