ଭୁବନେଶ୍ୱର: ୨୦୧୯ ନିର୍ବାଚନରେ ମୟୁରଭଞ୍ଜ ଲୋକସଭା ଆସନ ସମେତ ଜିଲ୍ଲାର ୯ଟି ବିଧାନସଭା ଆସନରୁ ୬ ଟି ଆସନ ଦଖଲ କରିଥିଲା ବିଜେପି । ତେବେ ଅଢ଼େଇ ବର୍ଷ ପରେ ଅନୁଷ୍ଠିତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ଚମତ୍କାର ପ୍ରଦର୍ଶନ କରିଥିଲା । ଜିଲ୍ଲାରେ ୫୬ ଟି ଜିଲ୍ଲା ପରିଷଦ ଆସନରୁ ୫୩ ଜିଲ୍ଲା ପରିଷଦ ଆସନ ଜିତିଥିଲା । ଆଗାମୀ ଦିନରେ ୫୬ ରୁ ୫୬ ଆସନ ବିଜେଡି ପାଖକୁ ଆସି ମ୍ୟାଜିକ୍ ହେବ ବୋଲି ଆଜି ମୟୁରଭଞ୍ଜ ଗ୍ରାଉଣ୍ଡ ଜିରୋରୁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ।
ଆଜି ମୟୁରଭଞ୍ଜ ଗସ୍ତ କରିଥିବା ଶ୍ରୀ ପାଣ୍ଡିଆନ୍ ବାରିପଦା ଛଉ ପଡ଼ିଆଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ କହିଛନ୍ତି ଯେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଅଧିକ ସୁଦୃଢ଼ ହୋଇଛି । ଓଡ଼ିଶାବାସୀଙ୍କ ପାଇଁ ନବୀନ ପଟ୍ଟନାୟକଙ୍କ ସମର୍ପଣର ସେ ବିଭିନ୍ନ ଉଦାହରଣ ଦେଇଥିଲେ । ୭୭ ବର୍ଷ ବୟସରେ ମଧ୍ୟ ଚଳଚଞ୍ଚଳ ମୁଖ୍ୟମନ୍ତ୍ରୀ ଲୋକଙ୍କ କଲ୍ୟାଣ ପାଇଁ ଅହରହ ପରିଶ୍ରମ କରୁଛନ୍ତି । ତାଙ୍କୁ ୨୪ ଘଣ୍ଟା ଦେଖି ଦେଖି ସେ ନିଜେ ପ୍ରେରଣା ପାଇଛନ୍ତି ବୋଲି ଶ୍ରୀ ପାଣ୍ଡିଆନ୍ କହିବା ସହ କର୍ମୀମାନେ ଏକଜୁଟ୍ ହୋଇ ନିଷ୍ଠାପର ଭାବେ କାମ କଲେ ଜିଲ୍ଲାର ବିକାଶ ଅଧିକରୁ ଅଧିକ ତ୍ୱରାନ୍ୱିତ ହେବ ବୋଲି କହିଥିଲେ ।

ଗଞ୍ଜାମ ଓ କେନ୍ଦ୍ରାପଡ଼ା ପରେ ଆଜି ମୟୁରଭଞ୍ଜ ଜିଲ୍ଲା ଗସ୍ତ କରିଥିଲେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସେ ସମୀକ୍ଷା କରିବା ସହିତ ସ୍ଥାନୀୟ ଜନସାଧାରଣ ଓ ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କରିଥିଲେ ।
ବାରିପଦା ବିଶ୍ୱବିଦ୍ୟାଳୟ ପଡ଼ିଆରେ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ନୂଆ ଓଡ଼ିଶା ଗଠନରେ ଯୁବଶକ୍ତିର ଯୋଗଦାନ ପାଇଁ ପ୍ରେରଣା ଦେଇଥିଲେ । ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଥିଲେ ଯେ ଏହା ଯୁବକଯୁବତୀମାନଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ସେମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହିତ ସେମାନଙ୍କର ସାମଗ୍ରିକ ବ୍ୟକ୍ତିତ୍ୱର ବିକାଶରେ ମଧ୍ୟ ସହାୟକ ହେବ । ଏଥିସହ ପାଠପଢ଼ାରେ ମଧ୍ୟ ସେମାନେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିବେ ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ ।

ଏହାପରେ ସେ ମୟୁରଭଞ୍ଜ ଜିଲ୍ଲାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ । ୧୦,୨୧୦ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପ ଦ୍ୱାରା ୨,୭୦,୯୦୦ ଏକର ଚାଷଜମି ଜଳସେଚିତ ହୋଇପାରିବ। ୨୦୨୪ ମଇ ସୁଦ୍ଧା ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଶେଷ ହେବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଜୁନ ୨୦୨୮ ସୁଦ୍ଧା ସଂପୂର୍ଣ୍ଣ ହେବ।






