ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଆଜି ଶ୍ରାଦ୍ଧ ଦିବସ । ବିଜେଡି ପକ୍ଷରୁ ଶଙ୍ଖ ଭବନରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଦିଲ୍ଲୀ ଗସ୍ତରେ ଥିବା ତାଙ୍କର ପୁଅ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ଯୋଡି ହୋଇ ବିଜୁ ବାବୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଉପସ୍ଥିତ ନେତା ଓ କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ ।
ବାପାଙ୍କ ସ୍ମୃତିଚାରଣ କରି ନବୀନ କହିଥିଲେ ଯେ ବିଜୁ ବାବୁଙ୍କର ସବୁଠାରୁ ବଡ଼ ପରିଚୟ ହେଉଛି ସେ ଜଣେ ମହାନ ଦେଶଭକ୍ତ ଥିଲେ । ତାଙ୍କ ଦେଶଭକ୍ତି, ସାହାସ ଓ ସ୍ୱାଭିମାନ ପାଇଁ ସେ ଆଜି ଅମର ରହିଛନ୍ତି ଓ ରହିଥିବେ । ଏହା ଗୋଟେ ସଂଯୋଗ ଯେ ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀରେ ମହିଳା ସଂରକ୍ଷଣ ବିଲ୍ କୁ ନେଇ ସଂସଦରେ ଆଲୋଚନା ଚାଲିଛି । ବାସ୍ତବରେ ବହୁ ବର୍ଷ ତଳେ ନବେ ଦଶକରେ ବିଜୁ ବାବୁ ମହିଳା ସଶକ୍ତିକରଣ ପାଇଁ ପଦକ୍ଷେପ ନେଇଥିଲେ । ସମଗ୍ର ଦେଶରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ବିଜୁ ବାବୁଙ୍କର ଅବଦାନ ଅବିସ୍ମରଣୀୟ । ବିଜେଡି ଦୃଢ଼ତାର ସହ ଏହାକୁ ବିଶ୍ୱାସ କରେ । ସେଥିପାଇଁ ମହିଳା ସଂରକ୍ଷଣ ବିଲ୍ କୁ ଆମେ ସମର୍ଥନ କରୁଛୁ ।
ବିଜୁ ବାବୁଙ୍କୁ ବିଶ୍ୱାସଘାତକତା କରିଥିବା ନେତାଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଥିଲେ ନବୀନ । କହିଥିଲେ, ବିଜୁ ବାବୁ ଥିଲେ ଆକାଶ ପରି ବିଶାଳ । ମାଟି ପରି ସହିଷ୍ଣୁ । ହିମାଳୟ ପରି ତୁଙ୍ଗ । କିନ୍ତୁ ଓଡ଼ିଶା ରାଜନୀତିରେ କିଛି ଲୋକ ସବୁବେଳେ ‘ବିଶ୍ୱାସଘାତକ’ ଭୂମିକାରେ ଖୁସି ହୁଅନ୍ତି । ସେମାନେ ମନେ ରଖିବା ଉଚିତ୍ ଯେ ସେମାନଙ୍କର ପାପକୁ ଦୀର୍ଘ ଦିନ ଧରି ମାସ୍କରେ ଢ଼ାଙ୍କି ପାରିବେ ନାହିଁ । ଲୋକେ ଜାଣନ୍ତି କିଏ କ’ଣ ।
ଏହି ଅବସରରେ ଓଡ଼ିଶାକୁ କେନ୍ଦ୍ରୀୟ ଅବହେଳା ଏବଂ ସୀମା ପୁନଃନିର୍ଦ୍ଧାରଣ ବିଲ୍ ପ୍ରସଙ୍ଗ ଉଠାଇଥିଲେ ନବୀନ । ଓଡ଼ିଶା ବର୍ଷ ବର୍ଷ ଧରି କେନ୍ଦ୍ର ଦ୍ୱାରା ଅବହେଳିତ ହୋଇ ଆସୁଛି । ଏବେ ସୀମା ପୁନଃନିର୍ଦ୍ଧାରଣ ବିଲ୍ ଓଡ଼ିଆଙ୍କ ରାଜନୈତିକ ପରିଚୟ ଉପରେ ଏକ ବଡ଼ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି । ଓଡ଼ିଆ ସ୍ୱାଭିମାନ ଆଜି ବିପଦରେ । ଆମ ପ୍ରିୟ ଓଡ଼ିଶା ପାଇଁ ସମସ୍ତେ ଏକାଠି ଲଢ଼ିବାର ସମୟ ଆସିଛି ।
ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲେଖିଥିବା ଚିଠି ସମ୍ପର୍କରେ ଉଲ୍ଲେଖ କରି ନବୀନ କହିଥିଲେ ଓଡ଼ିଶାର ସ୍ୱାର୍ଥରକ୍ଷା ନିମନ୍ତେ ଏକ ସଂକଳ୍ପ ପାରିତ କରିବାକୁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ସେ ସେ ଅନୁରୋଧ କରିଥିଲେ । କିନ୍ତୁ ତାହାର ଉତ୍ତର ମିଳିଲା ନାହିଁ । ଏଥିରୁ ଜଣାପଡୁଛି ଯେ ରାଜ୍ୟ ସରକାର ନୀରବଦ୍ରଷ୍ଟା ହେବାକୁ ପସନ୍ଦ କରିଛନ୍ତି । ଓଡ଼ିଶା ଏବଂ ଓଡ଼ିଆଙ୍କ ସ୍ୱାର୍ଥରକ୍ଷା ବଦଳରେ ବିଜେପିର ସ୍ୱାର୍ଥରକ୍ଷା ପାଇଁ ବେଶୀ ଆଗ୍ରହୀ ବୋଲି ଜଣାପଡୁଛନ୍ତି । ଏହା କ’ଣ ଓଡ଼ିଆ ଅସ୍ମିତା ବୋଲି ନବୀନ ପ୍ରଶ୍ନ କରିଛନ୍ତି ।
ସାଂସଦମାନଙ୍କୁ ସେ ଚିଠି ଦେଇଥିବା ତାଙ୍କ ଭାଷଣରେ ଉଲ୍ଲେଖ କରିଥିବା ବେଳେ ଏହି ମୁହୂର୍ତ୍ତରେ ଆମେ ଏକାଠି ନ ଲଢ଼ିଲେ ଇତିହାସ ଆମକୁ କ୍ଷମା ଦେବ ନାହିଁ । ବିଜୁ ବାବୁ ଓଡ଼ିଆଙ୍କ ଗର୍ବର ପ୍ରତୀକ ଥିଲେ । ଆଜି ତାଙ୍କର ଶ୍ରାଦ୍ଧବାର୍ଷିକୀରେ ଆମେ ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ଏକାଠି ହୋଇ ଲଢ଼ିଲେ ତାହା ହିଁ ବିଜୁ ବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ ନବୀନ ପଟ୍ଟନାୟକ ।
ତିରୋଧାନ ଦିବସ ଅବସରରେ ଦଳ ପକ୍ଷରୁ ସକାଳେ ତିଳ ତର୍ପଣ ଅର୍ପଣ କରାଯାଇଥିଲା । ଏହାପରେ ଫରେଷ୍ଟ ପାର୍କ ଓ ଏୟାରପୋର୍ଟ ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । କ୍ୟାପିଟାଲ ହସ୍ପିଟାଲରେ ରୋଗୀମାନଙ୍କୁ ଫଳ ବଣ୍ଟନ ମଧ୍ୟ କରାଯାଇଥିଲା ।