ଭୁବନେଶ୍ୱର: ପୂର୍ବ ସରକାରଙ୍କ ଆମ ଓଡ଼ିଶା, ନବୀନ ଓଡ଼ିଶାର ଜାଗା ନେଇଛି ‘ବିକଶିତ ଗାଁ ବିକଶିତ ଓଡ଼ିଶା’ । ବିଜେପି ସରକାରଙ୍କର ଏହି ୫ ବର୍ଷିଆ ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଯୋଜନାରେ ଗାଁର ମୌଳିକ ଭିତ୍ତିଭୂମିର ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି । ସେଥିରେ ବର୍ଷକୁ ଏକ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ପାଞ୍ଚବର୍ଷରେ ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ରୁ ଏହା କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ପ୍ରକଳ୍ପ ପାଣ୍ଠି, ଜିଲ୍ଲା ପରିଷଦକୁ ପ୍ରଦାନ କରାଯିବ ଏବଂ ଜିଲ୍ଲା ପରିଷଦ ମାଧ୍ୟମରେ ଏହା ବ୍ଲକ ଓ ଗ୍ରାମ ପଞ୍ଚାୟତକୁ ଜନସଂଖ୍ୟା ଆଧାରରେ ଆବଣ୍ଟନ କରାଯିବ । ମଞ୍ଜୁର ହେଉଥିବା ଅର୍ଥ ରାଶିର ୪୦ ପ୍ରତିଶତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବା ITDA ବ୍ଲକ ପାଇଁ ଉଦ୍ଦିଷ୍ଟ ରଖାଯାଇଛି । ପୂର୍ବରୁ ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ଯେଉଁ ପ୍ରକଳ୍ପ ଗୁଡିକରେ ସର୍ବନିମ୍ନ ୨୦ ପ୍ରତିଶତ ବ୍ୟୟ ହୋଇଥିବ, ସେଗୁଡିକ ମଧ୍ୟ ଏହି ଯୋଜନାରେ ସମ୍ପୂର୍ଣ୍ଣ କରାଯିବ ।
ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । କହିଥିଲେ, ସହର ଓ ଗାଁ ଭିତରେ ବିକାଶରେ ଯେଉଁ ପାର୍ଥକ୍ୟ ଅଛି ଏହି ଯୋଜନା ତାକୁ ଦୂର କରି ମୌଳିକ ଭିତ୍ତିଭୂମିରେ ସମାନତା ଆଣିବ । ଓଡ଼ିଶାର ପ୍ରାୟ ୬୦ ହଜାର ଗାଁରେ ବିକାଶର ଗଙ୍ଗା ପ୍ରବାହିତ ହେବ । ଗାଁ ଗୁଡ଼ିକୁ ବିକାଶର ଗ୍ରୋଥ୍ ଇଞ୍ଜିନ କରିବ । ଏହି ଯୋଜନା ପ୍ରଧାନମନ୍ତ୍ରୀଙ୍କ “ସବ୍କା ସାଥ୍, ସବ୍କା ବିକାଶ୍, ସବ୍କା ବିଶ୍ୱାସ୍, ସବ୍କା ପ୍ରୟାସ୍”ର ଶ୍ରେଷ୍ଠ ନିଦର୍ଶନ ।
ମୁଖ୍ୟମନ୍ତ୍ରୀ କହିଥିଲେ, “ବିକଶିତ ଓଡିଶା ବିକଶିତ ଗାଁ” କାର୍ଯ୍ୟକ୍ରମ ଆମର ଗାଁ ଗୁଡିକର ବିକାଶ ପାଇଁ ସମ୍ପୂର୍ଣ୍ଣ ଭାବେ ସମର୍ପିତ । ଏକ ଯୋଜନାବଦ୍ଧ ଉପାୟରେ ବାର୍ଷିକ ଯୋଜନା ମାଧ୍ୟମରେ ଏହା କାର୍ଯ୍ୟକାରୀ କରାଯିବ । ଏଥିରେ ଗାଁର ରାସ୍ତାଘାଟ ସହିତ ଶିକ୍ଷା, କମ୍ୟୁନିଟି ଆସେଟ୍, ପୂଜାପାଠ ସ୍ଥାନ, କ୍ରୀଡା ଭିତ୍ତିଭୂମି, କ୍ଷୁଦ୍ର ପର୍ଯ୍ୟଟନ ପ୍ରକଳ୍ପ ଆଦିର ବିକାଶ କରାଯିବ । ଏହି ଯୋଜନାରେ ଗାଁର ମୌଳିକ ଭିତ୍ତିଭୂମିର ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି । ବିଶେଷ କରି ଗାଁ ଭିତରର ରାସ୍ତା ଓ ଗାଁକୁ ଗାଁ ସହିତ ଯୋଡୁଥିବା ରାସ୍ତା ନିର୍ମାଣ ଉପରେ ପ୍ରାଧାନ୍ୟ ଦିଆଯାଇଛି । ଏଥିରେ ପିଚୁ ରାସ୍ତା, ସିମେଣ୍ଟ କଂକ୍ରିଟ୍ ରାସ୍ତା, ପେଭର ବ୍ଲକ ରାସ୍ତା, ସେତୁ ଓ କଲଭର୍ଟ ଆଦି ନିର୍ମାଣ କରାଯାଇ ପାରିବ । ଜଙ୍ଗଲ ଅଞ୍ଚଳରେ ଥିବା ରାସ୍ତା ଗୁଡିକୁ ମଧ୍ୟ ଏଥିରେ କଂକ୍ରିଟ୍ କରାଯାଇ ପାରିବ ।
ଏହା ସହିତ ସର୍ବ ସାଧାରଣ ବ୍ୟବହାର ଉପଯୋଗୀ ସ୍ଥାନ- ଯେପରି କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ଗାଧେଇବା ଘାଟର ଉନ୍ନତି, ପରିଧାନ ପରିବର୍ତ୍ତନ ପ୍ରକୋଷ୍ଟ, ମାର୍କେଟ୍ ସେଡ୍ ଆଦି ନିର୍ମାଣ କରାଯିବ । ସେହିପରି, ପୂଜାପାଠ ସ୍ଥାନ, ତୀର୍ଥଯାତ୍ରୀଙ୍କ ପାଇଁ ମୌଳିକ ସୁବିଧାର ବିକାଶ, ଭୋଗ ମଣ୍ଡପ, ଭାଗବତ ଟୁଙ୍ଗୀ, ସାଂସ୍କୃତିକ କେନ୍ଦ୍ର ଆଦି ପ୍ରକଳ୍ପର ମଧ୍ୟ ନିର୍ମାଣ କରାଯାଇ ପାରିବ। ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ମଧ୍ୟ ଏଥିରେ ଯୋଜନା ରଖାଯାଇଛି । ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ଏବଂ ଯେଉଁ ଭିତ୍ତିଭୂମି ଅଛି ତା’ର ଉନ୍ନତି ଓ ସମ୍ପ୍ରସାରଣ ମଧ୍ୟ କରାଯାଇ ପାରିବ । ଏହା ସହିତ କ୍ରୀଡା ଭିତ୍ତିଭୂମି, କ୍ଷୁଦ୍ର ପର୍ଯ୍ୟଟନ ଭିତ୍ତିଭୂମି ଆଦି ମଧ୍ୟ ନିର୍ମାଣ କରାଯିବାର ବ୍ୟବସ୍ଥା ରହିଛି ।
ପ୍ରତ୍ୟେକ ପ୍ରକଳ୍ପର ସର୍ବନିମ୍ନ ମୂଲ୍ୟ ୩ ଲକ୍ଷ ଟଙ୍କା ରହିବ । ଏହା ଦ୍ୱାରା ଅତି ଛୋଟ ପ୍ରକଳ୍ପଟିର ମଧ୍ୟ ଗୁଣାତ୍ମକ ମାନ ବଜାୟ ରଖାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ପ୍ରକଳ୍ପ ଗୁଡିକର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଜିଲ୍ଲାପାଳ ମାନେ ଜିଲ୍ଲାସ୍ତରରେ ହେଉଥିବା କାର୍ଯ୍ୟର ତଦାରଖ କରିବେ ଏବଂ ପ୍ରକଳ୍ପ ଗୁଡିକର ନିୟମିତ ସମୀକ୍ଷା କରିବେ । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଏହି ସମୀକ୍ଷା ଓ ତଦାରଖରେ ସହାୟତା ପ୍ରଦାନ କରିବେ । ଏଥିରେ ସମାଜିକ ସମୀକ୍ଷା ବା ସୋସିଆଲ୍ ଅଡିଟ୍’ର ବ୍ୟବସ୍ଥା ମଧ୍ୟ ରଖାଯାଇଛି ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନା ଆମ ଗାଁରେ ରହୁଥିବା ୮୦ ପ୍ରତିଶତରୁ ଅଧିକ ଲୋକଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିବ । ସେମାନଙ୍କ ଦୈନନ୍ଦିନ ଜୀବନରେ ଆହୁରି ସୁବିଧା ଆସିବ, ସେମାନଙ୍କ ‘ଇଜ୍ ଅଫ୍ ଲିଭିଙ୍ଗ’ରେ ଉନ୍ନତି ଆସିବ । ଏହା ସହିତ ବିକାଶର ରାସ୍ତାରେ ଅଗ୍ରସର ହେବା ପାଇଁ ନୂଆ ରାସ୍ତା ଖୋଲିବ । ଏ ରାସ୍ତା ହେବ ସମୃଦ୍ଧ ଓଡିଶାର ହାଇ-ୱେ । ବିକଶିତ ଗାଁ, ବିକଶିତ ଓଡିଶା ।
କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ କହିଥିଲେ ଯେ, ଗ୍ରାମୀଣ ଓଡ଼ିଶାର ଜୀବନଧାରଣର ମାନ ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗ୍ରାମୀଣ ଭିତ୍ତିଭୂମିର ବିକାଶ ହେଉଛି ଏକ ଗୁରୁତ୍ଵପୂର୍ଣ୍ଣ ଉପାଦାନ । ଗ୍ରାମାଞ୍ଚଳର ଭିଭିଭୂମି ତଥା ରାଜ୍ୟର ସାମଗ୍ରିକ ବିକାଶର ଗତିକୁ ତ୍ୱରାନ୍ୱିତ କରିବା ପାଇଁ ଆମ ସରକାରଙ୍କ “ବିକଶିତ ଗାଁ ବିକଶିତ ଓଡ଼ିଶା” ଯୋଜନା ଲୋକଙ୍କପାଇଁ ଉତ୍ସର୍ଗୀକୃତ । ଏହି ଯୋଜନା ଦ୍ୱାରା ରାଜ୍ୟର ଅର୍ଥନୈତିକ, ସାମାଜିକ ତଥା ସାଂସ୍କୃତିକ ଅଭିବୃଦ୍ଧିରେ ଗ୍ରାମାଞ୍ଚଳର ଭୂମିକାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂହ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନସିଂ ପ୍ରମୁଖ ଗ୍ରାମାଞ୍ଚଳ ଜୀବନଧାରଣ ମାନରେ ଏହି ଯୋଜନା ଅଭୂତପୂର୍ବ ପରିବର୍ତ୍ତନ ଆଣିବ ବୋଲି ମତ ଦେଇଥିଲେ ।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବ ଗିରୀଶ ଏସ୍.ଏନ୍ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲାପାଳ, ଖୋର୍ଦ୍ଧା ଚଞ୍ଚଲ ରାଣା ଧନ୍ୟବାଦ ଦେଇଥିଲେ ।
ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକରୁ ଆଭାସୀ ଜରିଆରେ ବିଧାୟକ, ସାଂସଦ ଓ ପଞ୍ଚାୟତ ପ୍ରତିନିଧିମାନେ କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ ।