ଭୁବନେଶ୍ୱର/ଝାରସୁଗୁଡ଼ା: ବିଜେଡ଼ିର ହେଭିୱେଟ୍ ନେତା, ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଆଉ ନାହାନ୍ତି । ହୃଦଘାତ୍ ଯୋଗୁଁ ଆଜି ଝାରସୁଗୁଡ଼ାରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ସମ୍ପୂର୍ଣ୍ଣ ସୁସ୍ଥ ଥାଇ ରାଜନୀତିରେ ବେଶ୍ ଚଳଚଞ୍ଚଳ କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗ ରାଜନୈତିକ ମହଲକୁ ସ୍ତବ୍ଧ କରିଦେଇଛି । ସମଗ୍ର ପଶ୍ଚିମ ଓଡ଼ିଶାରେ ଶୋକର ଛାୟା ଖେଳାଇ ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସବୁ ଦଳର ନେତୃବୃନ୍ଦ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ସୂଚନା ଅନୁଯାୟୀ, ଆଜି ଦିନ ତମାମ ବିଧାୟକ ଶ୍ରୀ ମହାନ୍ତି ଦଳୀୟ କାର୍ଯ୍ୟରେ ବ୍ୟସ୍ତ ଥିଲେ । ତାଙ୍କର ଜଣେ ସହକର୍ମୀଙ୍କର ବିୟୋଗ ଘଟିଥିବାରୁ ସଂଧ୍ୟା ପ୍ରାୟ ୬ଟାରେ ଝାରସୁଗୁଡ଼ାସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଶୋକସଭାରେ ଯୋଗଦେବାକୁ ଯାଇଥିଲେ । ସେହି ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ତାଙ୍କ ମଙ୍ଗଳବଜାରସ୍ଥିତ ବାସଭବନକୁ ବିଶ୍ରାମ ପାଇଁ ଚାଲି ଆସିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନିକଟସ୍ଥ ଘରୋଇ ହସ୍ପିଟାଲ୍ କୁ ଚିକିତ୍ସା ପାଇଁ ଅଣାଯାଇଥିଲା । ମାତ୍ର ଡାକ୍ତରମାନେ ଚିକିତ୍ସା କରୁଥିବା ବେଳେ ସେ ଆଖି ବୁଜିଦେଇଥିଲେ ।
ଓଡ଼ିଶା ରାଜନୀତିରେ କିଶୋର ମହାନ୍ତି ଥିଲେ ଅତ୍ୟନ୍ତ ଦକ୍ଷ ଓ ଲୋକପ୍ରିୟ ନେତା । ଜଣେ ସରଳ, ସ୍ପଷ୍ଟବାଦୀ, ବିଚକ୍ଷଣ ରାଜନୀତିଜ୍ଞ ଏବଂ ସର୍ବୋପରି ମଣିଷ ଭଳି ମଣିଷ ଥିଲେ । ଝାରସୁଗୁଡ଼ା ଆସନରୁ ସେ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଚଳିତ ଥର ସେ ବ୍ରଜରାଜନଗର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
୨୦୦୭ ରୁ ୨୦୦୯ ପର୍ଯ୍ୟନ୍ତ ସେ ବିଧାନସଭାର ବାଚସ୍ପତି ଥିଲେ । ସେ ବାଚସ୍ପତି ଥିବାବେଳେ ବିଧାନସଭା ଗଣତାନ୍ତ୍ରିକ ଉଚ୍ଚ ପରମ୍ପରା ରକ୍ଷା ଦିଗରେ ସ୍ମରଣୀୟ ହୋଇ ରହିଛନ୍ତି । ଏହାପୂର୍ବରୁ ୨୦୦୪ ରୁ ୨୦୦୭ ପର୍ଯ୍ୟନ୍ତ ସେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ଦକ୍ଷତାର ସହ ଦାୟିତ୍ୱ ତୁଲାଇଥିଲେ । ୨୦୦୯ ରୁ ୨୦୧୨ ପର୍ଯ୍ୟନ୍ତ ସେ ରାଜ୍ୟସଭାର ସାଂସଦ ଏବଂ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିଲେ ।
କିଶୋର ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ ଏହି ଦୁଃଖଦ ଖବରରେ ସେ ଗଭୀର ଭାବରେ ମର୍ମାହତ । ସ୍ୱର୍ଗତ ମହାନ୍ତି ଜଣେ ଜନପ୍ରିୟ ନେତା ଭାବରେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ବାଚସ୍ପତି ଭାବେ ଉଚ୍ଚ ପରମ୍ପରା ବଜାୟ ରଖିବା ସହିତ ସବୁ ଦଳର ବିଧାୟକମାନଙ୍କ ସମ୍ମାନର ଅଧିକାରୀ ହୋଇପାରିଥିଲେ । ମନ୍ତ୍ରୀ ତଥା ବିଧାୟକ ଭାବରେ ଓଡ଼ିଶାର ବିକାଶ ପାଇଁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ମଧ୍ୟ ସେ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପଶ୍ଚିମ ଓଡ଼ିଶାରେ ବିଜୁ ଜନତା ଦଳର ସାଂଗଠନିକ କାର୍ଯ୍ୟକ୍ରମକୁ ଦୃଢ଼ ନେତୃତ୍ୱ ଦେଇଥିଲେ । ସେବା ଓ ପ୍ରତିବଦ୍ଧତା ତାଙ୍କ ବ୍ୟକ୍ତିତ୍ୱର ଅନନ୍ୟ ଦିଗ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି ।