ଭୁୁବନେଶ୍ୱର: ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଆଜି କଂଗ୍ରେସକୁ ଫେରିଛନ୍ତି । ଦିଲ୍ଲୀ ଏଆଇସିସି ଅଫିସରେ ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି । ତିନି ଥରିଆ ବିଧାୟକ ଏବଂ ଚାରି ଥରିଆ ସାଂସଦ ଶ୍ରୀ ଜେନା ୨୦୧୯ ମସିହାରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସରୁ ବହିଷ୍କୃତ ହୋଇଥିଲେ । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କର ଘୋର ବିରୋଧୀ ଭାବେ ପରିଚିତ ଏହି ଭେଟେରାନ୍, କଂଗ୍ରେସରୁ ତଡ଼ା ଖାଇଲା ପରେ ଅନ୍ୟ କୌଣସି ଦଳରେ କିନ୍ତୁ ଯୋଗ ଦେଇ ନ ଥିଲେ ।
କଂଗ୍ରେସକୁ ଫେରିବା ପରେ ଶ୍ରୀକାନ୍ତ ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ଛାତ୍ରାବସ୍ଥାରୁ ସବୁବେଳେ କଂଗ୍ରେସ ଲୋକ ହୋଇ ରହି ଆସିଛି । ମାତ୍ର କିଛି ଭୁଲ୍ ବୁଝାମଣା କାରଣରୁ ମୁଁ କଂଗ୍ରେସରୁ ଦୂରେଇ ଯାଇଥିଲି । ଯାହାର ସମାଧାନ ହୋଇଯାଇଛି । ମୁଁ ଦଳ ପାଇଁ କାମ କରି ଆସିଛି ଏବଂ ଏଠାକୁ ଫେରି ଆଜି ବହୁତ ଖୁସି । ଓଡିଶାରେ ବିଜେଡି-ବିଜେପି ହାତ ମିଳାଇବା କଂଗ୍ରେସ ପାଇଁ ଏକ ବଡ଼ ଆହ୍ୱାନ ଓ ସୁଯୋଗ ଆଣିଛି । ସେମାନଙ୍କର ପ୍ରକୃତ ସ୍ୱରୂପ ପଦାରେ ପଡ଼ିଥିବାରୁ କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟ ସେମାନଙ୍କୁ ପରାସ୍ତ କରିବ ବୋଲି ସେ କହିଛନ୍ତି ।
କେଉଁଠାରୁ ନିର୍ବାଚନ ଲଢ଼ିବେ ଦଳ ତାହା ସ୍ଥିର କରିବ ବୋଲି ଶ୍ରୀ ଜେନା କହିଛନ୍ତି ।