ଭୁବନେଶ୍ୱର: ପିଲାଙ୍କ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ମଝିରେ ଚୁପ୍ ପଡ଼ିଯାଇଥିବା ବିଜେଡି ପୁଣି ଜାଗି ଉଠିଛି । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଆଜି ବିଧାନସଭା ଘେରାଉ ଆନ୍ଦୋଳନ ସହ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛି । ପ୍ରବଳ ବର୍ଷା ସତ୍ତ୍ୱେ ହଜାର ହଜାର ଯୁବ ଓ ଛାତ୍ର ଆନ୍ଦୋଳନରେ ସାମିଲ ହୋଇଥିଲେ । ବିଧାନସଭାରେ ଏହି ପ୍ରସଙ୍ଗରେ ବିଜେଡି ସରକାରଙ୍କୁ ଘେରିବାରେ ସଫଳ ହୋଇଥିଲା ବେଳେ ବାହାରେ ଦଳର ଯୁବ ଓ ଛାତ୍ର ସଂଗଠନ ନେତୃତ୍ୱରେ ଆନ୍ଦୋଳନ ପ୍ରଭାବଶାଳୀ ହୋଇଛି । ଦଳର ସବୁ ନେତାମାନଙ୍କୁ ଆନ୍ଦୋଳନରେ ସାମିଲ କରାଇବାରେ ଏହି ଦୁଇ ଛାମୁଆଁ ସଂଗଠନ ସଫଳ ହୋଇଛନ୍ତି ।
ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି ପାଇଁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ବିଜେଡି । ଏଥିସହ ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କୁ ଯଥାଶୀଘ୍ର ସଂଶୋଧିତ ଓ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଉ । ଆଉ କିଛି ଦିନ ପରେ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ତ୍ରୁଟିପୂର୍ଣ୍ଣ ପୁସ୍ତକ ପଢ଼ି ଛାତ୍ରଛାତ୍ରୀ ମାନେ କିପରି ପରୀକ୍ଷା ଦେବେ ବୋଲି ପ୍ରଶ୍ନ କରାଯାଇଛି । ନୂତନ ପୁସ୍ତକ ପ୍ରକାଶନ କରିବା ଟେଣ୍ଡର ବିଜେପିର ପ୍ରଭାବଶାଳୀ ନେତାଙ୍କୁ ପ୍ରଦାନ କରାଯାଇଥିଲା । ଉକ୍ତ ପ୍ରକାଶନ ସଂସ୍ଥାକୁ ସହାୟତା କରିବା ପାଇଁ ତ୍ରୁଟି ଗୁଡିକ ପ୍ରତି ରାଜ୍ୟ ସରକାର ଆଖି ବୁଜି ଦେଇଛନ୍ତି । ପୁସ୍ତକ ପ୍ରକାଶନରେ ୩୮୦ କୋଟି ଟଙ୍କାର ଦୁର୍ନୀତି ହୋଇଛି । ଏହି ଦୁର୍ନୀତିରେ ବିଭାଗୀୟ ମନ୍ତ୍ରୀ ଗଣ୍ଡ ସାମିଲ୍ ଅଛନ୍ତି । ଇସ୍ତଫା ଦାବି ସତ୍ତ୍ୱେ ଗଣ୍ଡ ମନ୍ତ୍ରୀ ପଦ ଛାଡୁ ନଥିବା ବେଳେ ମୁଖ୍ୟମନ୍ତ୍ରୀ ଚୁପ ହୋଇ ବସିଛନ୍ତି । ମଙ୍ଗଳବାର ଠାରୁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ଦିଆଯାଇଛି । ବୁଧବାର ସାରା ରାଜ୍ୟରୁ ହଜାର ହଜାର ଯୁବ, ଛାତ୍ର ଓ ବୁଦ୍ଧିଜୀବୀ ବିଧାନସଭା ଘେରାଉରେ ସାମିଲ ହୋଇଥିଲେ । ଆନ୍ଦୋଳନରେ ବିଜେଡି ବିଧାୟକ, ସାଂସଦ ଓ ବରିଷ୍ଠ ନେତୃବୃନ୍ଦ ମାନେ ଯୋଗ ଦେଇଥିଲେ ।
ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଥିଲେ, ଭବିଷ୍ୟତ ପିଢ଼ିକୁ ନଷ୍ଟ କରିବାକୁ ବିଜେପି ସରକାର ଚକ୍ରାନ୍ତ କରିଛନ୍ତି । ଡବଲ ଇଞ୍ଜିନ ସରକାରର ଚକ୍ରାନ୍ତ ବିରୋଧରେ ବିଜେଡି ଜୋରଦାର ଲଢେଇ ଜାରି ରଖିଛି । ଶିକ୍ଷା ବଞ୍ଚାଅ ଆନ୍ଦୋଳନ ଜରିଆରେ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ ହେବା ପରେ ବିଧାନସଭା ଘେରାଉ କରି ଯୁବ ଓ ଛାତ୍ର ମାନେ ରଣହୁଙ୍କାର ଦେଇଛନ୍ତି । ବିଜେପି ସରକାର ସବୁ ଜାଣି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ପିଲାମାନଙ୍କ ପରୀକ୍ଷା ଆଉ ଅଳ୍ପ ଦିନ ରହିଲା । ୩୮୦ କୋଟି ଟଙ୍କାର ଦୁର୍ନୀତି କରି ପିଲାଙ୍କ ଭବିଷ୍ୟତ ସହ ଖେଳିବା ଆଉ ଚଳିବ ନାହିଁ । ଗଣଶିକ୍ଷା ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ବରଖାସ୍ତ କରନ୍ତୁ । ଯଦି ମୁଖ୍ୟମନ୍ତ୍ରୀ ତାହା କରିପାରୁ ନାହାନ୍ତି, ତେବେ ନିଜ ଦାୟିତ୍ୱରୁ ଅପସରି ଯାଆନ୍ତୁ । ନଚେତ ବିଜେଡି ପକ୍ଷରୁ ଆଗକୁ ଆହୁରି ଜୋରଦାର ବିରୋଧ କରାଯିବ ।
ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ କହିଥିଲେ , କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବିଜେପି ସରକାରଙ୍କ ଆଖି ଖୋଲିବା ପାଇଁ ବିଧାନସଭା ଘେରାଉ କରାଯାଇଛି । ବିଜେପି ସରକାର ବିରୋଧରେ ଜନଆକ୍ରୋଶ ଦିନକୁ ଦିନ ତୀବ୍ରତର ହେଉଛି । ଲୋକଙ୍କୁ ଭ୍ରମିତ କରିବା ପାଇଁ କେବଳ ମିଥ୍ୟା ପ୍ରଚାର କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଛାତ୍ରଛାତ୍ରୀଙ୍କୁ ମିଳିପାରିଲା ନାହିଁ । ଜେନ ଜି ଓ ଜେନ୍ ଆଲଫା ମାନଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ସରକାର । ଓଡ଼ିଶାବାସୀ ବିଜେପି ସରକାରକୁ ଭଲ ଭାବେ ଜାଣି ସାରିଲେଣି, ଆଗାମୀ ଦିନରେ ଏହାର ଉଚିତ ଜବାବ ଦେବେ । ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କ ଅଧିକାର ପାଇଁ ବିଜେଡି ଲଢେଇ ଜାରି ରଖିବ ।
ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ ଯେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପାଇଁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ନଷ୍ଟ ହୋଇଛି । ପରୀକ୍ଷା ଆଉ ଅଳ୍ପ ଦିନ ବାକି ଥିବାବେଳେ ସଂଶୋଧିତ ପୁସ୍ତକ ତୁରନ୍ତ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଉ । ବିଜେପିର ନେତା ଓ ମନ୍ତ୍ରୀଙ୍କ ପିଲା ମାନେ ସୁନ୍ଦର ଭବିଷ୍ୟତ ପାଇଁ ବିଦେଶରେ ଘରୋଇ ଶିକ୍ଷାନୁଷ୍ଠାନରେ ପାଠ ପଢୁଛନ୍ତି । କିନ୍ତୁ ରାଜ୍ୟ ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲା ମାନେ ନିମ୍ୱୁଡା ନିମ୍ୱୁଡ଼ା ଓ ଝାଲ ମୁଢ଼ି କେମିତି ପ୍ରସ୍ତୁତି ହେବ ତାହାକୁ ପଢ଼ିବେ । ସରକାରୀ ବିଦ୍ୟାଳୟର ପିଲା ମାନଙ୍କ ଭବିଷ୍ୟତ ସହ ସରକାର କାହିଁକି ଖେଳୁଛନ୍ତି ? ଶିକ୍ଷା ବ୍ୟବସ୍ଥାକୁ ବଞ୍ଚାଇବା ପାଇଁ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନଦେବା ପର୍ଯ୍ୟନ୍ତ ବିଜେଡି ଲଢେଇ ଜାରି ରଖିବ ।
ବିଜେଡିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଅଶୋକ ପଣ୍ଡା, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ପ୍ରତାପ ଦେବ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ସୁଦାମ ମାରାଣ୍ଡି, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଡ. ଅରୁଣ କୁମାର ସାହୁ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁ, ବଦ୍ରିନାରାୟଣ ପାତ୍ର,ଗଣେଶ୍ୱର ବେହେରା, ପଦ୍ମନାଭ ବେହେରା, ସ୍ନେହାଙ୍ଗିନୀ ଛୁରିଆ, ସୁଲତା ଦେଓ, ସୁଭାଶିଷ ଖୁଣ୍ଟିଆ, ଶର୍ମିଷ୍ଠା ସେଠୀ, ଡ. ଲେଖାଶ୍ରୀ ସାମନ୍ତସିଂହାର, ବ୍ରଜକିଶୋର ପ୍ରଧାନ, କଳିକେଶ ନାରାୟଣ ସିଂଦେଓ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଧ୍ରୁବଚରଣ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।