ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାଥରାସ ପୀଡ଼ିତାଙ୍କ ଗାଁ ଏବେ ପୁଲିସ ଛାଉଣୀରେ ପରିଣତ ହୋଇଛି । ଗାଁ କୁ ସମ୍ପୂର୍ଣ୍ଣ ପୁଲିସ କର୍ଡନ୍ ରେ ରଖାଯାଇଛି । ସେଠାକୁ କାହାରିକୁ ଛଡ଼ାଯାଉନାହିଁ । ଏମିତିକି ସାମ୍ବାଦିକ, ଓକିଲଙ୍କୁ ନାଲିଆଖି ଦେଖାଇ ବଳପୂର୍ବକ ତଡ଼ି ଦିଆଯାଉଛି । ମହିଳା ସାମ୍ବାଦିକଙ୍କୁ ଠେଲାପେଲା କରିବାକୁ ବି ପୁଲିସ ପଛାଇନାହିଁ ।
ସେପଟେ ମୃତ ପୀଡ଼ିତାଙ୍କ ପରିବାର ଭୀଷଣ ଆତଙ୍କିତ ଅବସ୍ଥାରେ ଜୀବନ କାଟୁଛନ୍ତି । ସେମାନଙ୍କୁ ଗୃହବନ୍ଦୀରେ ରଖି ବୟାନ ବଦଳାଇବାକୁ ଚାପ ପକାଯାଉଥିବାର ଅଭିଯୋଗ ହୋଇଛି । ପରିବାର ସଦସ୍ୟଙ୍କର ମୋବାଇଲ୍ ଫୋନ୍ ଛଡ଼ାଇ ନିଆଯାଇଛି । କାଳେ କାହା ସହ ସମ୍ପର୍କରେ ଆସିବେ ସେଥିପାଇଁ ଗୋଡ଼େ ଗୋଡ଼େ ଜଗିଛି ପୁଲିସ ।
ଗଣମାଧ୍ୟମ ପ୍ରତି ପ୍ରଶାସନର ଆଭିମୁଖ୍ୟ କଠୋର ହୋଇଛି । ଗାଁ ମୁଣ୍ଡରୁ ସାମ୍ବାଦିକମାନଙ୍କୁ ନାଲି ଆଖି ଦେଖାଇ ପୁଲିସ ଘଉଡ଼ାଇ ଦେଉଛି । ଏବିପି ନ୍ୟୁଜ୍ ର ଜଣେ ମହିଳା ସାମ୍ବାଦିକଙ୍କୁ ଆଜି ପୁଲିସ ବାରଣ କରି ଠେଲାପେଲା କରୁଥିବାର ଦୃଶ୍ୟ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି ।
ଗତକାଲି ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଗ୍ରେଟର ନୋଇଡ଼ାଠାରେ ପୁଲିସ ଅଟକେଇ ଠେଲାପେଲା କରିଥିଲା । ଆଜି ଟିଏମସି ସାଂସଦଙ୍କର ଏକ ପ୍ରତିନିଧି ଦଳ ହାଥରାସ ଗାଁକୁ ଯାଉଥିବା ବେଳେ ପୁଲିସ ଅନୁରୂପ ବ୍ୟବହାର କରିଥିଲା । ସେମାନଙ୍କୁ ଯିବାକୁ ଅନୁମତି ନଦେଇ ବଳ ପ୍ରୟୋଗ କରିଥିବାର ଅଭିଯୋଗ ହୋଇଛି ।
ଏସଆଇଟି ତଦନ୍ତ ଶେଷ ନ ହେଲା ଯାଏ ହାଥରାସ ଗାଁକୁ ସାମ୍ବାଦିକ, ନେତାଙ୍କ ସମେତ ଅନ୍ୟ କୌଣସି ବ୍ୟକ୍ତିବିଶେଷଙ୍କୁ ଛଡ଼ାଯିବନି ବୋଲି ଅତିରିକ୍ତ ଏସପି ପ୍ରକାଶ କୁମାର ବୟାନ ଦେଇଛନ୍ତି । ଆଇନଶୃଙ୍ଖଳା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି ।
ହାଥରାସ ଗଣଦୁଷ୍କର୍ମ ମାମଲାକୁ ନେଇ ସାରା ଦେଶରେ ପ୍ରତିବାଦ ତୀବ୍ର ହେବାରେ ଲାଗିଛି । ଆଜି ନୂଆଦିଲ୍ଲୀର ଯନ୍ତର ମନ୍ତରଠାରେ ସିଭିଲ୍ ସୋସାଇଟି କର୍ମୀ, ମହିଳା, ଛାତ୍ର ଏବଂ ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗ ଏକାଠି ହୋଇ ପ୍ରତିବାଦ ବିକ୍ଷୋଭ କରିଥିଲେ । ସିପିଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ସିପିଆଇ ନେତା ଡି. ରାଜାଙ୍କ ସମେତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପୀଡ଼ିତାଙ୍କୁ ଉପଯୁକ୍ତ ନ୍ୟାୟ ଦେବା ସହ ଆସାମୀମାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଥିଲେ ।
ଦିଲ୍ଲୀର ବାଲ୍ମିକୀ ମନ୍ଦିରରେ ପୀଡ଼ିତାଙ୍କ ସ୍ମୃତିରେ ଏକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା । ସେଥିରେ ପ୍ରିୟଙ୍କା ଗାନ୍ଧୀ ଯୋଗଦେଇଥିଲେ ।
ଦେଶର ବିଭିନ୍ନ ରାଜ୍ୟରେ ହାଥରାସ ଗଣଦୁଷ୍କର୍ମର ପ୍ରତିବାଦ ତୀବ୍ର ହେବାରେ ଲାଗିଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଟୁଇଟ୍ କରି କହିଛନ୍ତି, ମା ଓ ଭଉଣୀଙ୍କ ଇଜ୍ଜତକୁ ଅସମ୍ମାନ କରିଥିବା ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ।