ଭୁବନେଶ୍ୱର: କଥାରେ ଅଛି ଭାଗ୍ୟ ନେଇ ମଣିଷ ଜନ୍ମ ହୁଏ । କାହା ଭାଗ୍ୟରେ କେତେବେଳେ ସୁଖ ଆସେ ଆଉ କେବେ ଦୁଃଖ ଆସେ । ତେବେ ଏମିତି ପରିବାର ଅଛନ୍ତି ଯାହାଙ୍କ ଭାଗ୍ୟରେ ଦେଖିବାକୁ ମିଳେ ଅସରନ୍ତି ଦୁଃଖ । ସତେ ଯେମିତି ସେମାନଙ୍କ ଜୀବନ ଏକ ଅଭିଶପ୍ତ ଜୀବନ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବିଦ୍ୟାଭୂଷଣ ମହାନ୍ତିଙ୍କ ପରିବାର । ଅଗ୍ନିଶମ ବିଭାଗର ଏହି ପୂର୍ବତନ ଡିଜିଙ୍କ ଅଭିଶପ୍ତ ଜୀବନ କାହାଣୀର ବିନ୍ଦୁ ହୋଇଥିବା ତାଙ୍କର ହତଭାଗା ପୁଅ ଆଜି ସଂସାରରୁ ବିଦାୟ ନେଇଛନ୍ତି । ଜୀବନର ପୂର୍ଣ୍ଣିମା ରାତିକୁ ଅମାବାସ୍ୟାର ଘନ ଅନ୍ଧାରରେ ସମର୍ପି ଦେଇଥିବା ବିତ୍ତିହୋତ୍ର ଶେଷରେ ମାରାତ୍ମକ କ୍ୟାନସର୍ ରୋଗ ସହ ଲଢ଼ି ହାରିଯାଇଛନ୍ତି । ଭୁବନେଶ୍ୱରର ଏମସ୍ ହସ୍ପିଟାଲ୍ ତାଙ୍କ ଜୀବନଯାତ୍ରାର ଶେଷ ଠିକଣା ହୋଇଯାଇଛି ।
୪୨ ବର୍ଷ ବୟସ୍କ ବିତ୍ତି ଗତବର୍ଷ ଅକ୍ଟୋବର ମାସରେ ଷ୍ଟୋମାକ୍ କ୍ୟାନସରରେ ଆକ୍ରାନ୍ତ ହୋଇଥିଲେ । କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏବେ ଦେଢ଼ମାସ ହେଲା ଭୁବନେଶ୍ୱର ଏମସ୍ ହସ୍ପିଟାଲ୍ ରେ ତାଙ୍କର ଚିକିତ୍ସା ଚାଲିଥିଲା । ଗତକାଲି ରାତି ସାଢ଼େ ୧୧ଟାରେ ସେ ଆଖି ବୁଜିଦେଲେ ।
ଏକଦା ଓଡିଶା ପୁଲିସରେ ସବୁଠାରୁ ଦକ୍ଷ, ସଚ୍ଚୋଟ ଏବଂ କର୍ମନିଷ୍ଠ ଆଇପିଏସ୍ ଅଫିସର ବିଦ୍ୟାଭୂଷଣ ମହାନ୍ତିଙ୍କ ଏକମାତ୍ର ପୁଅ ଥିଲେ ବିତ୍ତିହୋତ୍ର । ଦିଲ୍ଲୀର ମ୍ୟାନେଜମେଣ୍ଟ ପାଠ ପଢ଼ୁଥିଲା ବେଳେ ୨୫ ବର୍ଷୀୟ ଏହି ଯୁବକ ୨୦୦୬ ମାର୍ଚ୍ଚରେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ । ନିଜର ଜଣେ ୨୬ ବର୍ଷୀୟ ଜର୍ମାନ ସହପାଠୀଙ୍କୁ ରାଜସ୍ଥାନର ଅଲୱାରର ଏକ ହୋଟେଲରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା । ନିଶାଶକ୍ତ ଅବସ୍ଥାରେ ବିତ୍ତି ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ବିତ୍ତିଙ୍କୁ ରାଜସ୍ଥାନ ପୁଲିସ ଗିରଫ କରିଥିଲା ।
ଫାଷ୍ଟ୍ ଟ୍ରାକ୍ କୋର୍ଟରେ ମାମଲାର ଶୁଣାଣି ହୋଇ ମାତ୍ର ୨୧ ଦିନରେ ତାଙ୍କୁ ଦଣ୍ଡାଦେଶ ହୋଇଥିଲା । ୨୦୦୬ ମାର୍ଚ୍ଚରେ ଚାର୍ଜସିଟ୍ ଦାଖଲ ହୋଇଥିଲା ଏବଂ ଏପ୍ରିଲ୍ ୧୨ରେ ରାୟ ପ୍ରକାଶ ପାଇଥିଲା । ୭ ବର୍ଷ ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା କରିଥିଲେ କୋର୍ଟ । ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ଏହି ରାୟକୁ କାଏମ ରଖିଥିଲେ । ଜେଲ୍ ରେ ଥିବା ବେଳେ ତାଙ୍କ ମା’ଙ୍କ ଦେହ ଖରାପ ହେବାରୁ ୨୦୦୬ ନଭେମ୍ବର ୨୦ରେ ୧୫ ଦିନ ପାଇଁ ବିତ୍ତି ପାରୋଲରେ ଆସିଥିଲେ । ଡିସେମ୍ବର ୪ରେ ସେ ଜେଲ୍ ଫେରିବା କଥା । ମାତ୍ର ସେ ଆଉ ଜେଲ୍ କୁ ନ ଫେରି ଫେରାର ହୋଇଯାଇଥିଲେ ।
ଫେରାର ସମୟ ମଧ୍ୟରେ ସେ ନିଜ ନାଁ ରାଘବ ରାଜନକୁ ବଦଳାଇ କେରଳର କନ୍ନୁ ଜିଲ୍ଲାରେ ଏକ ବ୍ୟାଙ୍କରେ ପିଓ ଚାକିରି କରୁଥିଲେ । ୨୦୧୩ ମାର୍ଚ୍ଚ ୮ରେ ଧରାପଡ଼ିବା ପରେ ପୂର୍ବ ମାମଲା ସହ ଫେରାର ଘଟଣାରେ ଜେଲ୍ ଯାଇଥିଲେ । ୨୦୧୭ ମାର୍ଚ୍ଚ ୩୧ରେ ସୁପ୍ରିମକୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଥିଲା । ତେବେ ତାଙ୍କ ବିରୋଧରେ ଥିବା ମାମଲା ଉପରେ ଆବେଦନଗୁଡ଼ିକର ଶୁଣାଣି କରି ସୁପ୍ରିମକୋର୍ଟ ଗତ ଜୁନ୍ ୫ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁଯାୟୀ ସେ ଚୌଦ୍ୱାର ସର୍କଲ୍ ଜେଲରେ ଆତ୍ମସମର୍ପଣ କରିଥିଲେ । ମାତ୍ର ମେଡ଼ିକାଲରେ ଚିକିତ୍ସା ପାଇଁ ତାଙ୍କୁ ଅନୁମତି ମିଳିଥିଲା ।
ଜଣେ ମେଧାବୀ ଛାତ୍ର ଭାବେ ବିତ୍ତିଙ୍କର ସୁନାମ ଥିଲା । କେବଳ ପାଠ ନୁହେଁ, ଭଲ ଗୀତ ଗାଇବା ସହ ଭଲ ଟେନିସ୍ ବି ଖେଳୁଥିଲେ । କମ୍ପ୍ୟୁଟର ଇଂଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ଦିଲ୍ଲୀ ଯାଇଥିଲେ ମ୍ୟାନେଜମେଣ୍ଟ ପଢ଼ିବାକୁ । ମାତ୍ର ଜର୍ମାନ ବାନ୍ଧବୀଙ୍କ ସହ ରାଜସ୍ଥାନ ଭ୍ରମଣ ତାଙ୍କ ଜୀବନକୁ ଛାରଖାର କରିଦେଲା । କେବଳ ତାଙ୍କର କାହିଁକି, ତାଙ୍କ ପରିବାର ବି ଛାରଖାର ହୋଇଗଲା । ଏକମାତ୍ର ପୁଅର ଛାରଖାର ହୋଇଯାଇଥିବା ଜୀବନକୁ ନେଇ ମାନସିକସ୍ତରରେ ଭାଙ୍ଗିପଡ଼ିଥିବା ଆଇପିଏସ୍ ବାପା ବିଦ୍ୟାଭୂଷଣ ମହାନ୍ତି ବି ଆଇନ ଆଖିରେ ଦୋଷୀ ହୋଇଗଲେ । ଦୁଃଖ ଓ ଯନ୍ତ୍ରଣା ଭିତରେ ଚାକିରିରୁ ବିଦାୟ ନେଲେ ।
୧୯୭୨ ବ୍ୟାଚ୍ ର ଆଇପିଏସ୍ ଅଫିସର ବିଦ୍ୟା ଭୂଷଣ ମହାନ୍ତି । ୨୦୦୬ ମସିହାରେ ଜେଲ୍ ଯାଇଥିବା ପୁଅକୁ ପାରୋଲରେ ଆଣିବାକୁ ଥିଲେ ଗ୍ୟାରେଣ୍ଟର । ମାତ୍ର ପାରୋଲରେ ଯାଇଥିବା ରେପ୍ ଭିକ୍ଟିମ୍ ପୁଅକୁ ଫେରାର କରାଇବାରେ ସେ ସହଯୋଗ କରିଥିବା ରାଜସ୍ଥାନ ପୁଲିସ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲା । ତାଙ୍କ ବିରୋଧରେ ଆଇପିସି ଧାରା ୧୨୦(ବି) ଏବଂ ୧୩୦ରେ ମାମଲା ରୁଜୁ ହେଲା ।
ଏହି ମାମଲାରେ ରାଜସ୍ଥାନର ଏକ କୋର୍ଟ ବିଦ୍ୟା ଭୂଷଣଙ୍କ ବିରୋଧରେ ୱାରେଣ୍ଟ ଜାରି କରିବା ପରେ ଓଡିଶା ସରକାର ତାଙ୍କୁ ୨୦୦୭ ଅଗଷ୍ଟ ୪ରେ ଚାକିରିରୁ ନିଲମ୍ବିତ କରିଥିଲେ । ୨୦୦୮ ଜାନୁଆରୀ ୧୧ରେ ରାଜସ୍ଥାନ ପୁଲିସ ତାଙ୍କୁ ଗିରଫ କରିଥିଲା । ପରବର୍ତ୍ତୀ ସମୟରେ ସେ ଜାମିନ୍ ରେ ଆସିଥିଲେ । ୨୦୦୯ ମେ’ ରେ ଓଡିଶା ସରକାର ତାଙ୍କ ଉପରୁ ନିଲମ୍ବନ ଉଠାଇଥିଲେ । ପୁଲିସ ବିଭାଗର ସର୍ବୋଚ୍ଚ କର୍ତ୍ତା(ଡିଜି) ହେବା ପାଇଁ ସବୁପ୍ରକାର ଯୋଗ୍ୟତା ଥାଇ ମଧ୍ୟ ସେ ସେଥିରୁ ବଞ୍ଚିତ ହୋଇ ୨୦୧୨ ମସିହାରେ ଚାକିରିରୁ ଅବସର ନେଇଥିଲେ ।
ଗୋଟେ ପଟେ ନିଜର ଇଜ୍ଜତ ଓ ମାନ ସମ୍ମାନରେ କଳାଦାଗ ଲାଗି ସାରିଥିବା ବେଳେ ଆଖି ଆଗରେ ଭେଣ୍ଡା ପୁଅର ଜୀବନ ଯନ୍ତ୍ରଣା ତାଙ୍କର ଅବସର ଜୀବନକୁ ଆହୁରି ଯନ୍ତ୍ରଣାମୟ କରିଥିଲା । ଏବେ ପୁଅ ଆରପାରିକୁ ଚାଲିଗଲା ପରେ ଜଣେ ବାପାର ଭଙ୍ଗା ହୃଦୟକୁ ସମସ୍ତେ ଅନୁଭବ କରିପାରୁଥିବେ ।