ଭୁୁବନେଶ୍ୱର: ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ବକ୍ତବ୍ୟକୁ ନେଇ ଚର୍ଚ୍ଚା । ବବି ଓ ପାଣ୍ଡିଆନ୍ ନବୀନଙ୍କର ଦୁଇ ଆଖି ଏବଂ ଏ ଦୁଇଟି ଆଖିରେ ମୁଖ୍ୟମନ୍ତ୍ରୀ ଯାହା ଦେଖିବେ, ତାହା ତାଙ୍କ ଦୁନିଆ ବୋଲି ସୌମ୍ୟ କହିଛନ୍ତି । କିଛି ଦିନ ତଳେ ଆମ ଘରର ହାଲଚାଲ ସ୍ତମ୍ଭରେ ମଧ୍ୟ ସୌମ୍ୟ ଏହି ପ୍ରସଙ୍ଗ ଉଖୁରେଇଥିଲେ । ତେବେ ଏହି ଥରେ କି ଦି ଥର ନୁହେଁ, ଗଲା ଦି ବର୍ଷ ଭିତରେ ଏଭଳି ଢ଼ଙ୍ଗରେ ସେ ବାରମ୍ବାର ନବୀନଙ୍କୁ ଟାର୍ଗେଟ୍ କରି ଆସୁଛନ୍ତି ।
କୌତୁହଳର କଥା ଯେ ସୌମ୍ୟ ବିଜେଡ଼ିରେ ମିଶିଲା ବେଳେ ଯେଉଁମାନେ ତାଙ୍କୁ ନୀତିଭ୍ରଷ୍ଟ, ମତିଭ୍ରମ, କଞ୍ଚା ବେପାରୀ କହି ଛିଛାକର କରିଥିଲେ ସେମାନେ ଏବେ ସୌମ୍ୟଙ୍କ କଥାରେ ତାଳି ମାରୁଛନ୍ତି । ପଛକଥା ଭୁଲି ସୌମ୍ୟଙ୍କ ଗୁଣାଗାନ କରୁଛନ୍ତି । ଅର୍ଥାତ୍ ଯାହାକୁ ଯେଉଁ କଥା ଯେତେବେଳେ ସୁହାଇଲା ।
ପ୍ରଜାତନ୍ତ୍ର ଉତ୍ସବରେ ସୌମ୍ୟ ବାବୁ ଯେଉଁ କଥାଟି କହିଛନ୍ତି ତାହାର ପ୍ରାସଙ୍ଗିକତା ସମ୍ପର୍କରେ ତାଙ୍କଠାରୁ ଅଧିକ କେହି ଜାଣି ନ ଥିବେ । ସେ କେତେବେଳେ କ’ଣ କହନ୍ତି ତାହା ଆକଳନ କରିବା କଷ୍ଟକର । ଗତ ୧୫ ବର୍ଷ ଧରି ସେଇ ନବୀନ ପଟ୍ଟନାୟକଙ୍କୁ ସେ ନିର୍ଧୂମ ଗାଳି କରୁଥିଲେ । ଚାଷୀ ବିରୋଧୀ, ଓଡ଼ିଆ ଭାଷା ବିରୋଧୀ କହି ତାଙ୍କର ଚଉଦ ପୁରୁଷ ଉଦ୍ଧାର କରୁଥିଲେ । ସରକାରଙ୍କ ବିରୋଧରେ ଚାଷୀ ଆନ୍ଦୋଳନର ନେତୃତ୍ୱ ନେଇ ବିଜେଡ଼ି ସରକାରଙ୍କ ଆତ୍ମାର ସଦଗତି କାମନା କରୁଥିଲେ ।








