-ମେଣ୍ଟ ନେଇ ଚର୍ଚ୍ଚା ହୋଇଛି । କେନ୍ଦ୍ରୀୟ କମିଟି ନିଷ୍ପତ୍ତି ନେବ-ଜୁଏଲ୍
-ଓଡ଼ିଶାର ସ୍ୱାର୍ଥକୁ ଦେଖି ନିଷ୍ପତ୍ତି-ଦେବୀ, ଅରୁଣ
ଭୁବନେଶ୍ୱର: ଯାହା ଚର୍ଚ୍ଚା ହେଉଥିଲା, ସତ ହେବାକୁ ଯାଉଛି । ୧୫ ବର୍ଷ ପରେ ପୁଣି ହାତ ଧରାଧରି ହେବେ ବିଜେଡି ଏବଂ ବିଜେପି । ଏନଡିଏକୁ ଫେରିବ ବିଜେଡି । ଆଜି ଦିଲ୍ଲୀରେ ଓଡ଼ିଶା ନେତାଙ୍କୁ ନେଇ ଜେପି ନଡ୍ଡା ଏବଂ ଅମିତ୍ ଶାହାଙ୍କ ବିଜେପି କୋର୍ କମିଟି ମିଟିଂ ଏବଂ ନବୀନ ନିବାସରେ ବରିଷ୍ଠ ବିଜେଡି ନେତାଙ୍କୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଘନ ଘନ ବୈଠକ ପରେ ଏହାର ସ୍ପଷ୍ଟ ସଙ୍କେତ ମିଳିଯାଇଛି । ଦୁଇ ଦଳ ପକ୍ଷରୁ ଆନୁଷ୍ଠାନିକ ଘୋଷଣାକୁ କେବଳ ଅପେକ୍ଷା କରାଯାଇଛି ।
ବିଜେପିର ଦିଲ୍ଲୀ ବୈଠକ ଏବଂ ଭୁବନେଶ୍ୱରରେ ନବୀନ ନିବାସ ବୈଠକରୁ ମେଣ୍ଟର ଏମିତି ସଙ୍କେତ ମିଳିଛି । ଦିଲ୍ଲୀ ବୈଠକ ମଝିରୁ ଜୁଏଲ୍ ଓରାମ୍ ବାହାରକୁ ଆସି ସାମ୍ବାଦିକଙ୍କ ପ୍ରଶ୍ନରେ ମେଣ୍ଟ ଆଲୋଚନାକୁ ସ୍ୱୀକାର କରିଥିଲେ । କହିଥିଲେ ମେଣ୍ଟ ନେଇ ବୈଠକରେ ଚର୍ଚ୍ଚା ହୋଇଛି । ତେବେ କେନ୍ଦ୍ରୀୟ କମିଟି ନିଷ୍ପତ୍ତି ନେବ ।
ଏପଟେ ନବୀନ ନିବାସରେ ଦୁଇଟି ପର୍ଯ୍ୟାୟର ବୈଠକ ସରିବା ପରେ ବାହାରକୁ ଆସି ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏବଂ ଅରୁଣ ସାହୁ ଗଣମାଧ୍ୟମକୁ କହିଥିଲେ ଯେ ବୈଠକରେ ସବୁ ବିଷୟ ଆଲୋଚନା ହୋଇଛି । ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡି କାମ କରୁଛି । ଓଡ଼ିଶାର ସ୍ୱାର୍ଥକୁ ଆଖିରେ ରଖି ଯାହା ନିଷ୍ପତ୍ତି ଦରକାର ନିଆଯିବ ।
ଏହି ଦୁଇପକ୍ଷର ବୟାନରୁ ଏତିକି ସ୍ପଷ୍ଟ ଯେ ମେଣ୍ଟ ନେଇ ଆଲୋଚନା ହୋଇଛି । ଆଉ ସଙ୍କେତ ଏୟା ଯେ ମେଣ୍ଟ ନେଇ ଖୁବ୍ ଶୀଘ୍ର ଘୋଷଣା ହୋଇଯିବ ।
ସୂଚନାଥାଉକି, ବିଜେଡି- ବିଜେପି ମେଣ୍ଟ ଚର୍ଚ୍ଚା ଖବରକୁ ପୂର୍ବରୁ ଉଭୟ ଦଳ ଗୁଜବ କହି ଉଡ଼ାଇ ଦେଇଥିଲେ । ଗତକାଲି ବିଜୁବାବୁଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ଏବଂ ଚଣ୍ଡିଖୋଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପରଷ୍ପରକୁ ପ୍ରଶଂସା କରିବା ଏବଂ ମୋଦୀ ଗ୍ୟାରେଣ୍ଟି ସମାବେଶରେ ପ୍ରଧାନମନ୍ତ୍ରୀ ବିଜେଡି ସରକାର ବିରୋଧରେ ପଦୁଟିଏ ନ କହିବା, ଓଡ଼ିଶାରେ ମେଣ୍ଟ ଚର୍ଚ୍ଚାକୁ ପୁଣି ବଢ଼ାଇ ଦେଇଥିଲା ।
ଏତିକିବେଳେ ଆଜି ଅଚାନକ ରାଜ୍ୟ ବିଜେପି ସଭାପତିଙ୍କ ସମେତ କୋର୍ କମିଟି ସଦସ୍ୟଙ୍କୁ ଦିଲ୍ଲୀରୁ ଡକରା ଆସିଥିଲା । ଏପଟେ ବିଜେଡିର ବରିଷ୍ଠ ନେତାମାନଙ୍କୁ ନବୀନ ନିବାସରୁ ଡକରା ଆସିଥିଲା । ଅପରାହ୍ନ ସାଢ଼େ ତିନିଟାରେ ପ୍ରାୟ ୨୦ ଜଣ ନେତାଙ୍କ ସହ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ପର୍ଯ୍ୟାୟରେ ପ୍ରାୟ ଅଢ଼େଇ ଘଣ୍ଟା ଧରି ବୈଠକ କରିଥିଲେ ।
ସେପଟେ ଦିଲ୍ଲୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ରାଜ୍ୟ କୋର୍ କମିଟି ବୈଠକ ଚାଲିଛି । ଏହି ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ବୈଠକ ଜାରି ରହିଛି । ଏଥିରେ ଗୃହମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଉପସ୍ଥିତ ଅଛନ୍ତି ।