ଭୁବନେଶ୍ୱର: ପ୍ରାୟ ଦୁଇବର୍ଷ ପରେ ପିଲା ଯିବେ ସ୍କୁଲ । କରୋନା ଯୋଗୁଁ ଦୁଇବର୍ଷ ହେଲା ସ୍କୁଲ ମାଟି ମାଡ଼ି ନ ଥିବା ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ନୂଆବର୍ଷରୁ ସ୍କୁଲ ଯାଇପାରିବେ । ଆସନ୍ତା ଜାନୁଆରୀ ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।
ନିଷ୍ପତ୍ତି ଅନୁଯାୟୀ, ଜାନୁଆରୀ ୩ ତାରିଖରୁ ରାଜ୍ୟରେ ୨୭ ହଜାର ସ୍କୁଲ ଖୋଲିବ । ଯେଉଁ ସ୍କୁଲରେ ସମ୍ମେଟିଭ୍ ପରୀକ୍ଷା ହେବ, ସେଠି ୧୦ ରୁ ସ୍କୁଲ ଖୋଲିବ । ସମ୍ପୂର୍ଣ୍ଣ କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ସକାଳ ୯ ଟାରୁ ଦିନ ୧୨ ଟା ଯାଏଁ ସ୍କୁଲରେ ପାଠପଢ଼ା ହେବ । ତେବେ ସ୍କୁଲ ଆସିବାକୁ କାହାରିକୁ ବାଧ୍ୟ କରାଯିବନି ।
ସ୍କୁଲ ଖୋଲା ହେଲେ ମଧ୍ୟ ଅନଲାଇନ୍ କ୍ଲାସ ବନ୍ଦ ହେବନାହିଁ । ତାହା ପୂର୍ବପରି ଚାଲୁ ରହିବ । ଯେଉଁ ପିଲା ଚାହିଁବେ, ଅନଲାଇନ୍ କ୍ଲାସ୍ କରିପାରିବେ । ନିଜ ପିଲାକୁ ସ୍କୁଲ ଛାଡ଼ିବେ ନା ନାହିଁ ତାହା ତାଙ୍କର ଅଭିଭାବକ ନିଷ୍ପତ୍ତି ନେବେ । ସ୍କୁଲ ଆସି କ୍ଲାସ୍ କରିବାକୁ ଚାହୁଁଥିବା ପିଲାମାନେ ଅଭିଭାବକଙ୍କଠାରୁ ସମ୍ମତି ଆଣିବାକୁ ପଡ଼ିବ ।
ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ଏସଓପି ଅନୁଯାୟୀ, ସମ୍ପୂର୍ଣ୍ଣ କୋଭିଡ୍ କଟକଣାରେ ଚାଲିବ ସ୍କୁଲ । ସ୍କୁଲ ଖୋଲିବା ପୂର୍ବରୁ ଶିକ୍ଷାଧିକାରୀମାନେ ସ୍କୁଲ ପରିଦର୍ଶନ କରି ଆନୁସଙ୍ଗିକ ବ୍ୟବସ୍ଥା ଓ ସ୍ୱଚ୍ଛତା ପରଖିବେ । ସ୍କୁଲରେ ହାତ ଧୋଇବା ବ୍ୟବସ୍ଥା ସୁନିଶ୍ଚିତ କରାଯିବ । ଡିଜିଟାଲ୍ ଥର୍ମୋମିଟର ରଖାଯିବ । କଣ୍ଟେନମେଣ୍ଟ ଜୋନ୍ ରେ ରହୁଥିଲେ ପିଲାମାନଙ୍କୁ ସ୍କୁଲ ଆସିବାକୁ ଅନୁମତି ଦିଆଯିବନି ।
ତେବେ ଗଣଶିକ୍ଷା ବିଭାଗର ଏହି ନିଷ୍ପତ୍ତି ଅନେକ ଅଭିଭାବକଙ୍କ ମନରେ ଚିନ୍ତା ଓ ବିଭ୍ରାନ୍ତ ସୃଷ୍ଟି କରିଛି । କରୋନାର ନୂଆ ଭାରିଏଣ୍ଟ୍ ଓମିକ୍ରନ୍ କୁ ନେଇ ସମସ୍ତେ ଚିନ୍ତାରେ ଥିବା ବେଳେ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ପ୍ରଶାସନକୁ ସଜାଗ କରିଛନ୍ତି । ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବକୁ ନେଇ ମୁଖ୍ୟମନ୍ତ୍ରୀ ଚିନ୍ତିତ ହେବା ସହ ରାଜ୍ୟବ୍ୟାପୀ ଶିଶୁଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କୋଭିଡ୍ ତୃତୀୟ ଲହର ଆକଳନ ଆସିଛି । ଫେବୃଆରୀ ଶେଷରେ ଓଡ଼ିଶାରେ କରୋନା ତୃତୀୟ ଲହର ପିକ୍ ଛୁଇଁବ ବୋଲି ଅନୁମାନ କରାଯାଇଛି । ଆଉ ଏଭଳି ସମୟରେ ପିଲାମାନଙ୍କୁ ସ୍କୁଲ ଛାଡ଼ିବା ନେଇ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି ।