ଭୁବନେଶ୍ୱର: ବିଜୁ ଜନତାଦଳ ରାଜନୈତିକ କମିଟି ବୈଠକ ଆଜି ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟତଃ ଚାଷୀ ପ୍ରସଙ୍ଗ, ଖଣି ବିଲ, ଶିକ୍ଷା ଅବ୍ୟବସ୍ଥା, SIR, ପଂଚାୟତ ନିର୍ବାଚନ ଓ ସଂଗଠନିକ ବିଷୟ ରେ ଆଲୋଚନା ହୋଇଥିଲା। ଖରିଫ ଧାନ ବିକ୍ରି ନିମନ୍ତେ ରେଜିଷ୍ଟ୍ରସନ ପାଇଁ ଭାଗ ଚାଷୀ ମାନେ ଯେପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଥିରେ ସଭ୍ୟମାନେ ଉଦବେଗ ପ୍ରକାଶ କରିବା ସହ ଚାଷୀଙ୍କ ସ୍ୱାର୍ଥ ସହ ନ ଖେଳିବା ପାଇଁ ସରକାର ଙ୍କୁ ସତର୍କ କରିଦେଇଛନ୍ତି।
ନିକଟରେ ପାର୍ଲାମେଣ୍ଟ ରେ ଗୃହୀତ MMDR ବିଲ ଯୋଗୁ ଓଡିଶା ପ୍ରଭୂତ କ୍ଷତି ସହିବ। ଏ ବିଷୟ ନେଇ ସଭ୍ୟ ମାନେ ଚିନ୍ତା ପ୍ରକଟ କରିଥିଲେ। ଓଡିଶା ର ସ୍ୱାର୍ଥ ପାଇଁ ବିଜେଡି ଏଥିପାଇଁ ଆଇନ ଗତ ପଦକ୍ଷେପ ନେବା ସହ ରାସ୍ତା କୁ ଓଲ୍ହାଇବ ବୋଲି ନିଷ୍ପତ୍ତି ହୋଇଥିଲା।
ସୂଚନା ଯୋଗ୍ୟ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଏ ବିଷୟରେ ମୁଖମନ୍ତ୍ରୀଙ୍କୁ ପତ୍ର ଲେଖି ସର୍ବଦଳୀୟ ବୈଠକ ଓ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବୀ ଜଣାଇଛନ୍ତି। SIR ର ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଏଵେ ଖୁବ ଶୀଘ୍ର ଶେଷ ହେବ। ତେଣୁ ଯେପରି ଯୋଗ୍ୟ ଭୋଟର ତାଲିକା ରୁ ବାଦ ନ ପଡିବେ ସେଥିପ୍ରତି ସଜାଗ ରହିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଏହା ସହତ ପଂଚାୟତ ନିର୍ବାଚନ ପାଇଁ ରଣକୌଶଳ ପୃସ୍ତୁତି ସହ ବ୍ଲକ ଓ ପଂଚାୟତ ସ୍ତରୀୟ କମିଟି ଗଠନ ଉପରେ ବୈଠକ ରେ ଗୁରୁତ୍ୱ ଆରୋପ କରାଯାଇଥିଲା। ରାଜ୍ୟରେ ଶିକ୍ଷା କ୍ଷେତ୍ର ରେ ଚରମ ଅବ୍ୟବସ୍ଥା ଆଜି ସାରା ରାଜ୍ୟ ରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ପିଲାମାନଙ୍କୁ ସଂଶୋଧିତ ପୁସ୍ତକ ଯୋଗାଇବାରେ ବିଫଳ ହୋଇଥିବାରୁ ଏଥିପାଇଁ ଉତ୍ତରଦାୟିତ୍ୱ ଦାବୀ କରି ଆଗାମୀ ଦିନରେ ବିଜେଡି ତାର ଆନ୍ଦୋଳନ କୁ ଆହୁରି ତୀବ୍ର କରିବ ବୋଲି ବୈଠକ ରେ ନିଷ୍ପତ୍ତି ହୋଇଥିଲା।