ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗର ଅବସରପ୍ରାପ୍ତ ଅଣ୍ଡର ସେକ୍ରେଟାରୀ ପ୍ରକାଶ ଚନ୍ଦ୍ର ରଥଙ୍କୁ ଆଜି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଗିରଫ କରିଛି । ସ୍କଲାରସିପ୍ ସେକ୍ସନ୍ ର ସେ ଇନଚାର୍ଜ ଥିବା ବେଳେ ଛାତ୍ରବୃତ୍ତି ପ୍ରଦାନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଥିଲା । ଉଚ୍ଚଶିକ୍ଷା ବିଭାଗ ଏହି ମାମଲାର ତଦନ୍ତ ପାଇଁ ଇଓଡବ୍ଲୁକୁ ଦେଇଥିଲା । ଦୀର୍ଘ ୩ ବର୍ଷର ତଦନ୍ତ ପରେ ଇଓଡବ୍ଲୁ ଆଜି ତାଙ୍କୁ ବାଲିଅନ୍ତାରୁ ଗିରଫ କରିଛି ।
୨୦୧୪ ଓ ୨୦୧୫ ଶିକ୍ଷାବର୍ଷରେ ଉଚ୍ଚ ଶିକ୍ଷା ବିଭାଗର ଇ-ମେଧାବୃତ୍ତି ପ୍ରଦାନରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତାର ଏହି ମାମଲା । ସେତେବେଳେ ଇ- ମେଧାବୃତ୍ତି ଯୋଜନା ଦାୟିତ୍ୱରେ ଥିଲେ ଶ୍ରୀ ରଥ । ଅଣ୍ଡର ସେକ୍ରେଟାରୀ ଭାବେ ସେ ଏହି ଯୋଜନାର ଇନ୍-ଚାର୍ଜ ଥିଲେ । ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନଙ୍କଠାରୁ ଆସୁଥିବା ଆବେଦନଗୁଡ଼ିକୁ ଯାଞ୍ଚ କରି ସରକାରଙ୍କ ମେଧାବୃତ୍ତି ପ୍ରଦାନ ସକାଶେ ଚୟନ କରୁଥିଲେ ।
ତେବେ ଛାତ୍ରବୃତ୍ତି ପାଇଥିବା ଅନେକଙ୍କର ସେଥିପାଇଁ ଯୋଗ୍ୟତା ନ ଥିବା ପରବର୍ତ୍ତୀ ସମୟରେ ଅଭିଯୋଗ ଆସିଥିଲା । ଏହି ତାଲିକାରେ କୁଆଡ଼େ କିଛି ଅଣଛାତ୍ର ମଧ୍ୟ ଥିଲେ । ୨୦୧୭ ମସିହାରେ ଉଚ୍ଚଶିକ୍ଷା ବିଭାଗ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଅଭିଯୋଗ ଆସିଲା ପରେ ଇଓଡବ୍ଲୁକୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ସେ ଦାୟିତ୍ୱରେ ଥିଲା ବେଳେ ୨୩୫ ଅଯୋଗ୍ୟ ପିଲାଙ୍କୁ ୩୬.୧୦ ଲକ୍ଷ ଟଙ୍କାର ସ୍କଲାରସିପ୍ ପ୍ରଦାନ କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି ।