ଭୁବନେଶ୍ୱର: ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ସମ୍ଭାବନାକୁ ନେଇ ଲାଗିରହିଥିବା ଚର୍ଚ୍ଚାରେ ବିଜେଡି ବି ଆଜି ପୂର୍ଣ୍ଣଚ୍ଛେଦ ପକାଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ‘ଏକ୍ସ’ ପୋଷ୍ଟର ଜବାବରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସ ମଧ୍ୟ ଏକ ପୋଷ୍ଟ କରିଛନ୍ତି । ବିଜେଡି ସମସ୍ତ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ଓ ସମସ୍ତ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରିବ ବୋଲି ସେ ଲେଖିଛନ୍ତି । ଖାଲି ସେତିକି ନୁହେଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ତିନି ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟୀ ହେବ ବୋଲି ସେ ଦୃଢ଼ତା ଦେଖାଇଛନ୍ତି ।
ବବି ଲେଖିଛନ୍ତି-
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଆସ୍ଥା ବଦଳରେ ବିଜେଡି ରାଜ୍ୟର ସେବା କରିବା ସହ ସବୁ କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ଆଣିଛି ।
ବିଜେଡି ସମସ୍ତ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ଓ ସମସ୍ତ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରିବା ସହିତ ଓଡ଼ିଶାବାସୀଙ୍କ ସମର୍ଥନ ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ତିନି ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟୀ ହେବ ।
ରାଷ୍ଟ୍ର ଗଠନ ପାଇଁ ସହକାରୀ ସଂଘବାଦ(Cooperative Federalism) ଓ ରାଷ୍ଟ୍ରନୀତିଜ୍ଞତା(Statesmanship) ମନୋଭାବ ସହିତ ଓଡ଼ିଶାବାସୀଙ୍କୁ ସବୁବେଳେ ଆଗଧାଡ଼ିରେ ରଖି ସେମାନଙ୍କ କଲ୍ୟାଣ ପାଇଁ ବିଜେଡି ନିଷ୍ପତ୍ତି ନେବ ।
ନୂତନ ଓ ସଶକ୍ତ ଓଡ଼ିଶା ଆମର ଲକ୍ଷ୍ୟ ହେବ ଏବଂ ଆମର ଲୋକପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମେ ଏହାକୁ ହାସଲ କରିବା ଦିଗରେ ଆଗେଇ ଚାଲିଛୁ ।







