ଭୁବନେଶ୍ୱର: ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡ଼ି ପକ୍ଷରୁ ମାସେ ବ୍ୟାପୀ କୋଭିଡ୍ ଜନସଚେତନତା ଅଭିଯାନ ଆରମ୍ଭ ହୋଇଛି । ସମଗ୍ର ରାଜ୍ୟରେ ବିଜେଡ଼ି କର୍ମୀମାନେ ଗାଁ ଗାଁ ବୁଲି କରୋନା ସଂକ୍ରମଣଠାରୁ ରକ୍ଷା ପାଇବାକୁ ଲୋକଙ୍କୁ ସତର୍କ କରାଇବେ । କୋଭିଡ୍ ନିୟମ ପାଳନ କରିବା, ଟେଷ୍ଟିଂରେ ସହଯୋଗ କରି ଉପଯୁକ୍ତ ସମୟରେ ନିଜର ଚିକିତ୍ସା କରାଇବା, ଆଗଧାଡ଼ିର କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସହ ସମ୍ମାନ ପ୍ରଦର୍ଶନ କରିବା ଏବଂ ପ୍ଲାଜମା ଦାନ କରିବାକୁ ଲୋକଙ୍କୁ ଉତ୍ସାହିତ କରିବେ ।
ବିଜେଡ଼ି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଦିନ ତଳେ ସବୁ ବିଧାୟକ, ଦଳୀୟ ନେତାମାନଙ୍କୁ ଏଥିଲାଗି ଚିଠି ଲେଖିଥିଲେ । ଅକ୍ଟୋବର ୨ ରୁ ନଭେମ୍ବର ୨ ଯାଏ ସେମାନେ ନିଜ ନିଜ ଅଞ୍ଚଳରେ ବୁଲି ଲୋକଙ୍କୁ ବ୍ୟାପକ ସଚେତନ କରାଇବାକୁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ଜନତା ଦଳ ଗତ ୨୦ ବର୍ଷ ଧରି ରାଜ୍ୟବାସୀଙ୍କ ସହିତ ରହିଛି । ଆଜିର କୋଭିଡ୍ ମହାମାରୀ ରାଜ୍ୟକୁ ଏକ ଅଭାବନୀୟ ସ୍ଥିତିରେ ପହଞ୍ଚାଇଛି । ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ । ତେଣୁ ବିଜେଡ଼ି ନେତା ଓ କର୍ମୀମାନେ ଲୋକଙ୍କ ସହିତ ରହିବା ଦରକାର । ନିଜ ନିର୍ବାଚନମଣ୍ଡଳୀରେ ‘ଓଡ଼ିଶା-ମୋ ପରିବାର’ ସହିତ ସାମିଲ ହୋଇ ଏସବୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ଏହି ପରିପ୍ରେକ୍ଷୀରେ ଆଜି ବିଜେଡ଼ି ମୁଖ୍ୟ କାର୍ଯ୍ୟାଳୟରେ କୋଭିଡ୍ ସଚେତନତା ଅଭିଯାନ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଭୁବନେଶ୍ୱରର ସମସ୍ତ ବିଧାୟକ, ପଦାଧିକାରୀ, ‘ଓଡ଼ିଶା-ମୋ ପରିବାର’ ଆବାହକ ଅରୁପ ପଟ୍ଟନାୟକ, ଯୁବ, ଛାତ୍ର, ମହିଳା ସଂଗଠନର କର୍ମକର୍ତ୍ତାମାନେ ଏଥିରେ ଉପସ୍ଥିତ ଥିଲେ । ଏଥିସହ ରାଜ୍ୟସାରା ପ୍ରତି ନିର୍ବାଚନମଣ୍ଡଳୀରେ ବିଜେଡ଼ିର ଏହି ଜନସଚେତନା ଅଭିଯାନ ଆରମ୍ଭ ହୋଇଛି ।
ସୂଚନା ଯୋଗ୍ୟ, ପ୍ରତିବର୍ଷ ଅକ୍ଟୋବର ୨ ରୁ ୧୧ ଯାଏଁ ବିଜେଡ଼ି ୧୧ ଦିନିଆ ଜନସମ୍ପର୍କ ଅଭିଯାନ କରି ଆସୁଛି । ସରକାରଙ୍କ କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚାଇବା ସହ ସେମାନଙ୍କ ଅଭାବ ଅସୁବିଧା ପଚାରି ବୁଝିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହା ଆୟୋଜନ କରାଯାଉଛି । ତେବେ ଚଳିତବର୍ଷ କୋଭିଡ୍ ସଙ୍କଟ ଦୃଷ୍ଟିରୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହାକୁ ଭିନ୍ନ ଢ଼ଙ୍ଗରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।