ଭୁବନେଶ୍ୱର: ମିଛ ବିଜେପିର ସବୁଠାରୁ ବଡ଼ ପରିଚୟ। ମିଛ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାକୁ ଆସିଛି। ତେଣୁ ବିଜେପିର ମିଛ ପଦାରେ ପକାଇବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆହ୍ୱାନ ଜଣାଇଛନ୍ତି। ଆଜି ଶଙ୍ଖ ଭବନରେ ଆୟୋଜିତ ବିଜୁ ମହିଳା ଜନତା ଦଳର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଓ ରାଜ୍ୟ ନେତୃବୃନ୍ଦକୁ ସମ୍ବୋଧିତ କରିବା ଅବସରରେ ଏହା କହିଛନ୍ତି।
ଶ୍ରୀ ପଟ୍ଟନାୟକ କହିଲେ ଯେ ନିର୍ବାଚନ ବେଳେ ସାରା ଦେଶରୁ ବିଜେପି ର ବଡ଼ ବଡ଼ ନେତା ଓଡିଶା ଆସିଲେ ହାତୀ ଦେବୁ ଘୋଡା ଦେବୁ କହିଲେ। କିନ୍ତୁ କାମରେ ଜିରୋ । ବିଜେପି ସୁଭଦ୍ରା ଯୋଜନାରେ ଦୁଇ ବର୍ଷରେ ସବୁ ମାଙ୍କୁ ପଚାଶ ହଜାର ଟଙ୍କା ଦେବ ବୋଲି କହିଥିଲେ। କିନ୍ତୁ ଏବେ ଅଳ୍ପ କିଛି ମା ମାନଙ୍କୁ ସୁଭଦ୍ରା ଯୋଜନାରେ ଛଅ ମାସରେ ଦେବେ ମାତ୍ର ପାଞ୍ଚ ହଜାର ଟଙ୍କା। ସେହିପରି ୩୦୦ ୟୁନିଟ ମାଗଣା ବିଜୁଳି ମଧ୍ୟ ମିଛ। ମା ମାନଙ୍କ ବିଶ୍ୱାସ ସହ ସାଧାରଣ ଲୋକଙ୍କ ବିଶ୍ୱାସ ସହ ବିଜେପି ଖେଳିବା ଉଚିତ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ରାଜ୍ୟ ର ପ୍ରତି ଘରେ ଘରେ ବିଜେପିର ମିଛ କୁ ଏକ୍ସପୋଜ୍ କରାଯିବା ଦରକାର।
ସାରା ଦେଶରେ ମହିଳା ମାନଙ୍କ ବିରୋଧ ରେ ହେଉଥିବା ଅତ୍ୟାଚାର ଘଟଣାରେ ଚିନ୍ତା ପ୍ରକଟ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆମ ସଂସ୍କୃତିରେ ମା ମାନଙ୍କୁ ଆମେ ଦେବୀ ଭାବରେ ପୂଜା କରୁ। ତେଣୁ ମା ମାନଙ୍କ ଉପରେ ଅତ୍ୟାଚାର ଇଶ୍ୱରଙ୍କ ସହ ଦ୍ରୋହ , ମାନବିକତା ବିରୁଦ୍ଧରେ ଦ୍ରୋହ ଭାବେ ବର୍ଣ୍ଣନା କରି ଥିଲେ ଏବଂ ଏଭଳି ଅପରାଧୀ ଙ୍କୁ କଠୋରରୁ କଠୋର ତମ ଦଣ୍ଡ ଦେବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ଅତ୍ୟାଚାରର ଶିକାର ହେଉଥିବା ମହିଳା ମାନଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ଶ୍ରୀ ପଟ୍ଟନାୟକ ଦଳର ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ଆମ ସମସ୍ତଙ୍କ ସାମୁହିକ ଉଦ୍ୟମ ହିଁ ମା ମାନଙ୍କ ପାଇଁ ଏକ ନିରାପଦ ଦୁନିଆ ସ୍ଥାପନ କରିବାରେ ସହାୟକ ହେବ ବୋଲି ଆଶା କରିଥିଲେ।
ସାରା ଦେଶରେ ମହିଳା ସଶକ୍ତିକରଣ ର ମୂଳଦୁଆ ବିଜୁ ବାବୁ ହିଁ ପକାଇଥିଲେ ବୋଲି ଶ୍ରୀ ପଟ୍ଟନାୟକ ସ୍ମରଣ କରାଇଦେବା ସହ ବିଜୁ ଜନତା ଦଳ ସବୁବେଳେ ମା ମାନଙ୍କ ସ୍ୱର ହୋଇ ରହିଛି ଓ ରହିବ ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମରେ ବିଧାୟିକା ପ୍ରମିଳା ମଲ୍ଲିକ, ଦେବୀପ୍ରସାଦ ମିଶ୍ର ପ୍ରମୁଖ ଉଦବୋଧନ ଦେଇଥିଲେ। ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ସ୍ୱାଗତ ଭାଷଣ ଦେଇଥିଲେ।
Continue Reading