ଭୁବନେଶ୍ୱର: ନବୀନ ନିବାସରେ ମୁନ୍ନା ଖାଁ ସମର୍ଥକଙ୍କ ପାଣ୍ଡିଆନ୍ ଗୋ ବ୍ୟାକ୍ ନାରା ଏବଂ ପାଣ୍ଡିଆନଙ୍କୁ ଦେବାଶିଷ ସାମନ୍ତରାୟଙ୍କର କଡ଼ା ଆକ୍ଷେପ ପରେ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ବାହାରିଛନ୍ତି ବିଜେଡିର ୪ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ମାନସ ମଙ୍ଗରାଜ, ନିରଞ୍ଜନ ବିଶି ଏବଂ ଶୁଭାଶିଷ ଖୁଣ୍ଟିଆ । ପାଣ୍ଡିଆନ ୧୦ ମାସ ହେଲା ରାଜନୀତିରେ ନାହାନ୍ତି ବୋଲି ସେମାନେ ଓକିଲାତି କରିଛନ୍ତି । ପାଣ୍ଡିଆନଙ୍କ ବିରୋଧରେ ଦେବାଶିଷ ସାମନ୍ତରାୟଙ୍କ ବୟାନକୁ ସେମାନେ ନିନ୍ଦା କରିଛନ୍ତି । ସେମାନଙ୍କୁ ଦେଖାଦେଖି କଟକ ମେୟର ସୁବାସ ସିଂ ମଧ୍ୟ ପାଣ୍ଡିଆନଙ୍କ ସମର୍ଥନରେ ଡେଇଁଛନ୍ତି ।
ନିର୍ବାଚନ ବିପର୍ଯ୍ୟୟ ପରଠୁ ପାଣ୍ଡିଆନଙ୍କୁ ନେଇ ଦଳରେ ତୀବ୍ର ଅସନ୍ତୋଷ ଲାଗି ରହିଥିଲା ବେଳେ ୱକଫ୍ ବିଲ୍ ପ୍ରସଙ୍ଗ ଏଥିରେ ନିଆଁ ଲଗାଇ ଦେଇଛି । ପାଣ୍ଡିଆନ ସକ୍ରିୟ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ ମଧ୍ୟ ଅଦୃଶ୍ୟରେ ଥାଇ ବିଜେଡିକୁ ପୂର୍ବଭଳି ଚଳୋଉଥିବା ଦଳୀୟ ନେତାଙ୍କର ଅନୁଭବ ରହିଛି । ନବୀନ ପଟ୍ଟନାୟକ ଯେ ତାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଏକଥା ବି କାହାରିକୁ ଅଛପା ନାହିଁ ।
ୱକଫ୍ ବିଲ୍ ପ୍ରସଙ୍ଗ ବିଜେଡିକୁ ଘାଇଲା କରିଦେଇଛି । ଏଥିରେ ଖଳନାୟକ ପାଣ୍ଡିଆନ୍ ବୋଲି ସମସ୍ତଙ୍କର ସନେ୍ଦହ ଥିବା ବେଳେ ସସ୍ମିତ ପାତ୍ରଙ୍କୁ ବକରା ବନାଯିବ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ଦେବାଶିଷ ସାମନ୍ତରାୟ ପାଣ୍ଡିଆନଙ୍କ ବିରୋଧରେ ମୁହଁ ଖୋଲିବା ପରେ ପାଣ୍ଡିଆନ ସପକ୍ଷବାଦୀମାନେ ଆଗକୁ ଡେଇଁ ପଡ଼ିଛନ୍ତି । ପାଣ୍ଡିଆନଙ୍କ ବିରୋଧରେ କଡ଼ା ଭାଷା ସେମାନଙ୍କୁ ହଜମ ହୋଇନାହିଁ । ଜଣ ଜଣ କରି ଟୁଇଟ୍ କରି ଦେବାଶିଷଙ୍କୁ ଗାଳି କରିଛନ୍ତି । ଦଳୀୟ ଫୋରମ୍ ରେ କଥା ନ ଉଠାଇ ଗଣମାଧ୍ୟମରେ ବୟାନ ଦେଉଥିବାରୁ ତାଙ୍କୁ ଦଳ ବିରୋଧୀ ବୋଲି ଚିତ୍ରଣ କରିଛନ୍ତି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପ୍ରସଙ୍ଗରେ ଦେବାଶିଷ ସାମନ୍ତରାୟଙ୍କୁ ବଳି ପକାଇବା ପାଇଁ ବାଟ ଖୋଜାଯାଉଥିଲା । ମାତ୍ର ଆଜି ଗଣମାଧ୍ୟମରେ ସେ ପାଣ୍ଡିଆନଙ୍କୁ ସିଧା ଆକ୍ରମଣ କରିବା ପରେ ସପକ୍ଷବାଦୀମାନେ ପ୍ରତିହିଂସା ପରାୟଣ ହୋଇଛନ୍ତି । ତାଙ୍କ କାମ ଯଥାଶୀଘ୍ର ବଢ଼ାଇବାକୁ ଯୁଦ୍ଧକାଳୀନ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଦଳର ପୂର୍ବତନ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସ “ପାଣ୍ଡିଆନ ବଞ୍ଚାଓ, ଦେବାଶିଷ ହଟାଓ’ ଦାୟିତ୍ୱ ନେଇଛନ୍ତି । ପ୍ରଥମ ପଦକ୍ଷେପ ଭାବେ ୪ ସାଂସଦ ନିଜର ଟୁଇଟର ହାଣ୍ଡଲରେ ପାଣ୍ଡିଆନଙ୍କ ସପକ୍ଷରେ ସିଧାସଳଖ ଓକିଲାତି କରିଛନ୍ତି ଏବଂ ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି । ପରବର୍ତ୍ତୀ ପଦକ୍ଷେପ ଭାବେ ନବୀନ ନିବାସରୁ ଦେବାଶିଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଦେଶ ବାହାର କରିବାକୁ ଯୋଜନା ହୋଇଥିବା ଏହି ସୂତ୍ରରୁ ଜଣାପଡ଼ିଛି ।
ତେବେ ୪ ବିଜେଡି ସାଂସଦଙ୍କର ପାଣ୍ଡିଆନ ଜୟଗାନକୁ ନେଇ ରାଜନୈତିକ ମାହୋଲ ଆହୁରି ସରଗରମ ହୋଇଛି । ଯିଏ ଦଳର ଚେହେରା ଏବଂ ଯାହାଙ୍କ ନାଁରେ ଭୋଟ ମଗାଯାଉଛି ସେଇ ନବୀନ ପଟ୍ଟନାୟକଙ୍କୁ କିଏ ଗାଳି କଲା ବେଳେ ଏଇ ରାଜ୍ୟସଭା ସାଂସଦମାନଙ୍କର ମୁହଁ ଫିଟୁନି କାହିଁକି? ଟୁଇଟର ହାଣ୍ଡଲ କାହିଁକି ଚାଲୁନି ବୋଲି ଅନେକ ପ୍ରଶ୍ନ କରିଛନ୍ତି । ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଗତକାଲି ନବୀନ ପଟ୍ଟନାୟକଙ୍କୁ “ଚୁପ୍ ସୈତାନ୍’ କହି କଡ଼ା ଆକ୍ଷେପ କରିଥିଲେ । ଏହି ସାଂସଦମାନଙ୍କୁ ତାହା କେମିତି ବାଧିଲାନି?
ଏହି ବିଜେଡି ସାଂସଦ ମାନେ ପାଣ୍ଡିଆନଙ୍କୁ କିଏ ଗାଳି କଲେ ସହି ପାରୁ ନ ଥିଲା ବେଳେ ନବୀନ ପଟ୍ଟନାୟକଙ୍କ ବେଳକୁ ହୀନମନ୍ୟତା କାହିଁକି? ନବୀନଙ୍କ ପାଇଁ ବାହାରିବାକୁ ସେମାନଙ୍କ ମନରେ କାହିଁକି ଏତେ ଘୃଣା ଭାବ? ଏହି କଥାରୁ ବିଜେଡିର ଏବେ କାହାର କେତେ ଭାଉ ତାହା ସ୍ପଷ୍ଟ ହେଉଛି ବୋଲି ସବୁଆଡ଼େ ଚର୍ଚ୍ଚା ।