ଭୁବନେଶ୍ୱର: ସଂସଦର ମୌସୁମୀ ଅଧିବେଶନ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ । ସେହିଦିନ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଆଜି ବିଜେଡ଼ି ସଂସଦୀୟ ଦଳକୁ ଆଗାମୀ ରଣନୀତି ଜଣାଇ ଦେଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଜୋରଦାର ଢ଼ଙ୍ଗରେ ଉପସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ବୈଠକରେ ପରାମର୍ଶ ଦେଇଛନ୍ତି ।
ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଆଲୋଚନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ଆମ ଦେଶର ସର୍ବୋଚ୍ଚ ପଦବୀରେ ବସିବାକୁ ଯାଉଛନ୍ତି । ବାସ୍ତବରେ ଏହା ଆମ ରାଜ୍ୟ ପାଇଁ ସମ୍ମାନ ଓ ଗୌରବର ବିଷୟ । ଓଡ଼ିଶାବାସୀ ଏବଂ ବିଜେଡି ପକ୍ଷରୁ ତାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଦେବା ଆମ ପାଇଁ ଜରୁରୀ ବୋଲି ସେ କହିଥିଲେ ।
ସଂସଦରେ ବିଜେଡିର ଭୂମିକା କେମିତି ରହିବ ସେ ସମ୍ପର୍କରେ ଆଲୋକପାତ କରିବା ପୂର୍ବରୁ ନବୀନ କହିଥିଲେ, ମେ ୩୦ ରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ସମୟରେ ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗରେ ବହୁତ କଥା ଆଲୋଚନା କରିଥିଲି । ସବୁ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଥିଲି । ସଂପୃକ୍ତ ମନ୍ତ୍ରଣାଳୟ ସହ ଯୋଗାଯୋଗରେ ରହି ଏହି ପ୍ରସଙ୍ଗଗୁଡ଼ିକ ଧାର୍ଯ୍ୟ ସମୟରେ ସମାଧାନ କରିବା ଦିଗରେ କାର୍ଯ୍ୟ କରିବାକୁ ସେ ସାଂସଦମାନଙ୍କୁ ପରାମର୍ଶ ଦେଇଥିଲେ ।
ରାଜ୍ୟରେ ନିର୍ମାଣାଧୀନ ରେଳ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ସ୍ୱାମୀନାଥନ୍ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବା, ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ, ଓଡ଼ିଶା ବିଧାନ ପରିଷଦ ଗଠନ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ସମ୍ବିଧାନର ଅଷ୍ଟମ ସୂଚୀରେ ‘ହୋ’ ଭାଷାକୁ ଅନ୍ତର୍ଭୁକ୍ତ କରାଯିବା ଆଦି ଓଡ଼ିଶାର ପ୍ରମୁଖ ଦାବିଗୁଡ଼ିକୁ ଜୋରଦାର ଢ଼ଙ୍ଗରେ ଉପସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ସେହିଭଳି ରେଳବାଇ, ବ୍ୟାଙ୍କିଂ, ଟେଲି ଡେନସିଟି, କୋଇଲା ରୟାଲିଟି ଦେୟ, ଏନର୍ଜି ସେସ୍ ଏବଂ ଉପକୂଳ ରାଜପଥ ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଅବହେଳିତ ହୋଇ ରହିଛି । ଆମ ରାଜ୍ୟର ସ୍ୱାର୍ଥକୁ ସଂସଦରେ ଶାଣିତ ଢ଼ଙ୍ଗରେ ଉପସ୍ଥାପନ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।
ସଂସଦୀୟ ଦଳର ଏହି ବୈଠକରେ ଲୋକସଭା ଓ ରାଜ୍ୟସଭାର ସମସ୍ତ ବିଜେଡି ସାଂସଦ ଯୋଗଦେଇଥିଲେ ।