ଭୁବନେଶ୍ୱର: ୨୦୨୪ ଫେବ୍ରୁଆରୀ ମାସରେ ଭୁବନେଶ୍ୱରଠାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ । ଏହା ତିନି ଦିନ ଚାଲିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
ନିଷ୍ପତ୍ତି ଅନୁସାରେ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ‘ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଆୟୋଜନ କରାଯିବ । ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତିସମ୍ପନ୍ନ ଭାଷା ବିଜ୍ଞାନୀ ଓ ଭାଷା ବିଶେଷଜ୍ଞ ମାନଙ୍କୁ ସମ୍ମିଳନୀର ବିଷୟ ଭିତ୍ତିକ ଅଧିବେଶନରେ ବକ୍ତବ୍ୟ ରଖିବା ପାଇଁ ନିମନ୍ତ୍ରଣ କରାଯିବ । ସମଗ୍ର ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଏଥିରେ ବ୍ୟାପକ ଭାବେ ସାମିଲ କରାଯିବ । ଯୁବପିଢିଙ୍କ ମଧ୍ୟରେ ଓଡ଼ିଆ ଭାଷାର ଆଦୃତ ନିମନ୍ତେ ସେମାନଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ଏହି ସମ୍ମିଳନୀ ସମୟରେ ଶିକ୍ଷାନୁଷ୍ଠାନ/ ବିଶ୍ୱବିଦ୍ୟାଳୟମାନେ ନିଜ ନିଜର କାର୍ଯ୍ୟକ୍ରମ ଆୟୋଜନ କରିବେ ।
ଏହି ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ ଆୟୋଜନ ଦ୍ୱାରା ରାଜ୍ୟ, ରାଜ୍ୟ ବାହାରେ ଓ ବିଦେଶରେ ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ତଥା ଗବେଷଣା କାର୍ଯ୍ୟ ତ୍ୱରାନ୍ୱିତ ହେବ । ଏତଦ୍ ବ୍ୟତୀତ ମାତୃଭାଷାକୁ ସମ୍ମାନ ଦେବା ଓ ଏହାର ଉନ୍ନତି ସାଧନ କରିବା ତଥା ଆଗାମୀ ପିଢିଙ୍କ ପାଇଁ ଓଡ଼ିଆ ଭାଷାର ଅସ୍ମିତାକୁ ବଜାୟ ରଖିବା କାର୍ଯ୍ୟ ସମ୍ପାଦନରେ ଉକ୍ତ ସମ୍ମିଳନୀର ପ୍ରଭାବ ସୁଦୂର ପ୍ରସାରୀ ହୋଇପାରିବ ।
ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟ ବୈଠକର ଏହି ନିଷ୍ପତ୍ତି ପରେ ପରେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ଆର୍.କାର୍ତ୍ତିକେୟନ ଏ ସଂପର୍କରେ ଗଣମାଧ୍ୟମକୁ ବିଶଦ୍ ସୂଚନା ପ୍ରଦାନ କରିଥିଲେ ।