ବ୍ର୍ରହ୍ମପୁର/ଭୁବନେଶ୍ୱର: ବିଜେପି ନେତା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ କୁମାର ପଣ୍ଡା ଗିରଫ ହୋଇଛନ୍ତି । ତାଙ୍କ ସହ ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଓରଫ୍ ପିଣ୍ଟୁ ଦାସ, କର୍ପୋରେଟର ମଳୟ ବିଷୋୟୀ, ବିକ୍ରମଙ୍କ ନିକଟତମ ସହଯୋଗୀ ମଦନ ଦଳେଇ, ୩ ଜଣ ସାର୍ପ ସୁଟରଙ୍କ ସମେତ ସମୁଦାୟ ୧୨ ଜଣଙ୍କୁ ପୁଲିସ ଗିରଫ କରିଛି । ପୀତବାସଙ୍କ ହତ୍ୟା ମାମଲାରେ ଏମାନଙ୍କୁ ପୁଲିସ ଗିରଫ କରିଛି । ତେବେ ହତ୍ୟାକାଣ୍ଡର କାରଣ ସମ୍ପର୍କରେ ବ୍ରହ୍ମପୁର ଏସପିଙ୍କ ସାମ୍ବାଦିକ ସମ୍ମିଳନୀକୁ ଅପେକ୍ଷା କରାଯାଇଛି ।
ଗତ ୬ ତାରିଖ ରାତିରେ ପୀତବାସ ପଣ୍ଡାଙ୍କୁ ତାଙ୍କ ଘର ସାମନାରେ ହତ୍ୟା କରାଯାଇଥିଲା । ଦୁଇଜଣ ଦୁବୃର୍ତ୍ତ ମଟରସାଇକେଲରେ ଆସି ତାଙ୍କୁ ଗୁଳି କରିଥିଲେ । ପୁଲିସ ଏହି ମାମଲାର ଛାନଭିନ୍ କରିବା ବେଳେ ବ୍ରହ୍ମପୁରର କିଛି ପ୍ରଭାବଶାଳୀ ରାଜନେତାଙ୍କ ସଂପୃକ୍ତିର ଖିଅ ପାଇଥିଲା । ଇତିମଧ୍ୟରେ ମୋଟ ୧୫ ଜଣଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଥିଲା । ୪ ଦିନ ତଳେ କର୍ପୋରେଟର ମଳୟ ବିଷୋୟୀଙ୍କୁ ଉଠାଇ ଥିଲା ବେଳେ ଦୁଇଦିନ ତଳେ ପୂର୍ବତନ ମେୟର ପିଣ୍ଟୁ ଦାସଙ୍କୁ ଉଠାଇଥିଲା । ପୀତବାସଙ୍କୁ ଗୁଳି ମାରିଥିବା ସାର୍ପସୁଟରକୁ ବେଙ୍ଗାଲୁରୁରୁ ଉଠାଇ ଆଣିଥିଲା ।
ଗତରାତିରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଘରୁ ଉଠାଇ ଏକ ଅଜ୍ଞାତ ସ୍ଥାନକୁ ନେଇଥିଲା ଏବଂ ରାତିସାରା ଜେରା କରିଥିଲା । ଏହି ଖବର ପ୍ରଚାରିତ ହେଲା ପରେ ବିକ୍ରମଙ୍କ ସମର୍ଥକମାନେ ଅଧାରାତିରୁ ବୈଦ୍ୟନାଥପୁର ଥାନା ଆଗରେ ମେଳି କରିଥିଲେ । ପୁଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ସେମାନେ ସକାଳେ ଅଫିସ ଘେରାଉ କରିବାକୁ ଉଦ୍ୟମ କରିଥିଲେ । କୌଣସି ଅଘଟଣ ଏଡ଼ାଇବା ପାଇଁ ଥାନା ଅଞ୍ଚଳ ସହିତ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।