ଭୁବନେଶ୍ୱର: ହରିଦାସପୁର-ପାରାଦ୍ୱୀପ ରେଳପଥରେ ମାଲବାହୀ ଟ୍ରେନ୍ ଚଳାଚଳକୁ ଦୁଇବର୍ଷ ହେଲାଣି । ମାତ୍ର ଏ ପର୍ଯ୍ୟନ୍ତ ଯାତ୍ରୀବାହୀ ଟ୍ରେନ୍ ଚାଲିପାରିଲା ନାହିଁ । ସମସ୍ତ ଔପଚାରିକତା ସମାପ୍ତ ହୋଇଥିବା ବେଳେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କାହିଁକି ଆରମ୍ଭ ହେଉନାହିଁ ବୋଲି ପ୍ରଶ୍ନ କରିଛି ବିଜେଡି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଜେଡି ବିଧାୟକମାନେ ମିଳିତ ଭାବେ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ସମାଲୋଚନା କରିଛନ୍ତି ।
ମହାକାଳପଡ଼ା ବିଧାୟକ ତଥା ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ହରିଦାସପୁର-ପାରାଦ୍ୱୀପ ୮୨ କିଲୋମିଟର ଦୀର୍ଘ ରେଳପଥରେ ଗତ ୨୩.୦୯.୨୦୨୦ ରୁ ମାଲବାହୀ ଟ୍ରେନ୍ ଚଳାଚଳ କରୁଛି । ଏହି ଲାଇନ୍ ରେ ନିୟମିତ ପ୍ରାୟ ୨୦ ରେକ୍ ମାଲବାହୀ ଟ୍ରେନ୍ ଚଳାଚଳ କରିବା ସହିତ ଭାରତ ସରକାରଙ୍କୁ କୋଟି କୋଟି ଟଙ୍କା ରାଜସ୍ୱ ପ୍ରଦାନ କରୁଛି । ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ପରୀକ୍ଷାମୂଳକ ଚଳାଚଳ ସମାପ୍ତ ହୋଇଛି । ପୂର୍ବତଟ ରେଳବାଇ ପକ୍ଷରୁ ଏହି ଲାଇନ୍ ରେ ଯାତ୍ରୀବାହୀ ରେଳ ଚଳାଚଳକୁ ଏନଓସି ପ୍ରଦାନ କରାଯାଇଛି । କୋଲକତାସ୍ଥିତ ପୂର୍ବାଞ୍ଚଳ ରେଳ ସୁରକ୍ଷା କମିସନର ମଧ୍ୟ ଯାତ୍ରୀବାହୀ ଟ୍ରେନ୍ ଚଳାଚଳକୁ ସବୁଜ ସଙ୍କେତ ଦେଇଛନ୍ତି । ସମସ୍ତ ଔପଚାରିକତା ସରିଥିଲେ ମଧ୍ୟ ଏହି ଲାଇନ୍ ରେ ଯାତ୍ରୀବାହୀ ଟ୍ରେନ୍ କାହିଁକି ଚଳାଚଳ ଆରମ୍ଭ ହେଉନାହିଁ ତାହା ଆମେ ବୁଝିପାରୁନାହୁଁ ।
ଶ୍ରୀ ନାୟକ ପୁଣି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରେଳଲାଇନ୍ ର ନିର୍ମାଣ କାର୍ଯ୍ୟର ନିୟମିତ ସମୀକ୍ଷା କରିବା ସହିତ ଏ ନେଇ ରେଳବାଇ କର୍ତ୍ତୃପକ୍ଷଙ୍କ ସହିତ ବାରମ୍ବାର ଆଲୋଚନା କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରି ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ଲିଖିତ ଭାବେ ମଧ୍ୟ ଅନୁରୋଧ କରିଥିଲେ । ଏହି ରେଳଲାଇନ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ବିନା ମୂଲ୍ୟରେ ଜମି ଓ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କର ବାରମ୍ବାର ଅନୁରୋଧ ସତ୍ତ୍ୱେ ଯାତ୍ରୀବାହୀ ଟ୍ରେନ୍ ଚଳାଇବାରେ ଟାଳଟୁଳ ନୀତି ଅତ୍ୟନ୍ତ ପରିତାପର ବିଷୟ । ଏହି ରେଳଲାଇନ୍ ରେ ତୁରନ୍ତ ଯାତ୍ରୀବାହୀ ଟ୍ରେନ୍ ଚଳାଇବା ଆମର ଦାବି ବୋଲି ସେ କହିଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ ଏବଂ ପାଟକୁରା ବିଧାୟକ ସାବିତ୍ରୀ ଅଗ୍ରୱାଲ୍ ଉପସ୍ଥିତ ଥିଲେ ।