ଭୁୁବନେଶ୍ୱର: ୧୨୭ତମ ସମ୍ବିଧାନ ସଂଶୋଧନ ବିଲ୍ ଉଭୟ ଲୋକସଭା ଓ ରାଜ୍ୟସଭାରେ ଗୃହୀତ ହୋଇଛି । ଏଣିକି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ନିଜର ଓବିସି ତାଲିକା ନିଜେ ପ୍ରସ୍ତୁତ କରିବାର ବ୍ୟବସ୍ଥା ଥିବାରୁ ଏହାର ବାସ୍ତବ କାର୍ଯ୍ୟକାରିତା ପାଇଁ ବିଜେଡ଼ି ତତ୍ପର ହୋଇଛି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ବିଜେଡ଼ି ସଂସଦୀୟ ଦଳ ଆଜି ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି । ୫୦% ସ୍ଥାନ ସଂରକ୍ଷଣ ସୀମା ହଟାଇ ତାହାକୁ ବଢ଼ାଇବା ଏବଂ ଜାତିଭିତ୍ତିକ ଜନଗଣନା ପାଇଁ ପଦକ୍ଷେପ ନେବାକୁ ଏଥିରେ ଦାବି କରାଯାଇଛି ।
ଗୃହମନ୍ତ୍ରୀ ଶ୍ରୀ ଶାହା ଏ ପ୍ରସଙ୍ଗରେ ଓଡ଼ିଶା ସାଂସଦଙ୍କ ଉଦବେଗକୁ ହୃଦୟଙ୍ଗମ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ତେବେ ବିଜେଡ଼ିର ଏହି ଅଭିଯାନକୁ ବିଜେପି ରାଜ୍ୟ ନେତାମାନେ କିନ୍ତୁ ସହଜରେ ଗ୍ରହଣ କରିନାହାନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଦୃଷ୍ଟିରୁ ବିଜେଡ଼ି ଶ୍ରେୟ ରାଜନୀତି କରୁଥିବା ସେମାନେ ଅଭିଯୋଗ କରିଛନ୍ତି ।
ସୂଚନାଥାଉକି, ଭୋଟ ରାଜନୀତିରେ ସ୍ଥାନ ସଂରକ୍ଷଣ ମୁଖ୍ୟ ପ୍ରସଙ୍ଗ ଥିବା ବେଳେ ଏହାର ଜଟିଳ ଅଙ୍କ ଅଛିଣ୍ଡା ରହିଛି । ୫୦% ସଂରକ୍ଷଣ ଭିତରେ ଓବିସିଙ୍କୁ ୨୭% ସ୍ଥାନ ସଂରକ୍ଷଣ ଦେବା ଓଡ଼ିଶା ଭଳି ରାଜ୍ୟରେ ସମ୍ଭବ ନୁହେଁ । ଆମ ରାଜ୍ୟରେ ଅନୁସୂଚିତ ଜାତିଙ୍କ ପାଇଁ ୨୨.୫% ଏବଂ ଜନଜାତିଙ୍କ ପାଇଁ ୧୬.୨୫% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଥିବାରୁ ବଳକା ୧୧.୨୫% ରହୁଛି ଓବିସିଙ୍କ ପାଇଁ । ଏ ପରିପ୍ରେକ୍ଷୀରେ ସେମାନେ ନ୍ୟାୟ ପାଇବା ସମ୍ଭବ ହେଉନାହିଁ ।
ଦ୍ୱିତୀୟ ସମସ୍ୟାଟି ହୋଇଛି ଓବିସିଙ୍କ ସଂଖ୍ୟା ଆକଳନ । ଆମ ରାଜ୍ୟରେ ୬୭୧ ବର୍ଗର ଓବିସି/ଏସିବିସି ରହିଥିଲେ ମଧ୍ୟ ସେମାନଙ୍କ ପ୍ରକୃତ ସଂଖ୍ୟା ଜଣାନାହିଁ । ଜାତିଭିତ୍ତିକ ଜନଗଣନା ହେଉ ନ ଥିବାରୁ ସେମାନଙ୍କ ସଂଖ୍ୟା ଜାଣିବା ସମ୍ଭବ ନୁହେଁ । ଶେଷଥର ପାଇଁ ଆନୁଷ୍ଠାନିକ ଭାବେ ୧୯୩୧ ମସିହାରେ ଦେଶରେ ଜାତିଭିତ୍ତିକ ଜନଗଣନା ହୋଇଥିଲା । ଏହାପରେ ୨୦୧୧ ମସିହାରେ ଜାତିଭିତ୍ତିକ ଜନଗଣନା କାର୍ଯ୍ୟ ହୋଇଥିଲେ ମଧ୍ୟ ତାହା ପ୍ରକାଶ କରାଗଲାନି ।
୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ଓବିସି ଓ ଏସଇବିସି ବର୍ଗଙ୍କ ସ୍ପଷ୍ଟ ଚିତ୍ର ସାମନାକୁ ଆଣି ସେମାନଙ୍କ ବିକାଶ ଯୋଜନା କରିବାକୁ ରାଜ୍ୟ ସରକାର ଆଗ୍ରହ ଦେଖାଇଥିଲେ । ୨୦୨୦ ଅଗଷ୍ଟ ମାସରେ ରାଜ୍ୟ କ୍ୟାବିନେଟ୍ ରେ ଏ ସମ୍ପର୍କରେ ଏକ ସଂକଳ୍ପ ପାରିତ ହୋଇଥିଲା । ପରବର୍ତ୍ତୀ ସମୟରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କୁ ଚିଠି ଲେଖିଥିଲେ । ୨୦୨୧ ଜନଗଣନା ବେଳେ ଓବିସି ଓ ଏସଇବିସି ବଗ ଅନ୍ତର୍ଭୁକ୍ତ ଜାତିଭିତ୍ତିକ ଜନଗଣନା ପାଇଁ ନିବେଦନ କରିଥିଲେ । ମାତ୍ର କେନ୍ଦ୍ର ସରକାର ରାଜି ହୋଇ ନ ଥିଲେ ।
ଏବେ ପାର୍ଲିଆମେଣ୍ଟରେ ବିନା ବିରୋଧରେ ୧୨୭ତମ ସମ୍ବିଧାନ ବିଲ୍ ପାରିତ ହେଲା ପରେ ସବୁ ରାଜ୍ୟ ପାଇଁ ଜଟିଳ ଗଣିତର ସମାଧାନ ବାଟ ଫିଟିଛି । ସଂରକ୍ଷଣ ସୀମା ୫୦% ରୁ ଅଧିକ ବୃଦ୍ଧି ଏବଂ ଜାତିଭିତ୍ତିକ ଜନଗଣନା ଜରୁରୀ ଆବଶ୍ୟକତା ହୋଇଛି । ଏହି ପରିପ୍ରେକ୍ଷୀରେ କାଳ ବିଳମ୍ବ ନ କରି ବିଜେଡ଼ି ସଂସଦୀୟ ଦଳ ଆଜି ଗୃହମନ୍ତ୍ରୀଙ୍କୁ ଭେଟିବା ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱ ବହନ କରିଛି ।