ଭୁୁବନେଶ୍ୱର: କଟକ ସାଂସଦ ଭର୍ତ୍ତୃହରି ମହତାବ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ବିଜେଡିରେ ତାଙ୍କ ହୃଦୟ ଭାଙ୍ଗିଯିବାରୁ ସେ ଦଳଠାରୁ ସମ୍ପର୍କ ଛିନ୍ନ କଲେ ବୋଲି କହିଥିଲେ । ଦଳର ପରିଚାଳନାକୁ ନେଇ ପ୍ରଶ୍ନ କରିଥିଲେ । ତେବେ ବିଜେଡି ଏକ ପ୍ରେସମିଟ୍ ରେ ଭର୍ତ୍ତୃହରିଙ୍କ ଇସ୍ତଫାର କାରଣ ଖୁଲାସା କରିଛି ।
ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଧାରଣ ସମ୍ପାଦକ ତଥା ବରିଷ୍ଠ ବିଧାୟକ ପ୍ରତାପ ଜେନା କହିଛନ୍ତି, ଭର୍ତ୍ତୃହରି ମହତାବଙ୍କୁ ଛ ଛ ଥର ବିଜେଡିରୁ ଟିକେଟ୍ ଦିଆଯାଇ ଦିଲ୍ଲୀ ପଠାଯାଇଥିଲା । ୨୦୧୪ ଓ ୨୦୧୯ରେ ଶେଷ ମୁହୂର୍ତ୍ତରେ ତାଙ୍କୁ ଟିକେଟ ଦିଆଯାଇଥିଲା । କାରଣ ସମଗ୍ର ନିର୍ବାଚନମଣ୍ଡଳୀରେ ତାଙ୍କ ସ୍ଥିତି ଭଲ ନ ଥିଲା ଏବଂ ଲୋକଙ୍କଠାରୁ ଦୂରେଇ ଯାଇଥିଲେ । ଏଥର ସେ ଜାଣିସାରିଥିଲେ ଯେ ଆଉ ଟିକେଟ ପାଇବେ ନାହିଁ । ଏ ନେଇ ଦଳରୁ ଇସାରା ବି ପାଇଥିଲେ ।
ଏହି ପରିପ୍ରେକ୍ଷୀରେ ସେ ବହୁଦିନ ଧରି ବିଜେପି ସହ ସମ୍ପର୍କରେ ଥିଲେ । ଟିକେଟ ଓ ପଦପଦବୀ ଲୋଭରେ ସେ ବିଜେପିକୁ ଯାଇଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି ।
ତେବେ ଏ ନେଇ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା ମିଳିନାହିଁ ।