ଭୁବନେଶ୍ୱର: ଆସନ୍ତା ୨୯ ତାରିଖ ଦିନ ଭୁବନେଶ୍ୱରରେ ବିଜେଡି ଏବଂ ବିଜେପି ପକ୍ଷରୁ ବିଶାଳ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ‘ଜନସମ୍ପର୍କ ପଦଯାତ୍ରା’ ଆରମ୍ଭ କରୁଥିବା ବିଜେଡି ପ୍ରଥମ ଥର ପାଇଁ ଦୁଇଦିନିଆ ପ୍ରଶିକ୍ଷଣ ଶିବିରର ଆୟୋଜନ କରିଥିବା ବେଳେ ଓଡ଼ିଶା ଆସୁଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କ ପାଇଁ ଦଳ ପକ୍ଷରୁ ବିରାଟ ଆୟୋଜନ ହୋଇଛି । ବିଜେଡି କାର୍ଯ୍ୟକ୍ରମ ବରମୁଣ୍ଡା ଖେଳପଡ଼ିଆରେ ଏବଂ ବିଜେପି କାର୍ଯ୍ୟକ୍ରମ ଜନତା ମଇଦାନରେ ଅନୁଷ୍ଠିତ ହେବ ।
ଏବର୍ଷ ବିଜେଡିର ମାସିକିଆ ଜନସମ୍ପର୍କ ପଦଯାତ୍ରା ବିଶାଳ ଓ ଭିନ୍ନ ଢ଼ଙ୍ଗରେ କରିବାକୁ ଯୋଜନା କରାଯାଇଛି । ପଦଯାତ୍ରା ଢ଼ାଞ୍ଚାରେ ପରିବର୍ତ୍ତନ ହେବ । ଅକ୍ଟୋବର ୨ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଗାଁରୁ ସହର ଯାଏ ଲୋକଙ୍କ ସହ ବ୍ୟାପକ ଭାବରେ ଯୋଡିହେବେ ଦଳୀୟ ନେତା ଓ କର୍ମୀ । ଘରେ ଘରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଜଣାଇବେ । ରକ୍ତଦାନ ଶିବିର, ବୃକ୍ଷରୋପଣ ଭଳି ଜନକଲ୍ୟାଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ । ଆଉ ମାସେ ପରେ ଏହି କାର୍ଯ୍ୟକ୍ରମର ରେଜଲ୍ଟ ଦେଖିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥିପାଇଁ କାହାରିକୁ ଫୁରସତ୍ ନ ଦେବାକୁ ଦଳୀୟ ରଣନୀତି ପ୍ରସ୍ତୁତ ହୋଇଛି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହାର ତତ୍ତ୍ୱାବଧାନ କରୁଛନ୍ତି ।
କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରଥମ ଥର ପାଇଁ ବିଜେଡି ପକ୍ଷରୁ ୨୯ ଓ ୩୦ ତାରିଖରେ କର୍ମଶାଳାର ଆୟୋଜନ କରାଯାଇଛି । ବିଧାୟକ, ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀ, ରାଜ୍ୟସ୍ତରୀୟ ଯୁବ, ଛାତ୍ର ଓ ମହିଳା କମିଟି କର୍ମକର୍ତ୍ତାମାନେ ଏଥିରେ ଯୋଗଦେବେ ।
୨୯ ରେ ଜିଲ୍ଲା, ଜୋନ୍, ବ୍ଲକ୍, ପୌରାଞ୍ଚଳର ଯୁବ, ଛାତ୍ର ଓ ମହିଳା ସଭାପତିଙ୍କ ସମେତ କଟକ ଓ ଭୁବନେଶ୍ୱରର ଛାତ୍ର ବିଜେଡି କ୍ୟାମ୍ପସ କମିଟି ସଦସ୍ୟ ଉପସ୍ଥିତ ରହିବେ । ୩୦ ରେ ଜିଲ୍ଲା ପରିଷଦ ସଭାପତି, ଉପସଭାପତି, ସଭ୍ୟ, ବ୍ଲକ ସଭାପତି, ବ୍ଲକ ଉପସଭାପତି, ପୌରାଧ୍ୟକ୍ଷ ଓ ଉପାଧ୍ୟକ୍ଷ ଉପସ୍ଥିତ ରହିବେ ।
ଏଥିପାଇଁ ବରମୁଣ୍ଡା ଖେଳପଡ଼ିଆଠାରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ସମସ୍ତ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ଡ. ଅରୁଣ ସାହୁ, ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ ଏବଂ ଦେବୀ ରଞ୍ଜନ ତ୍ରିପାଠୀ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।








