ଭୁବନେଶ୍ୱର: ମମତା ମହାନ୍ତଙ୍କ ପରେ ଦ୍ୱିତୀୟ ସାଂସଦ ଭାବେ ରାଜ୍ୟସଭା ଏବଂ ବିଜେଡିରୁ ଇସ୍ତଫା ଦେଇଛନ୍ତି ସୁଜିତ୍ କୁମାର । ମମତାଙ୍କ ଭଳି ସୁଜିତ୍ ଙ୍କୁ ମଧ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳ ବିରୋଧୀ କାର୍ଯ୍ୟପାଇଁ ବହିଷ୍କୃତ କରିଛନ୍ତି । ଦଳରେ ତାଙ୍କୁ ଅନାଦର କରାଯାଉଥିଲା ବୋଲି ମମତାଙ୍କ ଭଳି ସୁଜିତ୍ ମଧ୍ୟ ବିଜେଡି ବିରୋଧରେ ବିଷୋାଦଗାର କରିଛନ୍ତି । ମମତାଙ୍କ ଭଳି ସୁଜିତ୍ ମଧ୍ୟ ତତକ୍ଷଣାତ୍ ବିଜେପିରେ ମିଶିଯାଇଛନ୍ତି ।
ବିଜେଡି ନେତୃତ୍ୱଙ୍କୁ ବୋକା ବନାଇ ମମତା ମହାନ୍ତ ଅପ୍ରତ୍ୟାଶିତ ଭାବେ ରାଜ୍ୟସଭା ସଦସ୍ୟ ଏବଂ ବିଜେଡିରୁ ଇସ୍ତଫା ଦେଇଥିଲେ । ବିଜେଡିର ରାଜ୍ୟସଭା ସାଂସଦ ଶିକାର ଅଭିଯାନରେ ବିଜେପି ତାଙ୍କୁ ପ୍ରଥମେ ମନାଇବାରେ ସଫଳ ହୋଇଥିଲା । ତାଙ୍କ ପରେ ସୁଜିତ୍ କୁମାରଙ୍କ ନାଁ ଚର୍ଚ୍ଚା ହୋଇ ଆସୁଥିଲା । ବିଜେପି ସହ ତାଙ୍କର ପୁରୁଣା ସମ୍ପର୍କ ଥିବାରୁ ତାଙ୍କୁ ମନାଇବା ଦଳୀୟ ନେତାଙ୍କ ପାଇଁ ଜମାରୁ କଷ୍ଟକର ନ ଥିଲା । ବିଜେପିର ଡାକରାକୁ ସୁଜିତ୍ ଗୋଡ଼ ଟେକି ରହିଥିବା ତାଙ୍କ ନିକଟତମ ମହଲରୁ ଖବର ଆସୁଥିଲା । ଶେଷରେ ତାଙ୍କର ମନସ୍କାମନା ପୂରଣ ହେଲା ।
ବିଶ୍ୱସ୍ତ ସୂତ୍ରର ଖବର ଅନୁଯାୟୀ, ଗତକାଲି ସୁଜିତ୍ ଙ୍କୁ ବିଜେପିରୁ ସିଗନାଲ୍ ମିଳିଯାଇଥିଲା । ବିଜେପିରେ ତାଙ୍କର ଯୋଗଦାନର ଦିନ, ସ୍ଥାନ ଓ ସମୟ ସ୍ଥିର ହୋଇଗଲା । ଅତି ଗୋପନ ଢ଼ଙ୍ଗରେ ଏଥିପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା ଏବଂ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫାପତ୍ର ଗତ ରାତିରେ ସୁଜିତ୍ ଟାଇପ୍ କରିଥିଲେ । ତେବେ କୌଣସି ସୂତ୍ରରୁ ନବୀନ ନିବାସରେ ଏହି ଖବର ପହଞ୍ଚିଯିବା ପରେ ତାଙ୍କୁ ରୋକିବା ପାଇଁ ପ୍ରବଳ ଉଦ୍ୟମ ହୋଇଥିଲା । ମାତ୍ର ସେତେବେଳକୁ ନେଡ଼ି ଗୁଣ କହୁଣିକୁ ବୋହି ସାରିଥିଲା । ଦିଲ୍ଲୀରେ ଥିବା ସୁଜିତ୍ କୁମାରଙ୍କ ସହ ଆଉ ଯୋଗାଯୋଗ କରିବା ବିଜେଡି ମାମଲତମାନଙ୍କ ପକ୍ଷେ ସମ୍ଭବ ହେଲାନାହିଁ ।
ଉଦ୍ୟମ ବିଫଳ ହେବା ପରେ ତୁରନ୍ତ ତାଙ୍କୁ ଦଳରୁ ବହିଷ୍କାର ଆଦେଶ ଟାଇପ୍ ହୋଇଥିଲା ଏବଂ ସଭାପତି ନବୀନ ପଟ୍ଟନାୟକ ଦସ୍ତଖତ କରିଥିଲେ । ରୋଚକ କଥା ହେଉଛି, ଆଜି ଏହି ବହିଷ୍କାର ଆଦେଶ ବାହାରିବାର କିଛି ସମୟ ମଧ୍ୟରେ ବିଜେଡି ଏବଂ ରାଜ୍ୟସଭାରୁ ସୁଜିତ୍ କୁମାରଙ୍କ ଇସ୍ତଫାପତ୍ର ସୋସିଆଲ୍ ମିଡିଆରେ ଘୂରି ବୁଲିଲା । ବିଜେଡିରୁ ସେ ଇସ୍ତଫା ଦେବା ପୂର୍ବରୁ ଦଳରୁ ତାଙ୍କୁ ବହିଷ୍କାର କରା ସରିଥିଲା ବୋଲି ବିଜେଡି ପକ୍ଷରୁ ଦାବି କରାଯାଉଥିବା ବେଳେ ଆଗ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି ବୋଲି ସୁଜିତ୍ ଚାଲେଂଜ ଦେଇଛନ୍ତି । ତାଙ୍କ ଇସ୍ତଫାର ସମୟ ଇ-ମେଲ୍ ରେ ମହଜୁଦ ଅଛି ବୋଲି ସେ କହିଛନ୍ତି । ଯାହା ବି ହେଉ, ରାଜନୀତି ନାଟକର ଏହା ଯେ ଗୋଟିଏ ଗୋଟିଏ ଦୃଶ୍ୟ ତାହା ସମସ୍ତେ ଜାଣିଛନ୍ତି । ତେଣୁ ଇସ୍ତଫା ଆଗ କି ବହିଷ୍କାର ଆଗ ତାହା ଜାଣିବାକୁ ଜନତାଙ୍କର ଆଗ୍ରହ ନାହିଁ ।
ସେପଟେ, ବିଜେଡିରୁ ଇସ୍ତଫା ଏବଂ ବହିଷ୍କାର ନାଟକର କିଛି ସମୟ ପରେ ଦିଲ୍ଲୀର ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ହାଜର ହୋଇଯାଇଥିଲେ ସୁଜିତ୍ କୁମାର । ସାଙ୍ଗରେ ଥିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ବିଜେପି ପ୍ରଭାରୀ ବିଜୟ ସିଂ ତୋମାର, ଅରୁଣ ସିଂ ପହଞ୍ଚିଥିଲେ । ସେଠାରେ ମିଶ୍ରଣ ପର୍ବର ଆୟୋଜନ ସରିଥିଲା । ସୁଜିତ୍ କୁମାରଙ୍କ ବେକରେ ଉତ୍ତରୀୟ ପକାଇ ତାଙ୍କୁ ବିଜେପିରେ ସାମିଲ କରାଗଲା ।
ସିଧା ଓ ସରଳ ଭାଷାରେ କହିଲେ, ସୁଜିତ୍ କୁମାର ବିଜେପି ଆଡକୁ ବହୁ ପୂର୍ବରୁ ଆକୃଷ୍ଟ ହୋଇ ରହିଥିଲେ । ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରିପ୍ରେକ୍ଷୀରେ ଦଳରୁ ମୁହଁ ଫେରାଇ ନେବା ପାଇଁ ତାଙ୍କର ଆଗ୍ରହ ବଢ଼ିଥିଲା । ଆବଶ୍ୟକତା ଦୃଷ୍ଟିରୁ ବିଜେଡିର ରାଜ୍ୟସଭା ଆସନ ଉପରେ ବିଜେପି ଆଖି ପକାଇଥିବାରୁ ସୁଜିତ୍ ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଗଲା । ମମତା ମହାନ୍ତଙ୍କ କ୍ଷେତ୍ରରେ ବିଜେପି ତା’ର ପ୍ରତିଶ୍ରୁତି ରକ୍ଷା କରିଥିବାରୁ ସୁଜିତ୍ ଙ୍କର କିଛି ଆଶଙ୍କା ନ ଥିଲା । ବିଜେପି ବାଟକୁ ଅତି ଆଗ୍ରହର ସହ ଗୋଡ଼ ଟେକି ରହିଥିଲେ । ଶେଷରେ ବିଜେପିରେ ତାଙ୍କ ଭାଗ୍ୟ ଖୋଲିଗଲା । ଶିକାର ବନିବାରେ ତାଙ୍କର ଦ୍ୱିଧା ରହିଲାନି ।
ବିଜେପିରେ ମିଶିବା ପରେ ସୁଜିତ୍ ବିଜେଡି ବିରୋଧରେ ବର୍ଷିଛନ୍ତି । ତାଙ୍କର ଜନ୍ମମାଟି କଳାହାଣ୍ଡିର ଯେମିତି ବିକାଶ ହେବା କଥା ହୋଇପାରିଲାନି କହି ଅନେକ ଦୁର୍ନୀତିର ଅଭିଯୋଗ ଆଣିଛନ୍ତି । କଳାହାଣ୍ଡିରୁ ହଜାର ହଜାର କୋଟି ଲୁଟ୍ ହୋଇଛି ଏବଂ ଏହି ଦୁର୍ନୀତିରେ ଅଫିସର ଓ ବିଜେଡି ନେତା ସାମିଲ ବୋଲି କହିଛନ୍ତି । ଆଗକୁ ଦୁର୍ନୀତି ନେଇ ଆହୁରି ଖୁଲାସା କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଅନ୍ୟପକ୍ଷରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତାଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ଏକ ଭିଡିଓ ଜାରି କରି ସୁଜିତ୍ କୁମାର ଦଳ ଓ ନେତୃତ୍ୱ ପ୍ରତି ବିଶ୍ୱାସଘାତକତା କରିଛନ୍ତି ବୋଲି କହିଛନ୍ତି । ଜଣେ ଶିକ୍ଷିତ ଯୁବକ ଭାବେ ଦଳ ତାଙ୍କୁ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ଯଥେଷ୍ଟ ସୁଯୋଗ ଦେଇଥିଲା । ଯୋଜନାବୋର୍ଡର ସଦସ୍ୟଠାରୁ ଆରମ୍ଭ କରି ଶେଷରେ ରାଜ୍ୟସଭାକୁ ପଠାଇଥିଲା । ମାତ୍ର ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସେ ବିଜେଡି, ଓଡ଼ିଶାବାସୀ ଏବଂ ବିଶେଷକରି କଳାହାଣ୍ଡିବାସୀଙ୍କୁ ପ୍ରତାରିତ କରିଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ସୂଚନାଯୋଗ୍ୟ, ଏକଦା ନବୀନ ପଟ୍ଟନାୟକ ଓ ଭି.କେ.ପାଣ୍ଡିଆନଙ୍କର ଖୁବ୍ ବିଶ୍ୱସ୍ତ ଥିଲେ ସୁଜିତ୍ କୁମାର । ଦଳ ଓ ସରକାରର ତାଙ୍କୁ ଅନ୍ୟତମ ପରାମର୍ଶଦାତା କୁହାଯାଉଥିଲା । ନିର୍ବାଚନ ବେଳେ ଦଳର ଷ୍ଟ୍ରାଟେଜିଷ୍ଟ ଭାବେ କାମ କରୁଥିଲେ । ୨୦୧୯ରେ ତାଙ୍କୁ ରାଜ୍ୟସଭା ପଠାଇଥିଲେ ନବୀନ । ତେବେ ପରବର୍ତ୍ତୀ ସମୟରେ ସେ ବିଜେପି ସହିତ ଗୋପନ ସମ୍ପର୍କରେ ଥିବା ଚର୍ଚ୍ଚା ହେଉଥିଲା । ଗତ ନିର୍ବାଚନ ପୂର୍ବରୁ ତାଙ୍କୁ ନେଇ ଦଳରେ ଅନେକ କଥା ଶୁଣିବାକୁ ମିଳୁଥିଲା । ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ଥିଲା ।
ସୁଜିତ୍ ଙ୍କ ଇସ୍ତଫା ପରେ ରାଜ୍ୟସଭାରେ ବିଜେଡି ସଂଖ୍ୟା ୭ କୁ ଖସି ଆସିଛି । ସୁତରାଂ ଦଳ ପାଇଁ ଏହା ଆଉ ଏକ ବଡ଼ ଧକ୍କା ହୋଇଛି । ବିଜେପି ତାର ରଣନୀତିରେ ମାଡ଼ି ଚାଲିଥିବା ବେଳେ ବିଜେଡିର ଏଭଳି ଅବସ୍ଥାକୁ ନେଇ ବରିଷ୍ଠ ନେତାମାନେ ବିବ୍ରତ ହୋଇଛନ୍ତି । ଆଗକୁ ଆହୁରି ୨ ଜଣ ବିଜେଡି ରାଜ୍ୟସଭା ସଦସ୍ୟ ବିଜେପି ପଟକୁ ଚାଲିଯିବେ ବୋଲି ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଦଳୀୟ ସାଂସଦଙ୍କୁ ଏକଜୁଟ୍ କରି ରଖିବାରେ ସେଭଳି କୌଣସି ରଣନୀତି ଜଣାପଡୁନାହିଁ । ଏଭଳି ସ୍ଥିତି ଜାରି ରହିଲେ ବିଜେଡି ଅବସ୍ଥା ଶୋଚନୀୟ ହୋଇଯିବ ବୋଲି କୁହାଯାଉଛି ।