ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ବିଜେପି ଆଜି ତା’ର ପ୍ରାର୍ଥୀ ଘୋଷଣା କରିଛି । ଗତଥର ପ୍ରାର୍ଥୀ ଥିବା ଆଶ୍ରିତ ପଟ୍ଟନାୟକଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି । ଆଶ୍ରିତଙ୍କ ପ୍ରାର୍ଥୀତ୍ୱକୁ ନେଇ ଦଳରେ କୌଣସି ବିବାଦ ନ ଥିଲା । ପ୍ରଥମରୁ ହିଁ ତାଙ୍କ ପ୍ରାର୍ଥୀତ୍ୱ ସ୍ପଷ୍ଟ ହୋଇସାରିଥିଲା । ଦଳର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂ ଆଜି ଆଶ୍ରିତଙ୍କ ନାଁ ଘୋଷଣା କରିଛନ୍ତି ।
ବିଜେଡ଼ି ଗଡ଼ ଭାବେ ପରିଚିତ ପିପିଲିରୁ ଗତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ବିଜେଡ଼ିର ଟାଣୁଆ ନେତା ପ୍ରଦୀପ ମହାରଥୀଙ୍କ ସହ ଲଢ଼ି ମାତ୍ର ୧୫ ହଜାର ୭୮୭ ଭୋଟ ବ୍ୟବଧାନରେ ହାରିଥିଲେ । ମହାରଥୀ ୮୮,୫୧୮ ଭୋଟ ପାଇଥିଲା ବେଳେ ଆଶ୍ରିତ ପାଇଥିଲେ ୭୨,୭୩୧ ଭୋଟ । କଂଗ୍ରେସର ଅଜିତ ମଙ୍ଗରାଜ ମାତ୍ର ୯,୮୩୦ ଖଣ୍ଡ ଭୋଟ ପାଇଥିଲେ ।
ଆଜି ପ୍ରାର୍ଥୀତ୍ୱ ଘୋଷଣା ପରେ ଆଶ୍ରିତ ନିଜର ବିଜୟ ନେଇ ଦୃଢ଼ତା ଦେଖାଇଛନ୍ତି । ପିପିଲିରେ ଏଥର ଇତିହାସ ସୃଷ୍ଟି ହେବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।
ସେପଟେ ବିଜେଡ଼ି ପକ୍ଷରୁ ଆସନ୍ତାକାଲି ପ୍ରାର୍ଥୀ ଘୋଷଣା ହେବାର ସମ୍ଭାବନା ଅଛି । ଟିକେଟ ଦୌଡ଼ରେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ଏବଂ ପୁଅ ରୁଦ୍ର ଅଛନ୍ତି । ମାଆ-ପୁଅଙ୍କ ମଧ୍ୟରୁ ଜଣଙ୍କୁ ଟିକେଟ ମିଳିବ ବୋଲି କୁହାଯାଉଥିଲା ବେଳେ ସୁପ୍ରିମୋ ନବୀନ ପଟ୍ଟନାୟକ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି । ମାଆ-ପୁଅ କଳିରୁ ତୃତୀୟ ବ୍ୟକ୍ତିଙ୍କୁ ଯେ ଫାଇଦା ନ ମିଳିବ ତାହା ବି କହିହେବ ନାହିଁ । ନିକଟରେ ବାଲେଶ୍ୱର ଉପନିର୍ବାଚନ ପ୍ରାର୍ଥୀ ଚୟନ ବେଳେ ନବୀନଙ୍କ ନିଷ୍ପତ୍ତି ପରିପ୍ରେକ୍ଷୀରେ ପିପିଲି ସମସ୍ତଙ୍କ ଉକ୍ରଣ୍ଠା ବଢ଼ାଇଛି ।
କଂଗ୍ରେସର ପ୍ରାର୍ଥୀତ୍ୱ ବି ଝୁଲି ରହିଛି । ପିସିସି ପକ୍ଷରୁ ୩ ଜଣଙ୍କ ନାଁ ହାଇକମାଣ୍ଡଙ୍କ ନିକଟକୁ ପଠାଯାଇଛି । ସେମାନେ ହେଲେ ଅଜିତ୍ ମଙ୍ଗରାଜ, ନିଶିକାନ୍ତ ମିଶ୍ର ଏବଂ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । ଏହି ୩ ଜଣଙ୍କ ମଧ୍ୟରୁ ନିଶିକାନ୍ତଙ୍କ ନାଁକୁ ନେଇ ବେଶୀ ଚର୍ଚ୍ଚା ହେଉଛି । ତେବେ ଦିନେ ଦୁଇଦିନ ମଧ୍ୟରେ ଦିଲ୍ଲୀରୁ ଚୂଡ଼ାନ୍ତ ନାଁ ଘୋଷଣା ହେବ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନ ପାଇଁ ମାର୍ଚ୍ଚ ୩୦ ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ । ୩୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଏପ୍ରିଲ୍ ୧୭ ତାରିଖରେ ଭୋଟ ହୋଇ ମେ ୨ ତାରିଖରେ ଗଣତି ହେବ ।