ଭୁବନେଶ୍ୱର: ବିଜେପି ସରକାରର କୁଶାସନ ଓ କୁପରିଚାଳନାରେ ଓଡ଼ିଶାବାସୀ ଅତିଷ୍ଠ ହୋଇଗଲେଣି । ସାରା ରାଜ୍ୟରେ ଲୋକେ ଏବେ ଏଭଳି ଲୋକ ବିରୋଧୀ ଶାସନରେ ତ୍ରାହି ତ୍ରାହି ଡାକୁଛନ୍ତି । ତେଣୁ ଏକ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ଭାବେ ଓଡ଼ିଶାବାସୀଙ୍କୁ ଶାଣିତ ଓ ସଚେତନ କରିବା ଏବଂ ଓଡ଼ିଶାର ଲୋକମାନଙ୍କ ସ୍ୱାର୍ଥ ପାଇଁ ଲଢ଼େଇ କରିବାକୁ ବିଜେଡିର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଆଜି ନବଗଠିତ ବିଜେଡି ମିଡିଆ ସେଲ୍ ସଂଯୋଜକ ଟିମ୍ କୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ସନ୍ଧ୍ୟାରେ ନବୀନ ନିବାସରେ ଅନୁଷ୍ଠିତ ଏକ ବୈଠକରେ ନବୀନ ପଟ୍ଟନାୟକ ନବଗଠିତ ମିଡିଆ ସେଲ୍ ସଂଯୋଜକ ଟିମ୍ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହିତ ବିଜେପିର କଳାକାରନାମା ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ଲୋକଙ୍କ ନିକଟରେ ସଠିକ୍ ଭାବରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ । ଏଥିରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ବୈଦ୍ୟୁତିକ ଗଣମାଧ୍ୟମ, ମୁଦ୍ରିତ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକ୍ରମ ଏବଂ ସରକାରଙ୍କ ଜନବିରୋଧୀ କାର୍ଯ୍ୟକୁ
ପୁଙ୍ଖାନୁପୁଙ୍ଖ ଭାବରେ ଜନସାଧାରଣଙ୍କ ପାଖରେ ପହଞ୍ଚାଯିବ । ଭାରତୀୟ ଜନତା ପାର୍ଟି ଉପରେ ଜନସାଧାରଣଙ୍କ ମଧ୍ୟରେ ଯେଉଁ ତୀବ୍ର ଅସନ୍ତୋଷ ରହିଛି, ତାକୁ ଦୁର୍ବାର ଜନଆନ୍ଦୋଳନ ମାଧ୍ୟମରେ ତୋଳି ଧରିବାକୁ ନିଷ୍ପତ୍ତି ହୋଇଥିଲା । ଜନସାଧାରଣଙ୍କ ସାହାଯ୍ୟ, ସହଯୋଗ ଓ ଆଶୀର୍ବାଦରେ ଦଳ ଆଗକୁ ବଢ଼ିବ ଏବଂ ଓଡ଼ିଶାବାସୀଙ୍କ ସେବା ଜାରି ରଖିବ ବୋଲି ଏହି ବୈଠକରେ ମତ ପ୍ରକାଶ ପାଇଥିଲା ।