ଭୁବନେଶ୍ୱର: ବିଜୁ ଏକ୍ସପ୍ରେସ୍ ୱେ-୧ ର ନିର୍ମାଣ କାର୍ଯ୍ୟ ସଫଳତାର ସହ ସରିବା ପରେ ରାଜ୍ୟ ସରକାର ଏବେ ବିଜୁ ଏକ୍ସପ୍ରେସ୍ ୱେ-୨ ର କାମ ଆରମ୍ଭ କରିବାକୁ ଯାଉଛନ୍ତି । ଆଜି ଦୁଇଦିନିଆ ଗଜପତି ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ନିର୍ମାଣ ସମ୍ପର୍କରେ ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସେ ସମୀକ୍ଷା କରିଛନ୍ତି ।
ରାଜ୍ୟର ଅର୍ଥନୈତିକ ଓ ସାମାଜିକ ବିକାଶ ଦୃଷ୍ଟିରୁ ବିଜୁ ଏକ୍ସପ୍ରେସ୍ ୱେ-୨ ଖୁବ୍ ଗୁରୁତ୍ୱ ବହନ କରୁଛି । ୩୦୫ କିଲୋମିଟର ଦୀର୍ଘ ଏହି ରାସ୍ତା ବ୍ରହ୍ମପୁର ସହରକୁ ଜୟପୁର ସହ ଯୋଡିବ ଏବଂ ଏହି ପ୍ରକଳ୍ପର ପାଇଁ ପ୍ରାୟ ୭୦୦୦ କୋଟି ଟଙ୍କା ବିନିଯୋଗ କରାଯିବ । ଏହା ସମ୍ପୂର୍ଣ୍ଣ ଭାବେ ଏକ ନୂଆ ପ୍ରକଳ୍ପ (Green Field Project) । ଏହା ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟ- ଏହି ୪ଟି ଜିଲ୍ଲାର ୧୫ଟି ବ୍ଲକ ଦେଇ ନିର୍ମିତ ହେବ । ଗଞ୍ଜାମରେ ୪୩ କି.ମି., ଗଜପତିରେ ୪୭ କି.ମି., ରାୟଗଡାରେ ୧୫୮ କି.ମି. ଓ କୋରାପୁଟରେ ୫୭ କି.ମି. ରାସ୍ତା ତିଆରି କରାଯିବ ।
ଏହା ଦ୍ୱାରା ବ୍ରହ୍ମପୁରରୁ ଜୟପୁରକୁ ଗସ୍ତ ସମୟ ୮ ଘଣ୍ଟାରୁ ୫ ଘଣ୍ଟାକୁ କମିଯିବ । ବ୍ରହ୍ମପୁରରୁ ମୋହନା ମାତ୍ର ୪୫ ମିନିଟ୍ ଲାଗିବ ଏବଂ ରାୟଗଡାରୁ ମୋହନା ମାତ୍ର ଦେଢ ଘଣ୍ଟା ଲାଗିବ ଯାହାକି ବର୍ତ୍ତମାନ ପ୍ରାୟ ୪ ଘଣ୍ଟା ଲାଗୁଛି । ଏହି ସଡକରେ ରାଜ୍ୟରେ ପ୍ରଥମ ଥର ପାଇଁ ପାହାଡ ଖୋଳା ଯାଇ ରାସ୍ତା ନିର୍ମାଣ କରାଯିବ ଯାହାଦ୍ୱାରା କି ସଡକର ଦୈର୍ଘ୍ୟ ପ୍ରାୟ ୨୫ ରୁ ୩୦ କି.ମି. କମିଯିବ ଏବଂ ଯିବାଆସିବା ସମୟ ମଧ୍ୟ ୨ ଘଣ୍ଟା କମ ରହିବ । ଏହା ଦ୍ୱାରା ଦକ୍ଷିଣ ଓଡିଶାରେ ଏକ ନୂଆ ଇକୋନୋମିକ୍ କରିଡର ସୃଷ୍ଟି ହୋଇପାରିବ ଏହି କାମ ତିନି ବର୍ଷ ମଧ୍ୟରେ ଶେଷ ହେବ ବୋଲି ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଥିଲେ।








