ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଦର୍ଶକୁ ପାଥେୟ କରି ଲୋକଙ୍କ ହିତରେ କାର୍ଯ୍ୟ କରିବା ପାଇଁ ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ। ୨୬ ବର୍ଷ ଧରି ସେହି ଦଳ ନିରବଚ୍ଛିନ୍ନ ଭାବେ ଓଡ଼ିଶାବାସୀଙ୍କ ସେବା କରି ଆସୁଛି ଏବଂ ଓଡ଼ିଶାର ବିକାଶ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରି ଆସୁଛି। ସେବା ଓ ସାମାଜିକ ଅଙ୍ଗୀକାରବଦ୍ଧତା ଯୋଗୁଁ ଆଜି ଏହା ଦେଶର ଏକ ଶ୍ରେଷ୍ଠ ଆଞ୍ଚଳିକ ଦଳ ଭାବେ ପ୍ରଶଂସନୀୟ ପରିଚିତି ହାସଲ କରିଛି ଏବଂ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ଏକ ଛୋଟ ଚାରାଗଛରୁ ମହାଦ୍ରୁମରେ ପରିଣତ ହୋଇଥିବା ବିଜେଡି ଆଗାମୀ ଦିନରେ ମଧ୍ୟ ଓଡ଼ିଶାର ବିକାଶ ଓ ଓଡ଼ିଶାବାସୀଙ୍କ ସେବାରେ ସମର୍ପିତ ହୋଇ ନିଷ୍ଠାପର ଭାବେ କାମ କରିଚାଲିବ।
ଆଜି ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସରେ ଭୁବନେଶ୍ୱର ବିମାନବନ୍ଦର ନିକଟରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ରାଜ୍ୟବାସୀଙ୍କୁ ଏଭଳି ବିଶ୍ୱାସ ଓ ଭରସା ଦେଇଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ସହିତ ଉପସ୍ଥିତ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ମୁଖ୍ୟମନ୍ତ୍ରୀଙ୍କ କଥା ଦୋହରାଇଛନ୍ତି ।
ଆଜି ରାଜ୍ୟର ୧୪୭ଟି ଯାକ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରତିଷ୍ଠା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପଳିତ ହୋଇଥିଲା। ଦଳର ଲକ୍ଷ ଲକ୍ଷ କର୍ମୀ ବିଭିନ୍ନ ସ୍ଥାନରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବିଭିନ୍ନ ସାମାଜିକ ଓ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ସେମାନେ ଓଡ଼ିଶାବାସୀଙ୍କ ସେବା ଏବଂ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ସଂକଳ୍ପ ନେବା ସହ ଏକ ସଶକ୍ତ, ସମୃଦ୍ଧ ଓ ସ୍ବାଭିମାନୀ ନବୀନ ଓଡ଼ିଶା ଗଠନ ପାଇଁ ବ୍ରତୀ ହେବେ ବୋଲି ଶପଥ ପାଠ କରିଥିଲେ।
ସକାଳ ୭ଟାବେଳେ ଶଙ୍ଖ ଭବନରେ ବିଜୁ ଜନତା ଦଳର ପତାକା ଉତ୍ତୋଳନ କରାଯିବା ସହ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସାଧାରଣ ସଂପାଦକ ସଞ୍ଜୟ ଦାସବର୍ମା, ରାଜ୍ୟସଭା ସାଂସଦ ଡ.ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସକାଳ ୮ଟାରେ ବିଜୁ ଜନତା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ଏକ ବିଶାଳ ସାଇକଲ ରାଲି କଟକର ଆନନ୍ଦ ଭବନରୁ ବାହାରି ଦିନ ପ୍ରାୟ ସାଢ଼େ ୯ଟାବେଳେ ବିମାନବନ୍ଦର ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲା। ଏହି ଅବସରରେ ଶଙ୍ଖଭବନରେ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଥିଲା।