ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ା ଜେଲ୍ ରେ ଖୁଲମଖୁଲା ଚାଲିଛି ନିଶା ବେପାର । ଖୋଦ୍ ଜେଲ୍ କର୍ତ୍ତୃପକ୍ଷ ଅପରାଧୀମାନଙ୍କୁ ଏହା ଯୋଗାଇ ଦେଉଛନ୍ତି । କେବଳ ଗଞ୍ଜେଇରୁ ଜେଲ୍ ର ମାସିକ ଲାଭ ପାଉଛନ୍ତି ୫୦ରୁ ୬୦ ଲକ୍ଷ ଟଙ୍କା । ଏହାବାଦ୍ ଅନ୍ୟ ବେପାର ଅଛି । ତଦନ୍ତ ପାଇଁ ମୋ ପାଖକୁ ଆସନ୍ତୁ । ମୁଁ ନିର୍ଭୟରେ ସବୁ କଥା କହିବି । ସବୁର ପ୍ରମାଣ ଦେବି ।
ଝାରପଡ଼ା ଜେଲ୍ ମଧ୍ୟରେ ଚାଲିଥିବା କେଳେଙ୍କାରୀର ପର୍ଦ୍ଦାଫାସ କରି ଚର୍ଚ୍ଚାରେ ଥିବା ବିଚାରାଧୀନ ବନ୍ଦୀ ସୌମ୍ୟ ମହାନ୍ତିଙ୍କର ଏହି ଅଡିଓ ଆଜି ଭାଇରାଲ୍ ହୋଇଛି । ଜେଲ୍ ରେ ନିଶା ସମେତ ଯାବତୀୟ କାରବାରର ଗୁମର ଖୋଲି ୪ ଦିନ ତଳେ ଗ୍ୟାଙ୍ଗଷ୍ଟର୍ ହାଇଦର ପୁଅ ମୁନା ଗ୍ୟାଙ୍ଗ ଆକ୍ରମଣର ଶିକାର ହୋଇଥିବା ସୌମ୍ୟ ଡ଼ରି ନ ଯାଇ ଏଭଳି ଆହୁରି ଅନେକ ଚାଞ୍ଚଲ୍ୟକର କଥା କହିଛନ୍ତି ।
ତାଙ୍କ ଉପରେ ହୋଇଥିବା ଆକ୍ରମଣର ନିରପେକ୍ଷ ତଦନ୍ତ ହେଲେ ସବୁ ସତ ଖୋଲି ଯାଆନ୍ତା । ମାତ୍ର ଏବେ ଯେଉଁ ତଦନ୍ତ ହୋଇଛି ତାହା କେବଳ ଆଇ ୱାସ୍ ବୋଲି କହିଛନ୍ତି । ଜେଲ୍ ବିଭାଗର ବରିଷ୍ଠ ଅଧିକାରୀମାନେ ମାମଲାକୁ ଓଲଟି ଚାପି ଦେବାକୁ ଚାହୁଁଛନ୍ତି ବୋଲି ସୌମ୍ୟ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।
ସେ କହିଛନ୍ତି, ଯେଉଁ ଜେଲ୍ ଡିଆଇଜିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି ସେ ହେଉଛନ୍ତି ସୁପରିଟେଣ୍ଡେଣ୍ଟଙ୍କ କ୍ଲାସମେଟ୍ । ଏହି ମାମଲାରୁ ସୁପରିଟେଣ୍ଡେଣ୍ଟଙ୍କୁ ଖସାଇବା ପାଇଁ ସେ ପ୍ରାଣପଣେ ଲାଗିପଡ଼ିଛନ୍ତି । ଯେଉଁଥିରେ ସୁପରିଟେଣ୍ଡେଣ୍ଟଙ୍କ ନାଁ ଆସିବନି ସେଭଳି ବୟାନ ଦେବାକୁ ମୋତେ ବାଧ୍ୟ କରାଯାଉଛି । ବନ୍ଦୀମାନଙ୍କୁ ପ୍ରଲୋଭନ ଦେଇ ମୋ ବିରୋଧରେ ବୟାନ ଦେବାକୁ ବାଧ୍ୟ କରାଯାଉଛି । ଏଭଳି ତଦନ୍ତରେ ମୁଁ ଆଦୌ ସନ୍ତୁଷ୍ଟ ନୁହେଁ । ଏହି ମାମଲା ମାନବାଧିକାର କମିସନଙ୍କ ପାଖକୁ ନେବାକୁ ଚାହୁଁଛି । ଓଡ଼ିଶା ପୁଲିସ ସ୍ୱାଧୀନ ଭାବେ ଏହାର ତଦନ୍ତ କରୁ ବୋଲି ମୁଁ ପ୍ରାର୍ଥନା କରୁଛି ।
ସୂଚନାଯୋଗ୍ୟ, ଏକ ଠକେଇ ଏବଂ ଅନ୍ୟ କିଛି ମାମଲାରେ ଗିରଫ ହୋଇ ୪ ବର୍ଷ ୮ ମାସ ହେଲା ଝାରପଡ଼ା ଜେଲ୍ ରେ ରହୁଥିବା କଟକର ସୌମ୍ୟ ମହାନ୍ତିଙ୍କୁ ଗତ ୧ ତାରିଖରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ନିହତ ଗ୍ୟାଙ୍ଗଷ୍ଟର୍ ହାଇଦରର ପୁଅ ମୁନା ଗ୍ୟାଙ୍ଗ୍ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଜେଲ୍ ଗୁମର ଫିଟାଇବାରୁ ସେମାନେ ପ୍ରତିଶୋଧପରାୟଣ ହୋଇ ଏଭଳି କାଣ୍ଡ କରିଥିଲେ । ଜେଲ୍ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏହି ଆକ୍ରମଣ ହୋଇଥିବା ସୌମ୍ୟ ଅଭିଯୋଗ କରିଛନ୍ତି ।
ପରଦିନ ଜେଲ୍ ଏଡିଜି ଅମିତାଭ ଠାକୁର ଝାରପଡ଼ା ଯାଇ ଅନୁଧ୍ୟାନ କରିବା ସହ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ କଟକ ଡିଭିଜନ୍ ଜେଲ୍ ଡିଆଇଜି ଅନୁସୂୟା ଜେନାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ରିପୋର୍ଟ ଆସିବା ପରେ ଦାୟିତ୍ୱରେ ଅବହେଳା କରିଥିବା ଜେଲ କର୍ମଚାରୀ ଓ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଠାକୁର କହିଥିଲେ ।
ସୌମ୍ୟଙ୍କ ଉପରେ କାହିଁକି ଆକ୍ରମଣ?








