ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୋଟିଆର ତିନୋଟି ଗାଁର ନାଁ ବଦଳେଇ ଆନ୍ଧ୍ର ସେଠି ପଞ୍ଚାୟତ ନିର୍ବାଚନ କରିବାକୁ ବସିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରକାରନ୍ତରେ ତାହାର କଡ଼ା ଜବାବ ରଖିଛନ୍ତି । କୋଟିଆ ପଞ୍ଚାୟତରେ ୧୮ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରି ଏହାକୁ ଆଦର୍ଶ ପଞ୍ଚାୟତ ଭାବେ ଗଢ଼ିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଖାଲି ସେତିକି ନୁହେଁ, ଖୁବ୍ ଶୀଘ୍ର କୋଟିଆ ଅଞ୍ଚଳକୁ ଯାଇ ଲୋକଙ୍କୁ ଭେଟିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କୋଟିଆ ପାଇଁ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ସେଥିମଧ୍ୟରୁ ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ହୋଇଥିବା ବେଳେ ୫ କୋଟି ଟଙ୍କାର ହାଇ ଲେଭଲ୍ ସେତୁ ପାଇଁ ଭିତ୍ତିପ୍ରସ୍ତର ଥିଲା । ଏହାପୂର୍ବରୁ ୨୦୧୮ ରେ ମୁଖ୍ୟମନ୍ତ୍ରୀ କୋଟିଆ ପଞ୍ଚାୟତର ବିକାଶ ପାଇଁ ୧୫୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିଲେ । ଯାହାର କାର୍ଯ୍ୟ ଜାରି ରହିଥିବା କୁହାଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋଟିଆକୁ ଏକ ଆଦର୍ଶ ପଞ୍ଚାୟତ ଭାବରେ ଗଠନ କରାଯିବ ବୋଲି ଘୋଷଣା କରି ପଞ୍ଚାୟତରେ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ପିଇବା ପାଣି, ବିଜୁଳି ଆଦିର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ । ଲୋକଙ୍କୁ ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ସାମାଜିକ ନିରାପତ୍ତା ଏବଂ ଜୀବନଜୀବିକା ପାଇଁ ପଦକ୍ଷେପ ନିଆଯାଇଥିବା କହିଥିଲେ ।
କୋରାପୁଟ ଅଞ୍ଚଳବାସୀଙ୍କ ସହ ଭାବଗତ ଭାବରେ ଯୋଡିହେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ଆମର ମା । ଓଡ଼ିଆ ଆମର ଭାଷା । ମହାପ୍ରଭୁ ଜଗନ୍ନାଥ ଆମର ବଡ ଠାକୁର । ଜଗନ୍ନାଥ ସଂସ୍କୃତି ଆମର ସଂସ୍କୃତି । କୋରାପୁଟକୁ ଆମେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି କହିଥାଉ ।
ସେହିଭଳି ଭାବେ ସ୍ୱାଧୀନତା ସଂଗ୍ରାମରେ କୋରାପୁଟର ଭୁମିକା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରି ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ଓ ପଟାଙ୍ଗୀର ବିଧାୟକଙ୍କ ସମେତ କୋଟିଆ ପଞ୍ଚାୟତର ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ଉପସ୍ଥିତ ରହି ସେମାନଙ୍କ ମତାମତ ରଖିଥିଲେ । କୋରାପୁଟ ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେଇଥିଲେ ।
କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ସଂଯୋଜନା କରିଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏବଂ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଥାଉକି, କୋଟିଆର ୩ ଗାଁ କୁ ଏକ ପ୍ରକାର ନିଜ କବଜାକୁ ନେଇଗଲେଣି ଆନ୍ଧ୍ର ସରକାର । ଆଗାମୀ ପଞ୍ଚାୟତ ନିର୍ବାଚନ ମାନଚିତ୍ରରେ କୋଟିଆର ତଳଗଞ୍ଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀ ଗାଁ କୁ ସାମିଲ କରି ଆନ୍ଧ୍ର ସରକାର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚଳାଇଛନ୍ତି । ଆଜି ସୁଦ୍ଧା ଏହି ତିନୋଟି ଗାଁରୁ ୧୫ ଜଣ ନାମାଙ୍କନପତ୍ର ଦାଖଲ କଲେଣି ।
ଆଶ୍ଚର୍ଯ୍ୟର କଥା, ଆନ୍ଧ୍ରର ଏହି ମାରାତ୍ମକ କାର୍ଯ୍ୟ ସମ୍ପର୍କରେ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ଗୁଇନ୍ଦା ବିଭାଗ ପର୍ଯ୍ୟନ୍ତ କାହାରି ପାଖରେ ଖବର ନ ରହିବା ରାଜ୍ୟବାସୀଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଛି । ରାଜ୍ୟ ସରକାରଙ୍କ ଉଦାସୀନତାକୁ ବିରୋଧୀ ଦଳ କଟୁ ସମାଲୋଚନା କରୁଥିଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ଗତକାଲି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ରାତାରାତି ବଦଳି କରିଥିଲେ । ନିଜେ କୋଟିଆ ଅଞ୍ଚଳକୁ ଯାଇ ଲୋକଙ୍କୁ ଭେଟିବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ଜଣାଇବା ପରେ ପ୍ରଶାସନ କଳ ତତ୍ପର ହୋଇଛନ୍ତି ।
ଓଡ଼ିଶାବାସୀ ଏକ୍ ହୋଇ ହୋଇ ଉଦ୍ୟମ କରିବା: ଧର୍ମେନ୍ଦ୍ର
କୋଟିଆ ଅଞ୍ଚଳରେ ଆନ୍ଦ୍ର ସରକାରଙ୍କ ନିର୍ବାଚନ କରିବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି । ଆନ୍ଧ୍ର ସରକାର କୋଟିଆ ଉପରେ ଅଧିକାର ଜାହିର କରିବା ଆରମ୍ଭ କରିଥିବା ବେଳେ ଦଳ ମତ ନିର୍ବିଶେଷରେ ଆମେ ସମସ୍ତେ ଓଡ଼ିଶାବାସୀ ଏକ ହୋଇ ଏହି ସମସ୍ୟାର ସମାଧାନ ବାହାର କରିବାକୁ ସମୟର ସୁଦୂପଯୋଗ ଜରୁରୀ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
‘କୋଟିଆ ଓ ଅନ୍ୟାନ୍ୟ ସୀମା ବିବାଦ ପ୍ରସଙ୍ଗରେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲି । କୋଟିଆ ଯାଇ ସ୍ଥାନୀୟ ଲୋକଙ୍କ ସହ ବ୍ୟକ୍ତିଗତ ଭାବରେ ଆଲୋଚନା କରିଥିଲି । ବୋଧହୁଏ କୋଟିଆ ପ୍ରସଙ୍ଗକୁ ଯେତେ ଗୁରୁତ୍ୱର ସହ ନେବା କଥା ଆମେ ତାହା କରିବାରେ ସଫଳ ହୋଇନାହୁଁ । ଏହି ଅଞ୍ଚଳର ବିକାଶ ତଥା ସ୍ଥାନୀୟ ଭଉଣୀମାନଙ୍କୁ ଭାବଗତ ଭାବରେ ଯୋଡି ରଖିବାକୁ ଯେତିକି ଗୁରୁତ୍ୱ ଦେବା କଥା ଦେଇନାହୁଁ । କୋଟିଆ ଓ ଆନ୍ଧ୍ର ବିବାଦର ସ୍ଥାୟୀ ସମାଧାନ ହେବା ଜରୁରୀ ।’