ଭୁୁବନେଶ୍ୱର: ଏବର୍ଷ ଓଡ଼ିଶାକୁ ରେଳବାଇର ୬୯୯୫ କୋଟି ଅନୁଦାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପି ନେତାମାନେ କେନ୍ଦ୍ର ସରକାରଙ୍କୁ ଶ୍ରେୟ ଦେଇଥିଲେ । ଓଡ଼ିଶାକୁ ରେଳ ଅନୁଦାନ ନେଇ ତଥ୍ୟ ନ ଜାଣି କିଛି ଲୋକ ଅପପ୍ରଚାର କରୁଛନ୍ତି ବୋଲି ବିଜେଡ଼ିକୁ କଟାକ୍ଷ କରିଥିଲେ । ତେବେ ବିଜେଡ଼ି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାକୁ ରେଳ ଅନୁଦାନର କଡ଼ାଗଣ୍ଡା ହିସାବ ଦେଖାଇ ବିଜେପି ଉପରେ ବର୍ଷିିଛି । କେବଳ ଜୁମଲାରେ ବଜେଟ୍ ହୁଏ ନାହିଁ । ସତ୍ ସାହାସ ଥିଲେ ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଓ ବିଜେପି ସାଂସଦମାନେ ଏହା ଉପରେ ଡିବେଟ୍ କରିବାକୁ ଆହ୍ୱାନ ଦିଆଯାଇଛି ।
ବିଜେଡ଼ି ମୁଖପାତ୍ର ଲେଲିନ୍ ମହାନ୍ତି, ସୁଲତା ଦେଓ ଏବଂ ଶ୍ରୀମୟୀ ମିଶ୍ର କହିଛନ୍ତି, ପ୍ରତିବର୍ଷ ଭାରତୀୟ ରେଳ ବିଭାଗ ଓଡ଼ିଶାରୁ ୨୦ ହଜାର ଟଙ୍କାର ରାଜସ୍ୱ ଆଦାୟ କରିଥାନ୍ତି । ୭ ବର୍ଷର ହିସାବ କଲେ ଓଡ଼ିଶା ରେଳବାଇକୁ ଦେଇଛି ୧୪୦ ହଜାର କୋଟି ଟଙ୍କା । ହେଲେ ଏହି ୭ ବର୍ଷରେ ଓଡ଼ିଶାକୁ ମିଳିଛି ୧୪ ହଜାର କୋଟି ଟଙ୍କା । ସ୍ୱାଧୀନତା ପରେ ଓଡ଼ିଶା ପାଇଁ କେବଳ ୬ ଟି ନୂଆ ରେଳ ଲାଇନ୍ ଯଥା କଟକ-ପାରାଦ୍ୱୀପ, ତାଳଚେର-ସମ୍ବଲପୁର, କୋରାପୁଟ-ରାୟଗଡ଼ା, ଦୈତାରୀ-ବାଂଶପାଣି, ଲାଂଜିଗଡ଼-ଜୁନାଗଡ଼, ଖୋର୍ଦ୍ଧା-ବଲାଙ୍ଗୀର(ଅସମ୍ପୂର୍ଣ୍ଣ)ର ବ୍ୟବସ୍ଥା କରାଯାଇଛି । ଆଜି ପର୍ଯ୍ୟନ୍ତ ଓଡ଼ିଶାର ୬ ଜିଲ୍ଲା କନ୍ଧମାଳ, ବୌଦ୍ଧ, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ଦେବଗଡ଼ ଏବଂ ମାଲକାନଗିରିକୁ ରେଳଲାଇନ୍ ଯାଇନି ।
ବ୍ରିଟିଶ ଅମଳରେ ଖଣିଜାତ ଦ୍ରବ୍ୟକୁ ଚୋରି କରିବା ପାଇଁ ରେଲୱେ ଲାଇନର ବ୍ୟବହାର କରାଯାଉଥିଲା । ଦୁଃଖର କଥା, ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଏବେକାର କେନ୍ଦ୍ର ସରକାର ସେଇଆ ହିଁ କରୁଛନ୍ତି । କୋଇଲା, ଆଇରନ୍, ବକ୍ସାଇଟ୍, ଆଲୁମିନିୟମ୍ ଆଦି କ୍ଷେତ୍ରରେ ଯାହା ବ୍ରିଟିଶ ସରକାରରେ ଲୁଣ୍ଠନ ମାନସିକତା ଥିଲା, ସ୍ୱାଧୀନତା ପରେ ମଧ୍ୟ ସେଇ ମାନସିକତାର ଝଲକ ଦେଖିବାକୁ ମିଳୁଛି ବୋଲି ସେମାନେ କହିଛନ୍ତି ।
ଏହି ପରିପ୍ରେକ୍ଷୀରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଏବଂ ବିଜେପିର ଜଣ ଜଣ କରି ସାଂସଦଙ୍କୁ ପ୍ରଶ୍ନ କରି ଜବାବ ମାଗିଛନ୍ତି ବିଜେଡ଼ି ମୁଖପାତ୍ର ।
- ୨୫ ବର୍ଷ ଭିତରେ ଖୋର୍ଦ୍ଧା-ବଲାଙ୍ଗୀର ୨୯୦ କିମି ରେଳ ଲାଇନ୍ ର କେବଳ ୯୦ କିମି କାମ ଶେଷ ହୋଇଛି । ରାଜ୍ୟ ସରକାର ଅଧା ଖର୍ଚ୍ଚ ବହନ କରିବା ସହ ମାଗଣାରେ ଜମି ଦେବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କାହିଁକି କାର୍ଯ୍ୟ ସରିପାରୁନାହିଁ? ଖୋର୍ଦ୍ଧା, ବଲାଙ୍ଗୀର, ବୌଦ୍ଧ ଓ ସୋନପୁର କି ଅପରାଧ କରିଛନ୍ତି ଯେ ଆଜି ପର୍ଯ୍ୟନ୍ତ ରେଳ ସେବାରୁ ନିବୃତ୍ତ? ସେମାନଙ୍କ ପ୍ରତି ବୈମାତୃକ ମନୋଭାବର କାରଣ କ’ଣ? କେନ୍ଦ୍ରମନ୍ତ୍ରୀ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାହାର ଜବାବ ଦେବେ କି?
- ତାଳଚେର-ବିମଳାଗଡ ୧୫୫ କିମି ରେଳ ଲାଇନ୍ ନିଷ୍ପତ୍ତି ୨୦୦୩ ରେ ହୋଇଥିଲା । ଆଜି ପର୍ଯ୍ୟନ୍ତ ମାତ୍ର ୨୦ କିମି ତିଆରି ହୋଇଛି । ୧ କିମି ରେଳ ଲାଇନ୍ ପାଇଁ ୨୦ କୋଟି ଟଙ୍କାର ଆବଶ୍ୟକତା ଥିଲା ବେଳେ ଏବର୍ଷ ବଜେଟ୍ ରେ ଉକ୍ତ ପ୍ରକଳ୍ପ ପାଇଁ ମାତ୍ର ୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଜୁଏଲ୍ ଓରାମ ଙ୍କୁ ପ୍ରଶ୍ନ, ଓଡ଼ିଶା ପ୍ରତି ଏ ବୈମାତୃକ ମନୋଭାବ କ’ଣ ପାଇଁ? ଏବର୍ଷର ଲକ୍ଷ୍ୟ କେବଳ ୧/୨ କିମି? ମାନ୍ୟବର କେନ୍ଦ୍ରମନ୍ତ୍ରୀ ଏହାର ଉତ୍ତର ଦେବେ କି?
- ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳବାଇର ବ୍ୟାପକତା ଉପରେ ବହୁତ ଗପୁଛନ୍ତି । ତେବେ କେନ୍ଦ୍ର ସରକାର ଏହି ରେଳ ଲାଇନ ପାଇଁ ଆଜି ପର୍ଯ୍ୟନ୍ତ କାହିଁକି ଜମି ରେଜିଷ୍ଟ୍ରେସନ୍ କରିନାହାନ୍ତି ଜଣାଇବେ କି?
- ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ରେଳବାଇ ଲାଇନ ଘୋଷଣା ହୋଇଛି ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଆର୍ଥିକ ସହାୟତା ଓ ଜମି ଯୋଗାଇ ଦେବାର ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ପ୍ରକଳ୍ପରେ କୌଣସି ଅଗ୍ରଗତି ନାହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଉତ୍ତର ଦେବେ କି?
- ଜଳେଶ୍ୱରଠାରୁ ଦୀଘା ରେଳବାଇ ସଂଯୋଗୀକରଣକୁ ଖାରଜ କରାଯାଇଛି । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହାର କାରଣ ସମ୍ପର୍କରେ ଜଣାଇବେ କି?
- କଳାହାଣ୍ଡି ୱାଗନ୍ ଫ୍ୟାକ୍ଟ୍ରି ପାଇଁ ୩୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ରାଜ୍ୟ ସରକାର ୧୦୦ ଏକର ଜମିର ବ୍ୟବସ୍ଥା କରିସାରିଛନ୍ତି । ମାତ୍ର ଆଶ୍ଚର୍ଯ୍ୟର କଥା, କଳାହାଣ୍ଡି ପାଇଁ ବ୍ୟବସ୍ଥା କରାଯାଉଥିବା ଏ ପ୍ରକଳ୍ପ ପାଇଁ ଏବର୍ଷର ରେଳବାଇ ବଜେଟ୍ ରେ ମାତ୍ର ୧ କୋଟି ଟଙ୍କାର ବଜେଟ୍ କରାଯାଇଛି । ୫ ବର୍ଷ ହେଲାଣି କାମ ଚାଲିଛି, କିନ୍ତୁ ତିଳେ ମାତ୍ର ଅଗ୍ରଗତି ହୋଇନାହିଁ । ସାଂସଦ ବସନ୍ତ ପଣ୍ଡା ଏହି ବୈମାତୃକ ମନୋଭାବର କାରଣ ଜଣାଇବେ କି?
- ରାଜ୍ୟ ସରକାର ପୁରୀଠାରୁ କୋଣାର୍କ, ବରଗଡ଼ଠାରୁ ନୂଆପଡ଼ା, ଚକୁଳିଆଠାରୁ ବୁରମାର, ଜାଳପୁରଠାରୁ ଆମଲା ପର୍ଯ୍ୟନ୍ତ ରେଳାବାଇ ଲାଇନ ସଂଯୋଗୀକରଣ ପାଇଁ ପ୍ରସ୍ତାବ ଦେଇଥିଲେ । ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ଅଗ୍ରଗତି ଦେଖାଯାଇନାହିଁ । ହରିଦାସପୁର-ପାରାଦ୍ୱୀପ ଭାୟା କେନ୍ଦ୍ରାପଡ଼ା, ଅନୁଗୁଳ-ସୁକିନ୍ଦା ପାଇଁ କେବଳ ମାଲବାହୀ ଟ୍ରେନ୍ ର ବ୍ୟବସ୍ଥା ହୋଇଛି । ଏହି ଲାଇନ୍ ରେ ପାସେଞ୍ଜର ଟ୍ରେନ୍ ଯିବା ପାଇଁ କ’ଣ ବ୍ୟବସ୍ଥା ହୋଇପାରୁନାହିଁ । ମାନ୍ୟବର କେନ୍ଦ୍ରମନ୍ତ୍ରୀ ଏହାର ଉତ୍ତର ଦେଇପାରିବେ କି?
ଓଡ଼ିଶାର ଅବଦାନକୁ ନ ଭୁଲି ଯାଇ କେନ୍ଦ୍ର ସରକାର ଆମ କଥା ଟିକେ ଶୁଣନ୍ତୁ ଏବଂ ଓଡ଼ିଶାର ନ୍ୟାଯ୍ୟ ଦାବିକୁ ଉପେକ୍ଷା ନକରି ଓଡ଼ିଶାବାସୀଙ୍କୁ ହକ୍ ଦିଅନ୍ତୁ ବୋଲି ବିଜେଡ଼ି ମୁଖପାତ୍ର କହିଥିଲେ ।