ପୁରୀ: ରଥଖଳାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । କୋଭିଡ୍ କଟକଣା ମଧ୍ୟରେ ଏବର୍ଷ ମଧ୍ୟ ରଥଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟ ସୁଚାରୁରୂପେ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଅଣ୍ଟା ଭିଡ଼ିଛି । ତେବେ ଏଥର ରଥ ନିର୍ମାଣରେ ନିୟୋଜିତ ସେବାୟତମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଅଭିନବ ପଦକ୍ଷେପ ଭାବେ ବାୟୋ ବବଲ୍ ବ୍ୟବସ୍ଥା କରାଯାଉଛି । କରୋନାରୁ ରକ୍ଷା ପାଇବା ପାଇଁ ଏହା ହେଉଛି ଜୈବ ସୁରକ୍ଷାର ଅଭେଦ୍ୟ ବଳୟ । ଯେଉଁଠିକି ସଂକ୍ରମଣ ଭେଦ କରିପାରିବ ନାହିଁ ।
ଆଜି ରଥ ନିର୍ମାଣ କାର୍ଯ୍ୟର ସମୀକ୍ଷା ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ରଥଖଳାରେ କାମ କରୁଥିବା ସବୁ ସେବାୟତଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି । ସମସ୍ତଙ୍କୁ ଏନ୍-୯୫ ମାସ୍କ ଯୋଗାଣ ପାଇଁ ନିଷ୍ପତ୍ତି ହୋଇଛି । ସେମାନଙ୍କ ଟେଷ୍ଟିଂ ଓ ଟିକାକରଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ପ୍ରତିଦିନ ରଥକାମର ସମୀକ୍ଷା ପାଇଁ ପୁରୀ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି । ମୋଟାମୋଟି ଭାବେ କୋଭିଡ୍ କଟକଣା ଭିତରେ ସୁରକ୍ଷିତ ଓ ଶୃଙ୍ଖଳାର ସହ ରଥ ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରିବାକୁ ସବୁପ୍ରକାର ଉଦ୍ୟମ ହେଉଥିବା କହିଛନ୍ତି ମୁଖ୍ୟ ପ୍ରଶାସକ ।
ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, କୋଭିଡ୍ ସଂକ୍ରମଣ ବଢ଼ୁଥିବାରୁ ରଥଖଳା ଭିତରକୁ ରଥକାମରେ ସଂପୃକ୍ତ ସେବାୟତଙ୍କ ବ୍ୟତୀତ ଅନ୍ୟମାନଙ୍କ ପାଇଁ ପ୍ରବେଶ କଟକଣା ଲାଗିଛି । ସନ୍ଦିଗ୍ଧ ସେବାୟତଙ୍କ ଟେଷ୍ଟ କରାଯାଇ ପ୍ରଥମେ ସେମାନଙ୍କୁ ଗୁଣ୍ଡିଚା ଭକ୍ତ ନିବାସରେ ରଖାଯାଉଛି । ନେଗେଟିଭ୍ ଥିଲେ ପୁଣି ନିଳାଦ୍ରୀ ଭକ୍ତ ନିବାସରେ ରଖାଯାଉଛି । ପଜିଟିଭ୍ ଚିହ୍ନଟ ହେଉଥିବା ସେବାୟତଙ୍କୁ ନୀଳାଚଳ ଭକ୍ତ ନିବାସରେ ରଖାଯାଇ ଚିକିତ୍ସା କରାଯାଉଛି ।
ସୂଚନାଯୋଗ୍ୟ, କଡ଼ା କଟକଣା ସତ୍ତ୍ୱେ ଇତିମଧ୍ୟରେ ରଥଖଳାରେ ନିୟୋଜିତ ୮୮ ସେବାୟତଙ୍କ ମଧ୍ୟରୁ ୮ ଜଣଙ୍କଠାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରେ ଥାଇ କାମ କରୁଥିବା ୩ ମହାରଣା ଓ ୫ ଜଣ ସେବାୟତଙ୍କୁ କରୋନା ହୋଇଛି ।