ଭୁୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କ ଆଜିର ଓଡ଼ିଶା ଗସ୍ତକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି । ନିର୍ବାଚନରେ ବାରମ୍ବାର ହାରି ହତୋତ୍ସାହିତ ହୋଇପଡ଼ିଥିବା ଦଳୀୟ କର୍ମୀ ଓ ଦୁର୍ବଳ ହୋଇଯାଇଥିବା ସଂଗଠନକୁ ସଜାଡ଼ିବା ପାଇଁ ସେ ଓଡ଼ିଶା ଆସିଛନ୍ତି । କେବଳ ଓଡ଼ିଶା ନୁହେଁ, ସାରା ଦେଶ ଗସ୍ତ କରି ଏଭଳି ସଭା ସମିତି କରୁଥିବା ଦଳର ରାଷ୍ଟ୍ରୀୟ ପ୍ରବକ୍ତା ତଥା ସାଂସଦ ଡକ୍ଟର ସସ୍ମିତ୍ ପାତ୍ର କହିଛନ୍ତି ।
ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ଓଡିଶା ଗସ୍ତ ଉପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ଡକ୍ଟର ପାତ୍ର କହିଛନ୍ତି ଯେ ଯେହେତୁ ଆଗକୁ ନିର୍ବାଚନ ଆସୁଛି ତେଣୁ ବିଜେପିର ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ସ୍ୱାଭାବିକ ଭାବେ ଦେଶର ବିଭିନ୍ନ ଅଞ୍ଚଳ ବୁଲି ବୁଲି ସଭାସମିତି କରୁଛନ୍ତି । ସେହି କ୍ରମରେ ସେ ଆଜି ଓଡିଶା ଆସିଛନ୍ତି ଓ ଏଠାରେ ଦୁର୍ବଳ ହୋଇପଡିଥିବା ସଂଗଠନକୁ ସଜାଡିବାକୁ ଉଦ୍ୟମ କରୁଛନ୍ତି ।
ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏଠାରେ ବିଜେପି ୩୦ରୁ ୩୦ ଜିଲ୍ଲା ପରିଷଦରେ ଏବଂ ୯୦ ପ୍ରତିଶତରୁ ଅଧିକ ଆସନରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା । ଏଥିରେ ତାଙ୍କ ଦଳର କର୍ମୀ ଓ ନେତାମାନେ ହତୋତ୍ସାହିତ ହେବା ସହିତ ସେମାନଙ୍କ ମନୋବଳ ଭାଙ୍ଗି ଯାଇଛି । ତେଣୁ ହତାଶ ହୋଇପଡିଥିବା କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଶ୍ରୀ ନଡ୍ଡା ଓଡିଶା ଗସ୍ତରେ ଆସିଥିବା ଡକ୍ଟର ପାତ୍ର କହିଛନ୍ତି ।
ସୂଚନାଯୋଗ୍ୟ, ଶ୍ରୀ ନଡ୍ଡା ଆଜି କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଏବଂ ପୁରୀ ଜିଲ୍ଲାର ବାଣପୁରଠାରେ ଆୟୋଜିତ ଜନସମାବେଶକୁ ଉଦବୋଧ ଦେଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ । ବିଜେଡି ସରକାରକୁ ହଟାଇବା ପାଇଁ ସେ ଆହ୍ୱାନ ଦେଇଥିଲେ ।