ଭୁୁବନେଶ୍ୱର: କୋଭିଡରେ ସ୍ୱାମୀଙ୍କୁ ହରାଇଥିବା ମହିଳା ଏବଂ ବାପା ମାଙ୍କୁ ହରାଇଥିବା ପିଲାମାନଙ୍କୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରିବା ସହିତ ଆଗାମୀ ୨ ସପ୍ତାହ ମଧ୍ୟରେ ମଧୁବାବୁ ପେନ୍ସନ୍ ଯୋଜନାରେ ସେମାନଙ୍କୁ ସାମିଲ କରାଯିବ । ସେହିପରି କୋଭିଡ ପରିସ୍ଥିତି ଦୃଷ୍ଟିରୁ ସମସ୍ତ ସାମାଜିକ ନିରାପତ୍ତା ଯୋଜନାର ହିତାଧିକାରୀ ମାନଙ୍କୁ ଆଗୁଆ ୩ ମାସର ପେନ୍ସନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ପେନ୍ସନ ନଗଦ ଟଙ୍କା ଆକାରରେ ହିତାଧିକାରୀଙ୍କ ଗାଁରେ ହିଁ ଦିଆଯିବ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ଆଗାମୀ ସପ୍ତାହ ମଧ୍ୟରେ ରାଜ୍ୟରେ କୋଭିଡ ଦ୍ବିତୀୟ ଲହରର ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଆଶାବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଅଭିଜ୍ଞତାକୁ ଉପଯୋଗ କରି ଆମକୁ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ହେବ । ପ୍ରତ୍ୟେକ ଜିଲ୍ଲାରେ ପିଲାମାନଙ୍କ ସ୍ବାସ୍ଥ୍ୟ ଉପରେ ସ୍ବତନ୍ତ୍ର ଫୋକସ ରଖି ବ୍ୟବସ୍ଥା କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ ପଜିଟିଭିଟି ରେଟ୍ ୧୫ ପ୍ରତିଶତରୁ କମ୍ ରହିଛି ଏବଂ ଅଧିକାଂଶ ଜିଲ୍ଲାରେ ପଜିଟିଭ କେସ୍ ମଧ୍ୟ ହ୍ରାସ ପାଇଲାଣି । କିନ୍ତୁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଅଧିକ ଟେଷ୍ଟିଂ କରିବାର ଆବଶ୍ୟକତା ରହିଛି । ତାସହିତ ୨୪ ମଇରୁ ଆରମ୍ଭ ହୋଇଥିବା ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ସଂପର୍କରେ ବ୍ୟାପକ ସଚେତନତା କରାଯିବା ଦରକାର । ଜିଲ୍ଲାପାଳ ମାନେ ଏହାକୁ ଅତ୍ୟନ୍ତ ଗୁରୁତ୍ବର ସହ ନେବା ସହିତ ଚିହ୍ନଟ ରୋଗୀ ମାନଙ୍କର ଚିକିତ୍ସା ପ୍ରାଥମିକତା ଭିତ୍ତିରେ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ପରିସ୍ଥିତିରେ ସଂକ୍ରମଣ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଗୋଷ୍ଠୀକୁ ସକ୍ରିୟ ଭାବରେ ସାମିଲ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ ।
ଟିକାକରଣ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭବିଷ୍ୟତ ଲହର ଏବଂ Variant ବିରୁଦ୍ଧରେ ଲଢିବା ପାଇଁ ମୁଖ୍ୟ ଅସ୍ତ୍ର ହେଉଛି ଟିକା । ସମସ୍ତ ବାଧାବିଘ୍ନ ସତ୍ତ୍ବେ ରାଜ୍ୟରେ ଟିକା ଯୋଗାଣ ବୃଦ୍ଧି ପାଇଁ ସରକାର ସବୁମତେ ଉଦ୍ୟମ ଜାରି ରଖିଛନ୍ତି ।
ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ବ୍ଲାକ ଫଙ୍ଗସର ରୋଗୀ ବହୁ ସଂଖ୍ୟାରେ ବାହାରୁଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିବା ସହିତ ରାଜ୍ୟରେ ଏହାର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ କହିଥିଲେ । ରାଜ୍ୟର ମେଡିକାଲ କଲେଜ ସମେତ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ଓ ନନ୍-କୋଭିଡ ବ୍ଲାକ୍ ଫଙ୍ଗସ ରୋଗୀଙ୍କୁ ଚିହ୍ନଟ କରି ଅଲଗା ଅଲଗା ୱାର୍ଡରେ ସେମାନଙ୍କୁ ଚିକିତ୍ସା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଗ୍ରାମାଞ୍ଚଳରେ ସଂକ୍ରମଣ ରୋକିବା ପାଇଁ ବର୍ତ୍ତମାନ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୋଷ୍ଠୀ ସଂଗଠନ ଗୁଡିକର ଯୋଗଦାନ ଏବଂ କୋଭିଡ ପରୀକ୍ଷାକୁ ଆହୁରି ଜୋରଦାର କରାଯିବ ।
ରାଜ୍ୟରେ କୋଭିଜ ପରିସ୍ଥିତି ସଂପର୍କରେ ସମ୍ୟକ ସୂଚନା ଦେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ରାଜ୍ୟରେ କୋଭିଡ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଲାଣି । ଗତ ୧୫ ଦିନ ମଧ୍ୟରେ ରାଜ୍ୟରେ ମୃତ୍ୟୁ ହାସ ୦.୩ ପ୍ରତିଶତ ରହିଛି, ଯାହାକି ସାରା ଦେଶରେ ସର୍ବନିମ୍ନ। ରାଜ୍ୟରେ ଦକ୍ଷିଣ ଓ ପଶ୍ଚିମ ଭାଗରେ ପଜିଟିଭିଟି ହାର ହ୍ରାସ ପାଇଥିବା ବେଳେ, ଉପକୂଳବର୍ତ୍ତୀ ୧୧ଟି ଜିଲ୍ଲାରୁ ରାଜ୍ୟର ମୋଟ ପଜିଟିଭ ସଂଖ୍ୟାର ୬୩ ପ୍ରତିଶତ ରହୁଛି । ତେଣୁ ଉପକୂଳ ଓଡିଶାରେ ଅଧିକ ଟେଷ୍ଟିଂ ଉପରେ ଜୋର ଦିଆଯିବ ବୋଲି ସେ କହିଥିଲେ । ଶ୍ରୀ ମହାପାତ୍ର କହିଥଲେ ବର୍ତ୍ତମାନ ରାଜ୍ୟରେ କୋଭିଡ ଚିକିତ୍ସା ପାଇଁ ICU, HDU ଓ ସାଧାରଣ ଶଯ୍ୟା ଉପରେ ଚାପ ହ୍ରାସ ପାଇଛି। ଅକ୍ସିଜେନ ବ୍ୟବହାର ଚାହିଦା ମଧ୍ୟ ହ୍ରାସ ପାଇଛି । ଏହା ପରିସ୍ଥିତିର ଉନ୍ନତିର ସୂଚନା ଦେଉଛି । ସେହିପରି ତୃତୀୟ ଲହରର ମୁକାବିଲା ପାଇଁ ପିଲାମାନଙ୍କୁ ଯତ୍ନ କିପରି ଭଲ ଭାବରେ ନିଆଯାଇପାରିବ, ସେଥିପାଇଁ ଆବଶ୍ୟକ ଡାକ୍ତର ଓ ଉପକରଣର ବ୍ୟବସ୍ଥା କରାଯାଉଛି ବୋଲି ସେ ସୂଚନା ଦେଇଥିଲେ ।
ପୋଲିସ ଡିଜି ଶ୍ରୀ ଅଭୟ ଓ ଅଗ୍ନିଶମ ଡିଜି ଶ୍ରୀ ଏମ୍. ଅକ୍ଷୟ ସେମାନଙ୍କ ବିଭାଗର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚଳନା କରିଥିଲେ ।
ମୟୁରଭଂଜ, ଭଦ୍ରକ, ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା ଓ କେନ୍ଦ୍ରାପଡାର ଜିଲ୍ଲାପାଳ ଏବଂ ବି.ଏମ୍.ସି ଓ ସି.ଏମ୍.ସି କମିଶନର ମୁଖ୍ୟମନ୍ତ୍ରୀଙ୍କୁ କୋଭିଡ ପରିଚାଳନା ସଂପର୍କରେ ଅବଗତ କରିଥିଲେ।