ଭୁବନେଶ୍ୱର: ବରଗଡ଼ ଜିଲ୍ଲାର ଟାଣୁଆ ବିଜେଡ଼ି ନେତା ତଥା ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ଗତ ବିଳମ୍ବିତ ରାତିରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ବରିହାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁଯାୟୀ, କିଛି ମାସ ତଳେ ଶ୍ରୀ ବରିହାଙ୍କହ ବ୍ୟାକ୍ ବୋନ୍ ରେ ଏକ ଅପରେସନ୍ ହୋଇଥିଲା । ପରବର୍ତ୍ତୀ ସମୟରେ ସେହି ଜାଗା ସଂକ୍ରମିତ ହୋଇ ପାଚି ଯାଇଥିଲା । ତାହାର ଚିକିତ୍ସା ଚାଲିଥିବା ବେଳେ ସେ କିଡନୀ ସମସ୍ୟାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା । ତାଙ୍କୁ ଆପୋଲୋ ହସ୍ପିଟାଲ୍ ରେ ଚିକିତ୍ସା କରାଯାଉଥିଲା ।
ବରଗଡ଼ ଜିଲ୍ଲାର ଜଣେ ଟାଣୁଆ ନେତା ଥିଲେ ବିଜୟ ରଂଜନ । ବିଜୁ ବାବୁଙ୍କର ସେ ଥିଲେ ରାଜନୈତିକ ଶିଷ୍ୟ । ୧୯୯୦ ମସିହାରେ ଜନତା ଦଳ ଟିକେଟରୁ ସେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୫ ମସିହାରେ ମଧ୍ୟ ଜନତା ଦଳ ଟିକେଟରେ ପୁନର୍ବାର ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ବିଜେଡି ଟିକେଟରେ ସେ ୨୦୦୦ ରୁ ୨୦୦୪, ୨୦୦୯ରୁ ୨୦୧୪ ଏବଂ ୨୦୧୯ ରୁ ବିଧାୟକ ଥିଲେ । ବିଜେଡି ସରକାରରେ ସେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।
ତାଙ୍କର ପତ୍ନୀ, ଗୋଟିଏ ପୁଅ ଏବଂ ଦୁଇ ଝିଅ ଅଛନ୍ତି ।