ଭୁୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଆଉ ନାହାନ୍ତି । କରୋନାରେ ଆକ୍ରାନ୍ତ ହୋଇ ସମ୍ ଅଲଟିମେଟ୍ ରେ ଚିକିତ୍ସିତ ହେଉଥିବା ବେଳେ ଆଜି ଆଖି ବୁଜି ଦେଇଛନ୍ତି । ତାଙ୍କୁ ୬୮ ବର୍ଷ ହୋଇଥିଲା । ଜଣେ ସରଳ, ଅମାୟିକ, ସ୍ପଷ୍ଟବାଦୀ ନେତା ଭାବେ ସମସ୍ତଙ୍କର ପ୍ରିୟପାତ୍ର ଥିବା ବିଜୟଶ୍ରୀଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
ଗତ ମାସ ୪ ତାରିଖରେ ବିଜୟଶ୍ରୀ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ମାତ୍ର ତାଙ୍କ ଅବସ୍ଥାରେ ସୁଧାର ଆସି ନ ଥିଲା । ଆଜି ସକାଳୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା । ଡାକ୍ତରମାନଙ୍କ ପ୍ରବଳ ଉଦ୍ୟମ ତ୍ତାଙ୍କୁ ବଞ୍ଚାଇ ପାରି ନ ଥିଲା ।
ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନୀଳମଣି ରାଉତରାୟଙ୍କ ପୁତ୍ର ବିଜୟଶ୍ରୀ ସ୍କୁଲ ଓ କଲେଜ ଜୀବନରେ ଜଣେ ମେଧାବୀ ଛାତ୍ର ଥିଲେ । ସେ ଭୂଗୋଳରେ ଏମଏ ଗୋଲଡ ମେଡାଲିଷ୍ଟ ଥିଲେ । ପରବର୍ତ୍ତୀ ସମୟରେ ରାଜନୀତିରେ ମଧ୍ୟ ବେଶ୍ ସଫଳ ହୋଇଥିଲେ । ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନମଣ୍ଡଳୀରୁ ସେ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୦ ଓ ୧୯୯୫ରେ ଜନତା ଦଳ ଟିକେଟରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜେଡ଼ି ଟିକେଟରେ ୪ ଥର ବିଧାୟକ ହୋଇଥିଲେ । ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସେ ବହୁବାର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ରାଜସ୍ୱ, ସ୍ୱାସ୍ଥ୍ୟ ଓ ଜଙ୍ଗଲ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ସୁଚାରୂ ଭାବେ ତୁଲାଇଥିଲେ ।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ରାଜନୀତିରୁ ଅବସର ନେବାକୁ ମନସ୍ଥ କରି ନିର୍ବାଚନ ଲଢ଼ି ନ ଥିଲେ । ବିଜେଡ଼ିରୁ ତାଙ୍କ ପୁଅ ବିଷ୍ଣୁବ୍ରତ ଟିକେଟ ପାଇ ଜିତିଥିଲେ ।
ବିଜୟଶ୍ରୀଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ସବୁ ଦଳର ନେତୃମଣ୍ଡଳୀ ମଧ୍ୟ ଗଭୀର ଶୋକପ୍ରକାଶ କରିଛନ୍ତି ।