ଭୁବନେଶ୍ୱର: ପ୍ରଶାସନକୁ ଜନତାଙ୍କ ବିଶ୍ୱାସଭାଜନ କରିବା ଲକ୍ଷ୍ୟରେ ଦୁଇବର୍ଷ ତଳେ ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷବ୍ୟକ୍ତ କରିଛନ୍ତି । ପ୍ରଶାସନିକ ସ୍ତରରେ ସରକାରଙ୍କ ଏହି ରୂପାନ୍ତର ଉଦ୍ୟମ ଜନସାଧାରଣଙ୍କ ମଧ୍ୟରେ ସରକାରଙ୍କ ସପକ୍ଷରେ ବିଶ୍ୱାସ ସୃଷ୍ଟି କରିପାରିଛି । ସରକାରୀ ପଦାଧିକାରୀ ଏବଂ କର୍ମଚାରୀମାନଙ୍କ ବ୍ୟବହାରିକ ପରିବର୍ତ୍ତନ ଆଣିବାରେ ଏହା ସକ୍ଷମ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ରାଜ୍ୟ ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ମୋ ସରକାର କାର୍ଯ୍ୟକ୍ରମର ଆଜି ସମୀକ୍ଷା ଅବସରରେ ପ୍ରଶାସନିକ ଅଧିକାରୀମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ବାର୍ତ୍ତା ଦେଇଥିଲେ । କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ହେଉଛି ଆମର ଲକ୍ଷ୍ୟ । ତେଣୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆମ ସମସ୍ତଙ୍କୁ କ୍ରମାଗତ ଭାବରେ ପରିବର୍ତ୍ତନ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ନାଗରିକମାନଙ୍କ ଡାଟା ବେସ୍ କୁ ସବୁ ସମୟରେ ନବୀକୃତ କରିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇବା ସହ ଏହା ଆମର ଜିରୋ ଟଲେରାନ୍ସ ନୀତିକୁ ସୁନିଶ୍ଚିତ କରିବ ବୋଲି କହିଥିଲେ ।
ସୂଚନା ଅନୁଯାୟୀ, ମୋ ସରକାର କାର୍ଯ୍ୟକ୍ରମରେ ୨୮ ଟି ବିଭାଗର ୨୨୨ଟି ସେବା ଅନ୍ତର୍ଭୁକ୍ତ କରାଯାଇ ଲୋକମାନଙ୍କଠାରୁ ନିୟମିତ ତଥ୍ୟ ସଂଗ୍ରହ କରାଯାଉଛି । ଆଜିର ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସ୍ୱରାଷ୍ଟ୍ର, ମହିଳା ଓ ଶିଶୁ ବିକାଶ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସେମାନଙ୍କ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଏହା ଉପରେ ଖୁସିବ୍ୟକ୍ତ କରି ବିଭାଗ ସମୁହକୁ ଧନ୍ୟବାଦ ଜଣାଇଥିଲେ । ଆହୁରି ଅଧିକ ନିଷ୍ଠାର ସହ ସେବା ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଉପସ୍ଥାପିତ ତଥ୍ୟର ଅନୁଶୀଳନ କରି ଏହି କାର୍ଯ୍ୟକ୍ରମର କିପରି ଅଧିକ ଉନ୍ନତି ଆସିପାରିବ, ସେ ସଂପର୍କରେ ମତାମତ ରଖିଥିଲେ ।
ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ ।
ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ସଚିବ ମନୋଜ ମିଶ୍ର ମୋ ସରକାର କାର୍ଯ୍ୟକ୍ରମ ସଂପର୍କରେ ଏକ ସାମଗ୍ରିକ ଉପସ୍ଥାପନା ପ୍ରଦାନ କରିଥିଲେ ।