ଭୁବନେଶ୍ୱର: କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଟିକାକରଣ ଏକମାତ୍ର ବିକଳ୍ପ ହୋଇଥିବା ବେଳେ ଟିକାର ଅଭାବ ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି । ଗ୍ଲୋବାଲ୍ ଟେଣ୍ଡର ପ୍ରତି ବିଦେଶୀ ଟିକା ଉତ୍ପାଦନକାରୀ କମ୍ପାନୀ ଅନାଗ୍ରହ ଦେଖାଇ କେନ୍ଦ୍ର ସରକାରଙ୍କ ସହ ଡିଲ୍ ଚାହିଁବା ଏବଂ ଦେଶୀୟ ଟିକା ଉତ୍ପାଦନକାରୀଙ୍କ ପାଖରେ ଚାହିଦା ମେଣ୍ଟାଇବାର ସାମର୍ଥ ନ ଥିବା କାରଣରୁ ରାଜ୍ୟ ପାଇଁ ଟିକା ପାଇବା କାଠିକର ପାଠ ହୋଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା ସଙ୍କଟ ଦୂର ପାଇଁ ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହମତି ଲୋଡିଛନ୍ତି । କେନ୍ଦ୍ର ଟିକା ଆଣି ରାଜ୍ୟମାନଙ୍କୁ ବାଣ୍ଟୁ ବୋଲି ନବୀନ ଲେଖିଛନ୍ତି ।
ନବୀନ ଲେଖିଛନ୍ତି, ବର୍ତ୍ତମାନ ଦେଶ ମହାମାରୀ ସଙ୍କଟ ଦେଇ ଗତି କରୁଛି । ଦ୍ୱିତୀୟ ଲହର ଲୋକମାନଙ୍କୁ ବେଶୀ ଆତଙ୍କିତ କରିଛି । ଉଭୟ ଜୀବନ ଓ ଜୀବିକା କ୍ଷେତ୍ରରେ ସବୁ ଭାରତୀୟ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି । ସୁତରାଂ ଏଥିରୁ ମୁକ୍ତି ପାଇବାର ଏକମାତ୍ର ବାଟ ହେଉଛି ଟିକାକରଣ । ଯେଉଁ ଦେଶ ଏହାକୁ ଗୁରୁତ୍ୱ ଦେଇଛି, ସ୍ଥିତି ସେଠି ଭଲ ଅଛି । ଆମକୁ ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ କାର୍ଯ୍ୟକାରୀ କରିବାର ଅଛି । ନଚେତ୍ ଆମେ କେହି ସୁରକ୍ଷିତ ରହିପାରିବା ନାହିଁ । ରାଜ୍ୟ ରାଜ୍ୟ ମଧ୍ୟରେ ଟିକା କିଣିବା ପାଇଁ ପ୍ରତିଦ୍ୱନ୍ଦିତା ଛାଡ଼ି ସବୁ ଲୋକଙ୍କ ମଧ୍ୟରେ ଟିକା କେମିତି ପହଞ୍ଚିପାରିବ ତାହାର ବ୍ୟବସ୍ଥା କରାଯାଉ ।
ଭାରତ ସରକାରଙ୍କ ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ସାମିଲ କରାଯିବା ପରେ ଟିକାର ଚାହିଦା ବଢ଼ିଯାଇଛି । ଅନେକ ରାଜ୍ୟ ଟିକା ପାଇଁ ଗ୍ଲୋବାଲ୍ ଟେଣ୍ଡରର ଆଶ୍ରୟ ନେଇଛନ୍ତି । ମାତ୍ର ବିଦେଶୀ କମ୍ପାନୀମାନେ ରାଜ୍ୟ ସରକାରଙ୍କ ସହ ସପ୍ଲାଇ କଣ୍ଟାକ୍ଟ କରିବାକୁ ଚାହୁଁନାହାନ୍ତି । ସେଥିପାଇଁ କେନ୍ଦ୍ର ସରକାରଙ୍କ ମଂଜୁରୀ ଚାହୁଁଛନ୍ତି । ଅନ୍ୟପକ୍ଷରେ ଦେଶୀୟ କମ୍ପାନୀ ଚାହିଦା ମୁତାବକ ଟିକା ଯୋଗାଇବାକୁ ସମର୍ଥ ନୁହଁନ୍ତି ।
ଏଭଳି ସ୍ଥିତିରେ ଉତ୍ପାଦନକାରୀଙ୍କଠାରୁ କେନ୍ଦ୍ର ସରକାର ଟିକା ଆଣି ରାଜ୍ୟମାନଙ୍କୁ ବାଣ୍ଟିବା ହେଉଛି ଶ୍ରେଷ୍ଠ ବିକଳ୍ପ । ସେହିଭଳି ଟିକାକରଣ କାର୍ଯ୍ୟକ୍ରମକୁ ବିକେନ୍ଦ୍ରୀକରଣ କରାଯାଇ ନିଷ୍ପତ୍ତି ରାଜ୍ୟ ମାନଙ୍କ ଉପରେ ଛାଡ଼ିଦେବା ଉଚିତ । ଯେମିତିକି, ପାହାଡିଆ ଅଞ୍ଚଳରେ ମୋବାଇଲ୍ ନେଟୱର୍କ ନଥିବାରୁ ଅନଲାଇନ୍ ପଂଜିକରଣ ସମ୍ଭବ ନୁହେଁ । ସେ କ୍ଷେତ୍ରରେ ରାଜ୍ୟ ସରକାର କୋହଳ ନୀତି ଗ୍ରହଣ କରିପାରିବେ ।
ଏ ପ୍ରସଙ୍ଗରେ ସବୁ ରାଜ୍ୟ ଏକମତ ହୋଇ ତୁରନ୍ତ ସମସ୍ୟା ସମାଧାନ କରିବାର ଆବଶ୍ୟକତା ଅଛି । ଦଳମତ ନିର୍ବିଶେଷରେ ସମସ୍ତେ ଏକଜୁଟ୍ ହୋଇ ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ଟିକା ସଙ୍କଟ ଦୂର ପାଇଁ ନବୀନ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ।
ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଆମେ ଏଭଳି ଏକ କଠିନ ପରିସ୍ଥିତିର ସାମନା କରୁଛେ । ଏକ ସଂଘୀୟ ବ୍ୟବସ୍ଥା ଭିତରେ ଲୋକଙ୍କ ଜୀବନ ଓ ଜୀବିକା ସୁରକ୍ଷା ଆମ ପାଇଁ ସର୍ବ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ।