ଜୟପୁର: କୋରାପୁଟ ଜିଲ୍ଲା ଜୟପୁରଠାରୁ ୫୦ କିଲୋମିଟର ଦୂର କୋଟପାଡ ଥାନା ସିନ୍ଧିଗାଁ ନିକଟ ମୂର୍ତ୍ତାହାଣ୍ଡିଠାରେ ଆଜି ସନ୍ଧ୍ୟାରେ ଏକ ଭୟାନକ ଦୁର୍ଘଟଣା ଘଟିଛି । ପ୍ରାୟ ୩୫ ଜଣଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନ୍ ଗଛରେ ପିଟିହୋଇ ଓଲଟି ପଡ଼ିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୧୩ ଜଣ ଗୁରୁତର ଆହତ ହୋଇଥିବା ସରକାରୀ ଭାବେ କୁହାଯାଇଛି । ଭ୍ୟାନ୍ ଯାତ୍ରୀଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ଜଣାପଡ଼ିଛି ।
ଦୁର୍ଘଟଣାର ଶିକାରମାନେ ହେଉଛନ୍ତି ଛତିଶଗଡ଼ର ଜଗଦଲପୁର ଅନ୍ତର୍ଗତ କୁଲତା ଗାଁର । ଏକ ଦଶାହ କାର୍ଯ୍ୟରେ ଯୋଗଦେବାକୁ ସେମାନେ ପିକଅପ୍ ଭ୍ୟାନ୍ ରେ କୋଟପାଡ଼ ଅନ୍ତର୍ଗତ ସିନ୍ଧିଗାଁ କୁ ଆସିଥିଲେ । ଦଶାହ କାର୍ଯ୍ୟ ସାରି ଫେରୁଥିବା ବେଳେ ସଂଧ୍ୟା ୮ଟାରୁ ୮.୩୦ ମିନିଟ୍ ମଧ୍ୟରେ ମୂର୍ତ୍ତାହାଣ୍ଡି ନିକଟରେ ଗାଡ଼ିଟି ଏକ ଗଛରେ ପିଟି ହୋଇଥିଲା ଏବଂ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା ।
ଦୁର୍ଘଟଣା ବହୁତ ଭୟାନକ ଓ ହୃଦୟ ବିଦାରକ ଥିଲା । ଭ୍ୟାନ୍ ତଳେ କିଛି ଚାପି ହୋଇ ଚିତ୍କାର କରୁଥିବା ବେଳେ ଅନ୍ୟମାନେ ରାସ୍ତାରେ ଏଣୁତେଣୁ ଛିଟକି ପଡ଼ିଥିଲେ । ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକେ ସେଠି ତୁରନ୍ତ ପହଞ୍ଚିଥିଲେ ମଧ୍ୟ ଘନ ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କିଛି ସମୟ ପରେ କୋଟପାଡ ପୁଲିସ ଓ ଅଗ୍ନିଶମ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ସମସ୍ତଙ୍କ ସହଯୋଗରେ ମୃତ ଓ ଆହତମାନଙ୍କୁ ଉଦ୍ଧାର କରିବା ପାଇଁ ଦୀର୍ଘ ୩ ଘଣ୍ଟା ସମୟ ଲାଗିଯାଇଥିଲା ।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ମୃତାହତମାନେ ଆଦିବାସୀ ସମ୍ପ୍ରଦାୟର । ସମ୍ପ୍ରଦାୟର ପ୍ରଥା ଅନୁଯାୟୀ ଶୁଦ୍ଧିକ୍ରିୟା ଉତ୍ସବରେ ସମସ୍ତେ ମଦ ପିଇଥିଲେ । ପିକଅପ୍ ଭ୍ୟାନ୍ ଡ୍ରାଇଭର ମଧ୍ୟ ମଦ ପିଇଥିବାରୁ ହୁଏତ ଭାରସାମ୍ୟ ହରାଇ ଗଛରେ ପିଟି ଦେଇଛନ୍ତି । ତେବେ ଦୁର୍ଘଟଣାର କାରଣ ସମ୍ପର୍କରେ ସରକାରୀ ଭାବେ ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।
ବିଳମ୍ବିତ ରାତିରେ ଆହତମାନଙ୍କୁ କୋଟପାଡ ଡାକ୍ତରଖାନାରୁ ଜଗଦଲପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । କୋଟପାଡ ପ୍ରଶାସନଠାରୁ ଆରମ୍ଭ କରି କୋରାପୁଟ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଆହତମାନଙ୍କ ଚିକିତ୍ସା ପାଇଁ ତତ୍ପରତା ଦେଖାଇଛନ୍ତି । ବିଡିଓ, ତହସିଲଦାର, ଉପଜିଲ୍ଲାପାଳ, ଏସଡିପିଓ ଓ ଥାନା ଅଧିକାରୀ ସେଠାରେ ଉପସ୍ଥିତ ଅଛନ୍ତି ।