ଭୁବନେଶ୍ୱର: ବିଜୁ ଜନତା ଦଳର ଦୁଇ ପ୍ରମୁଖ ଛାମୁଆ ସଂଗଠନ ଯୁବ ଓ ଛାତ୍ରର ମୁଖିଆ ଅଙ୍କ ଛିଣ୍ଡିଛି । ଚାନ୍ଦବାଲି ବିଧାୟକ ବ୍ୟୋମକେଶ(ବାପି) ରାୟ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ମନୋନୀତ ହୋଇଥିଲା ବେଳେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ବିଜୁ ଛାତ୍ର ଜନତା ଦଳର ସଭାପତି ହୋଇଛନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତିକୁ ଆଜି ଦଳର ସାଧାରଣ ସମ୍ପାଦକ(ମିଡିଆ ବ୍ୟାପାର) ମାନସ ମଙ୍ଗରାଜ ଏକ ପ୍ରେସ୍ ଇସ୍ତାହାରରେ ଘୋଷଣା କରିଛନ୍ତି ।
ବାପି ରାୟ ପୂର୍ବରୁ ଛାତ୍ର ବିଜେଡ଼ିର ସଭାପତି ଥିଲେ । ଜଣେ ଦକ୍ଷ ସଂଗଠକ ଭାବେ ତାଙ୍କର ସୁନାମ ରହିଛି । ସେହିଭଳି ପ୍ରଥମ ଥର ପାଇଁ ବାଙ୍କୀରୁ ବିଧାୟକ ହୋଇଥିବା ଦେବୀରଞ୍ଜନ ଛାତ୍ର ଜୀବନରୁ ଜଣେ ଦକ୍ଷ ସଂଗଠକ ଭାବେ ଜଣାଶୁଣା । ପୂର୍ବତନ ବିଧାୟକ ତଥା ବିଜେଡ଼ିର ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀଙ୍କର ସେ ପୁଅ ।
ସୂଚନାଯୋଗ୍ୟ, ଦୀର୍ଘ ଦିନ ଧରି ଯୁବ ଓ ଛାତ୍ର ସଂଗଠନର ନେତୃତ୍ୱକୁ ନେଇ ଦଳରେ ଅଙ୍କକଷା ଚାଲିଥିଲା । ସଭାପତି ଅଙ୍କ ଛିଣ୍ଡିବା ପୂର୍ବରୁ ଗତ ସପ୍ତାହରେ ଦୁଇ ସଂଗଠନର ପୁନର୍ଗଠନ ସରିଯାଇଛି ।