ଭୁବନେଶ୍ୱର: ଏସଆଇଆର ପ୍ରକ୍ରିୟାରେ ଫର୍ମ-୬ରେ ସଂଶୋଧନ କରିବାର କ୍ଷମତା ନିର୍ବାଚନ କମିସନଙ୍କ ପରିସରଭୁକ୍ତ ନୁହେଁ । ଏ ନେଇ ନିର୍ବାଚନ ଦେଇଥିବା ସଫେଇକୁ ସୁପ୍ରିମକୋର୍ଟ ଆଜି ଖଣ୍ଡନ କରିଛନ୍ତି । ଫର୍ମ-୬ରେ ସଂଶୋଧନକୁ ସୁପ୍ରିମକୋର୍ଟ ଅନୁମୋଦନ ଦେଇନାହାନ୍ତି ବୋଲି ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ସ୍ପଷ୍ଟ କରିଛନ୍ତି । ଏଥିସହ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନାଁ ନେଇ ଜ୍ଞାନେଶ କୁମାର ଦେଶବାସୀଙ୍କୁ କେମିତି ଭଣ୍ଡେଇଛନ୍ତି ତାହା ଧରାପଡ଼ିଯାଇଛି । ବିଜେପିକୁ ଜିତାଇବା ପାଇଁ ଏହି ଲୋକ ନିଜର ସାମ୍ବିଧାନିକ ପଦମର୍ଯ୍ୟାଦା ଭୁଲିଯାଇଛନ୍ତି । ବିଜେପି ପାଇଁ ଦଲାଲି ଧରାପଡ଼ିଯାଇଛି । ସୁପ୍ରିମକୋର୍ଟଙ୍କ ସ୍ପଷ୍ଟୀକରଣ ପରେ ତାଙ୍କର ଏହି ପଦରେ ଆଉ ମୁହୂର୍ତ୍ତେ ବସିବାର ଅଧିକାର ନାହିଁ । ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଆଜି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।
ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ବିଜେପିକୁ ଆଗାମୀ ନିର୍ବାଚନରେ ଜିତାଇବା ପାଇଁ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ବିଜେପିର ଏଜେଣ୍ଟ ଭଳି କାମ କରୁଛନ୍ତି । ଭାରତୀୟ ନିର୍ବାଚନ ଆୟୋଗଙ୍କ ଆଇଟି ବିଭାଗର ମୁଖ୍ୟ ସୀମା ଖାନ୍ନା ଇସିଆଇ ନେଟ୍ ଜରିଆରେ ଭୋଟର ମାନଙ୍କ ନାମକୁ ଅନୈତିକ ଭାବେ ତାଲିକାରୁ କାଟିଛନ୍ତି । ନିର୍ବାଚନ ଆୟୋଗଙ୍କ ଦ୍ୱାରା ଇସିଆଇ ନେଟ୍ ଓ ଫର୍ମ ୬ରେ ଯେଉଁ ପରିବର୍ତ୍ତନ କରାଯାଇଛି, ସେଥିରେ ସୁପ୍ରିମକୋର୍ଟଙ୍କ ଅନୁମତି ରହିଛି ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ମୁଖ୍ୟ ନିର୍ବାଚନ କମିସନର ଦେଇଥିବା ସ୍ପଷ୍ଟୀକରଣକୁ ଆଜି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଖଣ୍ଡନ କରିଛନ୍ତି । ଏଥିସହିତ ଭାରତ ସରକାର ଓ ନିର୍ବାଚନ ଆୟୋଗଙ୍କୁ ନୋଟିସ୍ ଜାରି କରିଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ମୁଖ୍ୟ ନିର୍ବାଚନ କମିସନର ସାମ୍ବିଧାନିକ ପଦବୀରେ ରହି ଭାରତୀୟ ଜନତା ପାର୍ଟିକୁ ନିର୍ବାଚନରେ ଜିତାଇବା ପାଇଁ ଅସାମ୍ବିଧାନିକ କାର୍ଯ୍ୟ କରିଛନ୍ତି ।
ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ସାମ୍ବିଧାନିକ ସଂସ୍ଥା ଭାରତୀୟ ନିର୍ବାଚନ କମିସନଙ୍କ ଦମ୍ଭୋକ୍ତି ଉପରେ ଆଜି ସୁପ୍ରିମକୋର୍ଟ ଯେଉଁ ସ୍ପଷ୍ଟୀକରଣ ଦେଇଛନ୍ତି, ଏହା ପ୍ରମାଣ କରୁଛି ଯେ ୨୬ ସେପ୍ଟେମ୍ବର, ୨୦୨୬ରେ ନିର୍ବାଚନ କମିଶନର ଯେଉଁ ପ୍ରେସ ବିଜ୍ଞପ୍ତି ଦେଇଥିଲେ, ତାହା ସତ୍ୟ ଓ ତଥ୍ୟ ଉପରେ ଆଧାରିତ ନୁହେଁ । ସ୍ପଷ୍ଟ ହୋଇଛି ଯେ, ନିର୍ବାଚନ କମିସନର ଡାହା ମିଛ କହିଥିଲେ । ୨୦୨୪ ନିର୍ବାଚନରେ ମୁଖ୍ୟ ନିର୍ବାଚନ କମିସନର ଇଭିଏମ୍ ଟ୍ୟାମ୍ପରିଂ କରି ଏକପାଖିଆ ଭାବେ ବିଜେପିକୁ ଜିତାଇଛନ୍ତି । ରାଜ୍ୟରେ ଚାଲିଥିବା ସରକାର ଏକ ଭୋଟ ଚୋରିର ସରକାର । ଇସିଆଇ ଜ୍ଞାନେଶ କୁମାରଙ୍କ ଇସ୍ତଫା ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ବାରମ୍ବାର ଦାବି କରିଥିଲେ । ସାମ୍ବିଧାନିକ ସଂସ୍ଥା ନିର୍ବାଚନ କମିଶନଙ୍କ ଉପରୁ ଲୋକଙ୍କ ଭରସା ତୁଟିବା ପୂର୍ବରୁ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ତୁରନ୍ତ ଇସ୍ତଫା ଦିଅନ୍ତୁ ।