ଭୁବନେଶ୍ୱର: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଆଜି ଓଡ଼ିଶା ଗସ୍ତରେ ଆସି କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଏବଂ ପୁରୀ ଜିଲ୍ଲାର ବାଣପୁରଠାରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରିଥିଲେ । ଦୁଇଟିଯାକ ସଭାରେ ଯେ କେନ୍ଦ୍ରର ମୋଦି ସରକାରଙ୍କ ସଫଳତାର କାହାଣୀ କହିବା ସହିତ ଓଡ଼ିଶାରେ ବିଜେଡି ଶାସନ ହଟାଇବା ପାଇଁ ଆହ୍ୱାନ ଦେଇଥିଲେ । ସାଧାରଣ ନିର୍ବାଚନକୁ ଆହୁରି ବର୍ଷେ ଥିଲା ବେଳେ ଏହିଭଳି ଭାବେ ନଡ୍ଡା ଓଡ଼ିଶାକୁ ଫୋକସ୍ ରେ ରଖି ବିଜୟ ସଂକଳ୍ପ ସମାବେଶ ଜରିଆରେ ପ୍ରଚାର ଆରମ୍ଭ କରିଦେଇଛନ୍ତି । ଭାଷଣ ଜରିଆରେ ସେ ଦଳୀୟ ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇବାକୁ ଉଦ୍ୟମ କରିଛନ୍ତି ।
ତୁମୁଡ଼ିବନ୍ଧ ସଭାରେ ଶ୍ରୀ ନଡ୍ଡା କେନ୍ଦ୍ରରେ ମୋଦୀ ସରକାରଙ୍କ ସଫଳତାର କାହାଣୀ ରଖିଥିଲେ । କହିଥିଲେ, ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଅନେକ କାମ କରିଛନ୍ତି । ଦେଶରେ ସର୍ବାଧିକ ୮୭ଟି ଏକଲବ୍ୟ ଆବାସିକ ସ୍କୁଲ ଓଡ଼ିଶାରେ ହୋଇଛି । ୩୦୦ କୋଟି ଟଙ୍କାରେ ଭୁବନେଶ୍ୱର ରେଳ ଷ୍ଟେସନ ଚକାଚକ ହେଉଛି । ପ୍ରତି ଘରକୁ ଟ୍ୟାପ୍ ପାଣି ପାଇଁ ୩୩୨୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଏନସିଆରବି ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ମହିଳା ନିର୍ଯ୍ୟାତନା ଦ୍ୱିଗୁଣିତ ହୋଇଛି । ମହିଳା ଚାଲାଣରେ ଓଡ଼ିଶା ଦେଶରେ ସବୁଠାରୁ ଆଗରେ । ଓଡ଼ିଶା ପୁଲିସ ଉପରେ ମଧ୍ୟ ସବୁଠାରୁ ଅଧିକ ଆକ୍ରମଣ ହୋଇଛି । ଯେଉଁଠି ରକ୍ଷକ ନିଜେ ଅସୁରକ୍ଷିତ, ସେ ସୁରକ୍ଷା ଦେବ କେମିତି? ଏହା ଏଭଳି ଏକ ରାଜ୍ୟ, ଯେଉଁଠି ସରକାର କିଏ ଚଳାଉଛି ଜଣାପଡୁନି । ଏଭଳି ସରକାରକୁ ଛୁଟି କରିଦେବା ଦରକାର ବୋଲି କହିଲେ ।
ଆୟୁଷ୍ମାନ୍ ଭାରତ ଯୋଜନା ପ୍ରସଙ୍ଗରେ କହିଥିଲେ, ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶାବାସୀଙ୍କୁ ବଞ୍ଚିତ କରୁଛନ୍ତି । ରାଜ୍ୟର ହିତ କଥା କହୁଥିବା ନବୀନ ବାବୁ ୬୦ ଲକ୍ଷ ଲୋକଙ୍କୁ ବଞ୍ଚିତ କରୁଛନ୍ତି । ମୋଦି ସ୍ୱାସ୍ଥ୍ୟସେବା ଦେବାକୁ ଚାହୁଁଛନ୍ତି, ନବୀନ ସେଥିରେ ଅନ୍ତରାୟ ହେଉଛନ୍ତି । ରତ୍ନଭଣ୍ଡାରକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ । ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା ବୋଲି ପ୍ରଶ୍ନ କରି ଏହାକୁ କାହିଁକି ସୁରକ୍ଷିତ କରାଯାଉନି ବୋଲି ପ୍ରଶ୍ନ କରିଥିଲେ । ସେହିଭଳି ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଆଡ଼େ ଗଲା ବୋଲି ପଚାରିଥିଲେ ।
କେବଳ ଲୋକସଭା ନୁହେଁ, ବିଧାନସଭା କ୍ଷେତ୍ରରେ ବିଜେପିକୁ ଭୋଟ ଦେଇ ଡବଲ ଇଞ୍ଜିନ ସରକାର ଆଣିବାକୁ ଶ୍ରୀ ନଡ୍ଡା ଆହ୍ୱାନ ଦେଇଥିଲେ ।
ଦୁଇଟି ଯାକ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ଓଡ଼ିଆ ଜାତି କାହାରି ଜାଗିର ନୁହେଁ । ଏ ସରକାର ଆକୁଣ୍ଠ ଭ୍ରଷ୍ଟାଚାରରେ ବୁଡ଼ି ରହିଛି । ଏ ସରକାର ବଦଳାଇବାକୁ ସେ ଆହ୍ୱାନ ଦେଇଥିଲେ ।
ସଂଧ୍ୟାରେ ନାଚୁଣୀଠାରେ କାର୍ଯ୍ୟକର୍ତ୍ତାମାନଙ୍କର ବୈଠକରେ ଶ୍ରୀ ନଡ୍ଡା ଦଳୀୟ ରଣନୀତି ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।