ନୂଆଦିଲ୍ଲୀ/ଭୁବନେଶ୍ୱର: ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ବିଜେଡ଼ି ନିଜର ସ୍ୱର ଶାଣିତ କରିଛି । ନିର୍ଦ୍ଦିଷ୍ଟ ଭାବେ ପାର୍ଲିଆମେଣ୍ଟର ଚଳିତ ବଜେଟ୍ ଅଧିବେସନରେ ମହିଳା ସଂରକ୍ଷଣ ବିଲ୍ ପାରିତ ପାଇଁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିଜେଡ଼ି ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଏ ପ୍ରସଙ୍ଗରେ ଦଳର ସ୍ପଷ୍ଟ ଆଭିମୁଖ୍ୟ ରଖିଛନ୍ତି ।
ବିଜେଡ଼ିର ଯୁକ୍ତି ଉପସ୍ଥାପନ କରି ଶ୍ରୀ ମିଶ୍ର କହିଥିଲେ, ୨୦୧୯ ଲୋକସଭା ନିର୍ବାଚନରେ ୨୧ଟି ଆସନରୁ ୭ ଟି ଆସନରେ ଦଳ ପକ୍ଷରୁ ମହିଳାଙ୍କୁ ପ୍ରାର୍ଥୀ କରାଯାଇଥିଲା । ଏଭଳି ପଦକ୍ଷେପ ନେବାରେ ସମଗ୍ର ଦେଶରେ ବିଜେଡ଼ି ଥିଲା ଏକମାତ୍ର ଦଳ । ୫ଟି ଆସନରେ ବିଜେଡ଼ିର ମହିଳା ପ୍ରାର୍ଥୀ ଜିତିଥିବା ବେଳେ ଦୁଇଟି ଆସନରେ ବିଜେପିର ମହିଳା ପ୍ରାର୍ଥୀ ଜିତିଛନ୍ତି । ଏହିଭଳି ଭାବେ ଓଡ଼ିଶାରେ ଏକ ତୃତୀୟାଂଶ ଆସନରେ ମହିଳା ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିଛନ୍ତି ।
ମହିଳା ସଂରକ୍ଷଣ ବିଲ୍ କୁ ଉଭୟ ବିଜେପି ଓ କଂଗ୍ରେସ ସର୍ବସାଧାରଣରେ ସମର୍ଥନ କରୁଥିବା ବେଳେ ଅନ୍ୟାନ୍ୟ ରାଜନୈତିକ ଦଳଗୁଡ଼ିକ ସମର୍ଥନ କରୁଛନ୍ତି । ୱାଇଏସଆର କଂଗ୍ରେସ ଏବଂ ଟିଆରଏସ୍ ଆଜି ଖୋଲାଖୋଲି ଏହାକୁ ସମର୍ଥନ ଜଣାଇ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦାବି ପଛରେ ଛିଡ଼ା ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ପାରିତ କରିବାରେ ଅସୁବିଧା କେଉଁଠି ବୋଲି ସର୍ବଦଳୀୟ ବୈଠକରେ ବିଜେଡ଼ି ସଂସଦୀୟ ଦଳ ନେତା ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ ।
ପ୍ରାୟ ୧୦ ବର୍ଷ ତଳୁ ରାଜ୍ୟସଭାରେ ଉକ୍ତ ବିଲ୍ ପାରିତ ହୋଇସାରିଛି । ଲୋକସଭାରେ ଏହି ବିଲ୍ ପାରିତ କରିବାକୁ ଚଳିତ ଅଧିବେସନ ହିଁ ପ୍ରକୃଷ୍ଟ ସମୟ । ଏଥିନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଆନ୍ତରିକ ଇଚ୍ଛା ପ୍ରକଟ କରିଥିବା ଶ୍ରୀ ମିଶ୍ର ସର୍ବଦଳୀୟ ବୈଠକରେ ଦୋହରାଇଥିଲେ ।