ଭୁବନେଶ୍ୱର: କେନ୍ଦ୍ରଠାରୁ ଓଡ଼ିଶାର ହକ୍ ପ୍ରାପ୍ୟ ମାଗିଛନ୍ତି ବିଜେଡି ସାଂସଦ ଦଳ । ଫୁଡ୍ ସବସିଡି ବାବଦରେ କେନ୍ଦ୍ର ଉପରେ ବକେୟା ଅର୍ଥ ୧୪,୨୯୨.୫୧ କୋଟି ଟଙ୍କା ଏବଂ ଅତିରିକ୍ତ ସୁଧ ବାବଦରେ ୬,୧୮୭ କୋଟି ଟଙ୍କା ଶୀଘ୍ର ଦେଇ ଦେବାକୁ ସେମାନେ ଦାବି କରିଛନ୍ତି । କେନ୍ଦ୍ର ଖାଦ୍ୟ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଭେଟି ଆଲୋଚନା କରିବା ସହ ଏକ ସ୍ମାରକପତ୍ର ଦେଇଛନ୍ତି ।
ସ୍ମାରକପତ୍ରରେ କୁହାଯାଇଛି, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାର ଶସ୍ୟ ଉତ୍ପାଦନରେ ରେକର୍ଡ ସୃଷ୍ଟି କରିଛନ୍ତି । ଦେଶରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଇବାରେ ଓଡ଼ିଶା ତୃତୀୟ ବୃହତ୍ତମ ରାଜ୍ୟ । ଏହି ପ୍ରକ୍ରିୟାରେ ଚାଷୀଙ୍କଠାରୁ ଚାଉଳ ସଂଗ୍ରହ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ହୋଇଥିଲେ ମଧ୍ୟ ଚାଷୀଙ୍କ ସୁବିଧା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାର ଖାଦ୍ୟଶସ୍ୟ ସଂଗ୍ରହ ଦାୟିତ୍ୱ ନେଇଛନ୍ତି । ଏଥିପାଇଁ ଉଭୟଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି ।
ଏହିକ୍ରମରେ ଭାରତ ସରକାରଙ୍କ ଉପରେ ଓଡ଼ିଶା ସରକାରଙ୍କ ଫୁଡ୍ ସବସିଡି ବାବଦ ବକେୟା ଅର୍ଥ ୧୪,୨୯୨.୫୧ କୋଟି ଟଙ୍କା ପଡିଛି । ସେଥିରୁ ୧୧,୬୮୯.୨୧ କୋଟି ଟଙ୍କା ପ୍ରୋଭିଜିନାଲ୍ ଫୁଡ ସବସିଡି ହୋଇଥିଲା ବେଳେ ୨୬୦୩.୩୦ କୋଟି ଟଙ୍କା ହେଉଛି ଆଡଭାନ୍ସ ସବସିଡି ।
ଖାଲି ସେତିକି ନୁହେଁ, ସବସିଡି ଅର୍ଥ ଦେବାରେ ବିଳମ୍ବ ହେତୁ ଅତିରିକ୍ତ ସୁଧ ବାବଦକୁ ଓଡିଶା ଯୋଗାଣ ନିଗମ ୬,୧୮୭ କୋଟି ଟଙ୍କା ପାଇବାକୁ ଅଛି ।
ଓଡ଼ିଶା ବିଶେଷ କରି ପଶ୍ଚିମ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ବକେୟା ଅର୍ଥ ଏବଂ ସୁଧ ଟଙ୍କା ତୁରନ୍ତ ଦେବାକୁ ବିଜେଡି ସାଂସଦ ଦଳ ଅନୁରୋଧ କରିଛନ୍ତି ।