ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି । ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଆଜି ସଂଧ୍ୟାରେ ବିଜେପି ସଂସଦୀୟ ବୋର୍ଡ ବୈଠକରେ ଶ୍ରୀ ଧନକରଙ୍କ ନାଁ ଉପରେ ମୋହର ବାଜିଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି ।
୭୧ ବର୍ଷ ବୟସ୍କ ଜଗଦୀପ ଧନକରଙ୍କ ଘର ରାଜସ୍ଥାନରେ । ୧୯୮୯ ରୁ ୧୯୯୧ ଯାଏ ଜନତା ଦଳ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୩ ରୁ ୧୯୯୮ ମସିହା ଯାଏ ସେ ରାଜସ୍ଥାନ ବିଧାନସଭାର ସଦସ୍ୟ ଥିଲେ । ପରବର୍ତ୍ତୀ ସମୟରେ ରାଜସ୍ଥାନ ହାଇକୋର୍ଟ ବାର୍ ଆସୋସିଏସନ୍ ର ସଭାପତି ଭାବେ କାର୍ଯ୍ୟ କରିଛନ୍ତି । ୨୦୧୯ ଜୁଲାଇରେ ତାଙ୍କୁ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ତାଙ୍କର ତିକ୍ତ ସମ୍ପର୍କ ସମଗ୍ର ଦେଶରେ ଏକ ଚର୍ଚ୍ଚାର ବିଷୟ । ରାଜ୍ୟପାଳ ଭାବେ ସାମ୍ବିଧାନିକ ଦାୟିତ୍ୱ ତୁଲାଇବା ବଦଳରେ ସେ ମୋଦି ସରକାରଙ୍କ ରାଜନୈତିକ ଏଜେଣ୍ଡା ସିଧାସଳଖ କାର୍ଯକାରୀ କରୁଥିବା ତୃଣମୂଳ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇ ଆସୁଛି ।
ସୂଚନାଥାଉକି, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ରେ ଶେଷ ହେଉଛି । ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ।