ଭୁବନେଶ୍ୱର: ପଦ୍ମପୁରରେ ବିଜେଡିର ବୃହତ୍ତ ବିଜୟ ପଛରେ ଅନ୍ୟାନ୍ୟ ପ୍ରସଙ୍ଗ ସହ ଧାମନଗର ପରାଜୟ ସମୀକରଣ ଯୋଡି ହୋଇଛି । ଧାମନଗରରେ ଦଳ ଯେଉଁ ଭୁଲ୍ କରିଥିଲା ପଦ୍ମପୁରରେ ତାହାର ପୁନରାବୃତ୍ତି କଲା ନାହିଁ । ଆଉ ସେହି ଅନୁଯାୟୀ ଫଳ ବି ପାଇଲା । ଏକ ଦୃଢ଼ ନେତୃତ୍ୱ ଏବଂ ସଂଗଠନରେ ଏକଜୁଟ୍ ହୋଇ ଲଢ଼ିଲେ ବିଜୟ ଯେ ଅବଶ୍ୟମ୍ଭାବୀ ତାହା ପୁଣି ପ୍ରମାଣିତ ହେଲା ।
ଧାମନଗରରେ ପ୍ରାର୍ଥୀ ଚୟନରୁ ହିଁ ବିଜେଡି ଭୁଲ୍ କରିଥିଲା । ପରବର୍ତ୍ତୀ ସମୟରେ ଏହି ଭୁଲ୍ ସମଗ୍ର ଉପନିର୍ବାଚନ ପରିଚାଳନାକୁ ମାଡ଼ି ଯାଇଥିଲା । ବିଜେଡି ନାଁରେ ଭୋଟ ଅଛି ହେୟଜ୍ଞାନରେ ନିର୍ବାଚନ ଲଢ଼େଇ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଭିତରେ ସୀମିତ ରହିଗଲା । ଆଉ କୌଣସି ନେତାଙ୍କ ଆବଶ୍ୟକତା ନାହିଁ ବୋଲି ବୋଧହୁଏ ଭୁଲ୍ ଅନୁମାନ କରାଗଲା । ମାତ୍ର ପୁରୁଖା, ଅଭିଜ୍ଞ ନେତାଙ୍କର ଆବଶ୍ୟକତା ସବୁବେଳେ ରହିଛି ଏବଂ ରହିବ ବୋଲି ଧାମନଗର ଉପନିର୍ବାଚନ ଫଳ ଚେତାଇ ଦେଇଛି ।
ଧାମନଗର ତ୍ରୁଟିକୁ ବିଜେଡି ଶୀର୍ଷ ନେତୃତ୍ୱ ପଦ୍ମପୁରରେ କରିବାକୁ ଦେଇ ନ ଥିଲେ । ଭେଟେରାନ୍ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ପଶ୍ଚିମ ଓଡ଼ିଶାର ତୁଙ୍ଗ ନେତାମାନଙ୍କୁ ପ୍ରାଧାନ୍ୟ ଦିଆଗଲା । ସମସ୍ତଙ୍କ ସହ ବିଚାର ବିମର୍ଷ କରି ପ୍ରାର୍ଥୀ ଚୟନ କରାଗଲା । ନିର୍ବାଚନ ପରିଚାଳନାକୁ ନିଖୁଣ ଓ ଦକ୍ଷତାର ସହ କରାଗଲା । ମନ୍ତ୍ରୀ, ବିଧାୟକମାନେ ଅଞ୍ଚଳରେ ଡେରା ପକାଇଥିଲେ । ବ୍ଲକ୍ ଠାରୁ ପଞ୍ଚାୟତ ସବୁ ଜାଗାରେ ନେତା ଓ କର୍ମୀମାନଙ୍କୁ ନିୟୋଜିତ କରାଗଲା । ସକାଳୁ ରାତି ପର୍ଯ୍ୟନ୍ତ ସେମାନେ ଗାଁ ଗାଁ ବୁଲି ଲୋକଙ୍କ ସହିତ ମିଶିଲେ, ସମ୍ପର୍କ ବଢ଼ାଇଲେ । ଅଞ୍ଚଳବାସୀଙ୍କର ଭଲମନ୍ଦରେ ନିଜକୁ ସାମିଲ କଲେ । ଅଞ୍ଚଳର ବିକାଶ ପ୍ରସଙ୍ଗକୁ ଚର୍ଚ୍ଚା କଲେ । ମୋଟାମୋଟି ଭାବେ, ଲୋକଙ୍କ ଭରସା ଜିଣିବାକୁ ଅକ୍ଲାନ୍ତ ଉଦ୍ୟମ କରିଥିଲେ ।
ସମାନ ଭାବରେ ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେଇ ବିଜେଡି ରଣନୀତି ପ୍ରସ୍ତୁତ କରିଥିଲା । ପଦ୍ମପୁର ପାଇଁ ୪୮୮ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣାରୁ ଆରମ୍ଭ କରିଥିଲା ଅଭିଯାନ । ମରୁଡ଼ି ପ୍ରପୀଡ଼ିତ ଚାଷୀଙ୍କୁ ଇନପୁଟ ସବସିଡି ସହାୟତା ଘୋଷଣା ମଧ୍ୟ କରାଗଲା । ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରସଙ୍ଗ ଉଠାଗଲା । ପଦ୍ମପୁର ଦେଇ ବରଗଡ଼ରୁ ନୂଆପଡ଼ା ଟ୍ରେନ୍ ଲାଇନ୍ କଥା ଉଠାଗଲା । ସର୍ବୋପରି ପଦ୍ମପୁର ଜିଲ୍ଲା ଗଠନ ପାଇଁ ସମନ୍ୱୟ କମିଟି ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।
ଆଦିବାସୀ ବହୁଳ ପଦ୍ମପୁର ଅଞ୍ଚଳର ବିଭିନ୍ନ ସମାଜର ପ୍ରତିନିଧିମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରି ସେମାନଙ୍କର ଦାବିକୁ ଗ୍ରହଣ କରିଥିଲେ । ନିଖିଳ ଓଡ଼ିଶା ମେହେର(ଭୁଲିଆ) ସମାଜର ଦାବି ମୁତାବକ ଭୁବନେଶ୍ୱରରେ ଗଙ୍ଗାଧର ଭବନ ନିର୍ମାଣ ଏବଂ କୁଲତା ସମାଜର ଦାବି ମୁତାବକ ପୁରୀରେ ଧର୍ମଶାଳା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଖାଲି ପ୍ରତିଶ୍ରୁତି ଦେଲେନି, ବରଂ ଅବିଳମ୍ବେ କାର୍ଯ୍ୟ କଲେ ।
ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ପଦ୍ମପୁର ଯିବା ବି ବିଜେଡି ରଣନୀତିର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଥିଲା । କୋଭିଡ୍ ପରବର୍ତ୍ତୀ ସମୟରେ ଅନୁଷ୍ଠିତ ଉପନିର୍ବାଚନଗୁଡ଼ିକରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭର୍ଚୁଆଲ୍ ପ୍ରଚାର କରିଥିଲେ । ମାତ୍ର ଏଥର ପଦ୍ମପୁରର ତିନୋଟି ଯାକ ବ୍ଲକ୍ ରେ ସଭା କଲେ । ଅଞ୍ଚଳର ବିକାଶକୁ ପ୍ରସଙ୍ଗ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ । ଶେଷ ସଭାରେ ପଦ୍ମପୁରକୁ ୨୦୨୩ ଡିସେମ୍ବର ସୁଦ୍ଧା ଜିଲ୍ଲା କରାଯିବ ବୋଲି ଘୋଷଣା କରି ଫେରିଲେ । ଏବେ ଫଳାଫଳ ଦେଖିଲେ, ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପଦ୍ମପୁରବାସୀଙ୍କ ଉପରେ ନିଶ୍ଚିତ ପ୍ରଭାବ ପକାଇଥିବା କୁହାଯିବ ।
ବିିରୋଧୀ ପକ୍ଷକୁ ମଧ୍ୟ ସଫଳତାର ସହ ମୁକାବିଲା କରିଥିଲା ବିଜେଡି । ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଚାରି ଚାରି ଜଣ କେନ୍ଦ୍ରମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଆସି ବିଜେଡି ସରକାରକୁ ଘେରିଥିଲେ । ସାଂଘାତିକ ଆକ୍ରମଣ କରିଥିଲେ । ମାତ୍ର ବିଜେଡି ସେମାନଙ୍କୁ ମୁକାବିଲା କରିବାରେ ସଫଳ ହୋଇଥିଲା । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବିଦେଶିନୀ ଆଖ୍ୟା ଦେଇ ବିଜେପି ଏକ ନ୍ୟାରେଟିଭ୍ ତିଆରି କରିବାକୁ ଉଦ୍ୟମ କରିଥିଲା । ପ୍ରଦୀପ ପୁରୋହିତ, ଜୟନାରାୟଣ ମିଶ୍ର, ଜୁଏଲ୍ ଓରାମ ଏବଂ ଅପରାଜିତା ଷଡ଼ଙ୍ଗୀ ସେମାନଙ୍କ ନିର୍ବାଚନୀ ଭାଷଣରେ ଏହାକୁ ଅସ୍ତ୍ର କରିଥିଲେ । ମାତ୍ର ବିଜେଡିର ରଣନୀତି ଯୋଗୁଁ ଓଲଟି ବିଜେପି ପାଇଁ ବୁମେରାଂ ହୋଇଗଲା ।
କଂଗ୍ରେସର କୁହାଯାଉଥିବା ୨୫ ରୁ ୩୦ ହଜାର ପକେଟ୍ ଭୋଟ ନିଜ ଆଡକୁ ଆଣିବା ପାଇଁ ବିଜେଡି ଏବଂ ବିଜେପି ମଧ୍ୟରେ ପ୍ରତିଯୋଗିତା ଲାଗିଥିଲା । ମାତ୍ର ବିଜେଡି ଏଥିରେ ବି ସଫଳ ହୋଇଥିବା ରେଜଲ୍ଟରୁ ଜଣାପଡୁଛି ।
ଯାହା ବି ହେଉ, ଏହି ଉପନିର୍ବାଚନ ଜିତିବା ବିଜେଡି ପାଇଁ ଆଦୌ ସହଜ ନ ଥିଲା । ଏଭଳି ରେଜଲ୍ଟ ପାଇବା ପାଇଁ ଦଳୀୟ ନେତା ଓ କର୍ମୀମାନଙ୍କୁ ମିଳିତ ଭାବେ ବହୁତ ପରିଶ୍ରମ କରିବାକୁ ପଡ଼ିଲା । ଧାମନଗରରେ ଉପନିର୍ବାଚନ ପରାଜୟ ଗ୍ଲାନି କାଟିବା ପାଇଁ ଦିନରାତି ଏକକାର କରିବାକୁ ହେଲା । ୨୦୨୪ ସାଧାରଣ ନିର୍ବାଚନ ପାଇଁ ପଦ୍ମପୁର ମଇଦାନ ବିଜେଡିକୁ ଏକ ବଡ଼ ସନ୍ଦେଶ ଦେଇଛି ସେଥିରେ କାହାର ଦ୍ୱିମତ ନାହିଁ ।






