ନୂଆଦିଲ୍ଲୀ/ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ୫ ଦିନ ବାକି ଥିବା ବେଳେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଓଡ଼ିଶାକୁ ପ୍ରାପ୍ୟ ଅର୍ଥ ମିଳିନାହିଁ । କୃଷି ଓ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚାଲୁ ରହିଥିବା କେନ୍ଦ୍ରୀୟ ଯୋଜନା ଅର୍ଥରୁ ଅଧା ବି ମିଳିନାହିଁ । ବକେୟା ଅନୁଦାନ ତୁରନ୍ତ ଦେବା ପାଇଁ ଆଜି ବିଜେଡ଼ି ସାଂସଦ ପ୍ରତିନିଧି ଦଳ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ପରଷୋତ୍ତମ ରୁପାଲା ଏବଂ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ଙ୍କୁ ପୃଥକ୍ ଭେଟି ଦାବିପତ୍ର ଦେଇଛନ୍ତି ।
ଦାବିପତ୍ର ଅନୁଯାୟୀ, ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଅଧୀନସ୍ଥ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ୮୭୪.୧୩ କୋଟି ଟଙ୍କାର ଅନୁଦାନ ମିଳିବାକୁ ଥିଲା । ତେବେ ଏ ପର୍ଯ୍ୟନ୍ତ ଅଧା ଟଙ୍କା ବି ମିଳିନାହିଁ । ସମୁଦାୟ ୧୦ଟି ଯୋଜନା ପାଇଁ ମିଳିଛି ମାତ୍ର ୩୦୬.୦୭ କୋଟି ଟଙ୍କା । ଓଡ଼ିଶାକୁ ପୁଣି ପାଇବାର ଅଛି ୫୬୮.୦୬ କୋଟି ଟଙ୍କା ।
ସେହିଭଳି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟକାରୀ ହେଉଛି ୩ଟି କେନ୍ଦ୍ରୀୟ ଯୋଜନା । ମଧ୍ୟାହ୍ନ ଭୋଜନ ବାବଦ କେନ୍ଦ୍ରୀୟ କୋଟାରୁ ଓଡ଼ିଶା ଅଧିକ ୫୮.୬୪ କୋଟି ଟଙ୍କା ପାଇଥିଲେ ମଧ୍ୟ “ସମଗ୍ର ଶିକ୍ଷା’ ଯୋଜନାରେ ୧୮୯୩.୯୫ କୋଟିରୁ ମିଳିଛି ୧୨୪୬.୪୧ କୋଟି । ସାମଗ୍ରିକ ଭାବେ ଏହି ବିଭାଗ ଅଧୀନସ୍ଥ ଯୋଜନା ବାବଦରେ ଓଡ଼ିଶା ୨୩୮୫.୯୫ କୋଟି ପାଇବାକୁ ଥିବା ବେଳେ ମିଳିଛି ୧୭୮୭.୮୯ କୋଟି । ଅର୍ଥାତ ୫୯୮.୦୬ କୋଟି ଟଙ୍କା ପାଇବାକୁ ଅଛି ।
ଉଚ୍ଚଶିକ୍ଷା ବିଭାଗରେ କାର୍ଯ୍ୟକାରୀ ହେଉଥିବା ରୁସା ଯୋଜନାରେ କେନ୍ଦ୍ରୀୟ ଭାଗ ୧୩୫ କୋଟିରୁ ଏ ପର୍ଯ୍ୟନ୍ତ ମିଳିଛି ମାତ୍ର ୫.୦୪ କୋଟି । ଓଡ଼ିଶାକୁ ପୁଣି ମିଳିବାର ଅଛି ୧୨୯.୯୬ କୋଟି ଟଙ୍କା ।
ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ବସିଥିବା ବେଳେ ବକେୟା ଅନୁଦାନ ଅର୍ଥକୁ ଅବିଳମ୍ବେ ଦେବା ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ।